ଶ୍ରୀନଗର: ଭାରତ ସହ ଯୁଦ୍ଧ ପାଇଁ ପାକିସ୍ତାନ ସେନା ଓ ସରକାର ଯୋଜନା ପ୍ରସ୍ତୁତି ଆରମ୍ଭ କରିସାରିଛି । ପାକିସ୍ତାନ ସୀମାରେ ନିୟୋଜିତ ନିଜ ସେନା ଶିବିରକୁ ବିପୁଳ ପରିମାଣର ଯୁଦ୍ଧ ସାମଗ୍ରୀ ପଠାଇବା ଯୋଜନା ଆରମ୍ଭ କରୁଛି ପାକିସ୍ତାନ । ଏହାସହ ସେନା ହସ୍ପିଟାଲ ଗୁଡିକରେ ଜରୁରୀକାଳୀନ ମେଡିକାଲ ସହାୟତା ସହ ସଜାଗ ରହିବା ପାଇଁ ହାଇଆଲର୍ଟ ଜାରି କରିଛି ପାକିସ୍ତାନ । ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ସେନାକୁ ଭାରତ ଆକ୍ରମଣ କଲେ ପ୍ରତିଆକ୍ରମଣ କରିବା ପାଇଁ ସ୍ବାଧୀନତା ଦେଇଛନ୍ତି ।
ସୂଚନା ମୁତାବକ ଏହି ଘଟଣା ପରେ ଭାରତ ପାକିସ୍ତାନକୁ ସବୁଆଡୁ ନିରସ୍ତ୍ର କରିବା ଯୋଜନାରେ ବ୍ୟବସ୍ଥା କରି ସଫଳ ହେବାରେ ଲାଗିଛି । ଅନ୍ୟ ପଟେ ଦେବାଳିଆ ପାକିସ୍ତାନ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ଭୟରେ ରହିଛି । ପାକିସ୍ତାନର ପୋଷ୍ୟପୁତ୍ର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ପାକିସ୍ତାନ ସରକାରଙ୍କୁ ଅଭୟ ବାଣୀ ଦେଇ ଭାରତ ଆଗରେ ମୁଣ୍ଡ ନୁଆଁଇବା ଆବଶ୍ୟକ ନାହିଁ ବୋଲି କହିଛି । ସେପଟେ ପାକିସ୍ତାନକୁ ଜାତିସଂଘ ସୁରକ୍ଷା ପରିଷଦ ପୁଲୱାମା ଘଟଣାକୁ ନେଇ କଡା ସମାଲୋଚନା କରିଛି । ଆତଙ୍କବାଦ ବିରୋଧରେ ସ୍ବର ଉତ୍ତୋଳନ କରି ଭାରତକୁ ସମର୍ଥନ ଦେଇ ଏହା କାପୁରୁଷତା ବୋଲି ସମାଲୋଚନା କରିଛି ।
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବେଲୁଚିସ୍ତାନରେ ଥିବା ପାକିସ୍ତାନ ସେନା ଏବଂ ପାକିସ୍ତାନ କବଜାରେ ଥିବା କାଶ୍ମୀରର (ପିଓକେ)ର ସ୍ଥାନୀୟ ପ୍ରଶାସନକୁ ଆଦେଶ ଜାରି କରି ଦିଆଯାଇଛି | ଏଥିରେ ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ସ୍ଥିତିରେ ରହିଛି ଏଥିପାଇଁ ସଜାଗ ରହିବା ପାଇଁ ଏହି ନିର୍ଦେଶ ଦିଆଯାଇଛି |
ଏହାସହ ପାକିସ୍ତାନ ସେନାର ମୁଖ୍ୟ କାର୍ଯ୍ୟାଳୟ କ୍ବୋଟା ବେସ୍ ଲାଜିଷ୍ଟିକ୍ସ(ଏଚ୍କ୍ୟୁଏଲଏ)ରୁ ଜିଲାନି ହସ୍ପିଟାଲକୁ ଫେବୃଆରୀ ୨୦ ତାରିଖରେ ପଠାଯାଇଥିବା ଏକ ନିର୍ଦେଶନାମାରେ ଭାରତ ସହ ଯୁଦ୍ଧ ପରିସ୍ଥିତିକୁ ଆଖିଆଗରେ ରଖି ମେଡିକାଲକୁ ସହାୟତା ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଏହାସହ ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ବେଲୁଚିସ୍ତାନ ସିଭିଲ୍ ହସ୍ପିଟାଲ ପଠାଯିବା କଥା କୁହାଯାଇଛି । ସିଭିଲ ମିଲିଟାରୀ ହସ୍ପିଟାଲରେ ବେଡ ବ୍ୟବସ୍ଥା ହେବା ଯାଏଁ ଯୁଦ୍ଧ ଆହତ ଯବାନଙ୍କୁ ବେଲୁଚି ସିଭିଲ୍ ହସ୍ପିଟାଲରେ ରହିବେ ବୋଲି କୁହାଯାଇଛି । ଏହାସହ ଯୁଦ୍ଧ ପ୍ରସ୍ତୁତି ତଥା ଯବାନଙ୍କ ଚିକିତ୍ସାରେ କୌଣସି ଅବହେଳା ନହେବା ପାଇଁ ସିଭିଲ୍ ହସ୍ପିଟାଲର ବେଡ ସଂଖ୍ୟା 25 ପ୍ରତିଶତ ବଢାଇବା ପାଇଁ ନିର୍ଦ୍ଦେଶ ରହିଛି ।
ଏହାସହ ନିର୍ଦେଶନାମାରେ ସିଧାସଳଖ ଯବାନମାନଙ୍କ ଦେଖାଶୁଣା ଓ ଚିକିତ୍ସା ସମ୍ଭନ୍ଧୀୟ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି । ଏଥିରେ ପୂର୍ବାଞ୍ଚଳ ମୋର୍ଚ୍ଚାରେ ଯୁଦ୍ଧ ଆହତ ଯବାନଙ୍କୁ ଅପାତକାଳୀନ ସ୍ବାସ୍ଥ୍ୟସେବା ସିନ୍ଧ ଏବଂ ପଞ୍ଜାବର ସିଭିଲ ଏବଂ ମିଲିଟାରୀ ହସ୍ପିଟାଲରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ସିଭିଲ ମିଲିଟାରୀ ହସ୍ପିଟାଲରେ ବେଡ଼ ବ୍ୟବସ୍ଥା ହେବା ଯାଏଁ ଆହତ ଯବାନ ସେଠାରେ ରହିବେ |”
ଏହାସହ ଗୁରୁବାର ଦିନ ପିଓକେ ସରକାର ନିଲମ, ଝେଲମ, ରାବଲକୋଟ, ହାବେଳୀ, କୋଟଲି ଏବଂ ଭିମ୍ବରର ନିୟନ୍ତ୍ରଣ ରେଖାଠୁ ପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି | ଯୁଦ୍ଧ ସ୍ଥିତିରେ ଲୋକଙ୍କୁ ସଜାଗ ରହିବାକୁ କୁହାଯାଇଛି |
ଏହାସହ ପାକିସ୍ତାନ ସରକାର ସବୁଠାରୁ ଆତ୍ୟାବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଯୁଦ୍ଧ ଯେ କୌଣସି ପରିସ୍ଥିତିରେ ଆରମ୍ଭ ହେବାର ଆଶଙ୍କା ରହିଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ଯୁଦ୍ଧବେଳେ ସୁରକ୍ଷିତ ରାସ୍ତା ଦେଇ ଯିବା ଆସିବା କରିବା ପାଇଁ କୁହାଯାଇଛି । ଏଥିସହ ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ଲୋକେ ଯେଉଁମାନେ ବଙ୍କର ତିଆରି କରିନାହାନ୍ତି, ସେମାନଙ୍କୁ ତୁରନ୍ତ ବଙ୍କର ତିଆରି ପାଇଁ କୁହାଯାଇଛି | ଲୋକଙ୍କୁ ରାତିରେ ଅନାବଶ୍ୟକ ଭାବରେ ଲାଇଟ ଲଗାଇବା ପାଇଁ ବାରଣ କରାଯାଇଛି । ତତ୍ସହିତ ଏଲଓସି ପାଖକୁ ନଯିବା ପାଇଁ ଲୋକଙ୍କ ପାଇଁ ନିର୍ଦେଶନାମା ଜାରି କରାଯାଇଛି ।