ହାଇଦ୍ରାବାଦ: ଭାରତ ନିକଟରେ ମାଡାଗାସ୍କାର କୃତଜ୍ଞ । ନିକଟରେ ଡାଏନେ ଘୂର୍ଣ୍ଣିଝଡ଼ ଯୋଗୁଁ ବିଧ୍ବସ୍ତ ଏହି କ୍ଷୁଦ୍ର ଦ୍ବୀପରାଷ୍ଟ୍ରକୁ ଭାରତ ଠିକ୍ ସମୟରେ ଯଥେଷ୍ଟ ସହାୟତା ପଠାଇଥିବାରୁ ଏହା କହିଛନ୍ତି ମାଡ଼ାଗାସ୍କାରର ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟନାଣ୍ଟ ଜେନେରାଲ ରୋକୋଟୋନିରିନା ରିଚାର୍ଡ । ଇଟିଭି ଭାରତ ସହ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ଭାରତକୁ ଏକ ମହାନ ବନ୍ଧୁ ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ରିଚାର୍ଡ । ଲକ୍ଷ୍ନୌରେ ଚାଲିଥିବା ପ୍ରତିରକ୍ଷା ପ୍ରଦର୍ଶନୀ, ଡିଫ ଏକ୍ସପୋ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସେ ଆନୁଷ୍ଠାନିକ ଆଲୋଚନା କରିଛନ୍ତି ।
ଗତ କିଛି ସପ୍ତାହ ଭିତରେ ପୂର୍ବ ଆଫ୍ରିକା ଉପକୂଳ ସନ୍ନିକଟ ଭାରତ ମହାସାଗରରେ ଅବସ୍ଥିତ ଏହି ଦ୍ବୀପର ପ୍ରଭାବିତ ମାଲାଗାସୀ ଲୋକମାନଙ୍କୁ ଭାରତୀୟ ନୌସେନା ‘ଅପରେସନ୍ ଭାନିଲା’ ଜରିଆରେ ସହାୟତା ପ୍ରଦାନ କରିଛି । ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ଆଇଏନ୍ଏସ୍ ଐରାବତକୁ ସେଠାରୁ ପଠାଇଥିଲା ଏବଂ ସେଠାକାର ଲୋକଙ୍କ ଚିକିତ୍ସା ପାଇଁ ଅନେକ ଡାକ୍ତରୀ ଶିବିର ସ୍ଥାପନ କରିଥିଲା । ଗତ ସପ୍ତାହରେ ଲକ୍ଷ୍ନୌରେ ଆୟୋଜିତ ଡିଫ ଏକ୍ସପୋର ଦ୍ବିତୀୟ ଦିନରେ ରାଜନାଥ ସିଂହ ଓ ଲେଫ୍ଟନାଣ୍ଟ ଜେନେରାଲ ରିଚାର୍ଡଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏ ଅଞ୍ଚଳର ସାମୁଦ୍ରିକ ସୁରକ୍ଷା ବୃଦ୍ଧି କ୍ଷେତ୍ରରେ ସହଯୋଗିତା ପ୍ରମୁଖ ପ୍ରସଙ୍ଗ ଥିଲା ।
ଦୁଇ ସମୁଦ୍ର ତଟବର୍ତ୍ତୀ ପଡ଼ୋଶୀଙ୍କ ମଧ୍ୟରେ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ନିମନ୍ତେ ‘ଉପକୂଳର ସୁରକ୍ଷିତ ପରିବେଶ ବଜାୟ ରଖିବା ଦିଗରେ ଉଭୟ ଦେଶର ଦାୟିତ୍ବ ରହିଛି’ ବୋଲି ସିଂହ ଜୋର୍ ଦେଇଥିଲେ । ପ୍ରତିବଦଳରେ ଲେଫ୍ଟନାଣ୍ଟ୍ ଜେନେରାଲ ରିଚାର୍ଡ କହିଥିଲେ, ଭାରତ ମହାସାଗରର ସାମୁଦ୍ରିକ ଅଞ୍ଚଳରେ ସୁରକ୍ଷା ବଜାୟ ରଖିବା କ୍ଷେତ୍ରରେ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପୂର୍ବରୁ ଭାରତର ମାନବିକ ସହାୟତା ପାଇଁ ଧନ୍ୟବାଦ ଜଣାଇ ମାଡ଼ାଗାସ୍କାର ରାଷ୍ଟ୍ରପତି ରାଜୋଲିନା କରିଥିବା ଏକ ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଥିଲେ, “ଭାରତ ମହାସାଗର ଜରିଆରେ ମାଡ଼ାଗାସ୍କାର ସହ ସଂଯୁକ୍ତ ଭାରତ ମାଡ଼ାଗାସ୍କାରର ସୁଖଦୁଃଖରେ ସାମିଲ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଅଞ୍ଚଳରେ ସମସ୍ତଙ୍କ ପାଇଁ ସୁରକ୍ଷା ଓ ସମୃଦ୍ଧି ବା ‘ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଅଫ୍ ଅଲ୍ ଇନ୍ ଦି ରିଜିଅନ୍’ (‘ସାଗର’) ପାଇଁ ଆପଣଙ୍କ ସହ କାର୍ଯ୍ୟ କରିବା ଲାଗି ମୁଁ ଇଚ୍ଛୁକ ।”
ଜିବୁତିରେ ପ୍ରତିରକ୍ଷା ଘାଟୀ ସ୍ଥାପନ କରି ପଶ୍ଚିମ ଭାରତ ମହାସାଗର ଅଞ୍ଚଳରେ ଚୀନ ଏହାର ସାମରିକ ଶକ୍ତି ଜାହିର କରୁଥିବା ବେଳେ ଭାରତ ଆଫ୍ରିକୀୟ ଦେଶଗୁଡ଼ିକୁ ସାମରିକ ସହଯୋଗ ଯୋଗାଇବା ରଣନୀତିକୁ ତ୍ବରାନ୍ବିତ କରିଛି । ଏହି ରଣନୀତିକୁ ଆଗେଇ ନେବା ପାଇଁ, 2020 ଫେବ୍ରୁଆରୀ 6 ତାରିଖ ଦିନ ଲକ୍ଷ୍ନୌରେ ଆୟୋଜିତ ଦ୍ବିବାର୍ଷିକ ପ୍ରତିରକ୍ଷା ପ୍ରଦର୍ଶନୀର 11ଶ ସଂସ୍କରଣ-ଡିଫ ଏକ୍ସପୋ ଇଣ୍ଡିଆ 2020 ଅବସରରେ ଭାରତ ଓ ଆଫ୍ରିକା ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ ଆୟୋଜିତ ହୋଇଥିଲା । ବିଗତ ବର୍ଷଗୁଡ଼ିକରେ ନାଇଜେରିଆ, ଇଥିଓପିଆ ଏବଂ ତାଞ୍ଜାନିଆରେ ଭାରତ କେତେକ ପ୍ରତିରକ୍ଷା ଏକାଡେମୀ ଓ କଲେଜ ସ୍ଥାପନ କରିଛି ଏବଂ ବୋତ୍ସ୍ବାନା, ନାମିବ୍ୟା, ଉଗାଣ୍ଡା, ଲେସୋଥୋ, ଜାମ୍ବିଆ, ମରିସସ୍, ସିଚେଲେସ୍, ତାଞ୍ଜାନିଆରେ ପ୍ରଶିକ୍ଷକ ଟିମ୍ ମୁତୟନ ଏବଂ ସଦିଚ୍ଛାମୂଳକ ଜାହାଜ ଯାତ୍ରା ସହିତ ପ୍ରତିରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛି । ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ବୈଠକ ପରେ ଜାରି ମିଳିତ ବିବୃତିରେ କୁହାଯାଇଥିଲା ଯେ, “2019ରେ ମୋଜାମ୍ବିକ୍ରେ ସଂଘଟିତ ଇଡାଇ ଘୂର୍ଣ୍ଣିଝଡ଼ ସମୟରେ ଭାରତୀୟ ପ୍ରତିରକ୍ଷା ବାହିନୀର ମାନବିକ ସହାୟତା ଏବଂ ବିପର୍ଯ୍ୟୟ ସହାୟତା ଅଭିଯାନ ସହିତ 2018ରେ ଫସି ରହିଥିବା 41ଟି ଦେଶର ଲୋକଙ୍କୁ ଜିବୁତି ବାଟ ଦେଇ ଉଦ୍ଧାର ଅଭିଯାନ ଏବଂ ବର୍ଷ ବର୍ଷ ଧରି ଏଭଳି ଅନ୍ୟାନ୍ୟ ଅଭିଯାନରେ ଭାରତୀୟ ପ୍ରତିରକ୍ଷା ବାହିନୀର ଅବଦାନକୁ ମଧ୍ୟ ଆମେ ସ୍ବୀକାର କରୁଛୁ । ଆତଙ୍କବାଦ ଏବଂ ଚରମପନ୍ଥା ସହିତ ଜଳଦସ୍ୟୁ ଆତଙ୍କ, ମାନବ ଚାଲାଣ, ଡ୍ରଗ୍ କାରବାର ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଭଳି ସଂଗଠିତ ଅପରାଧ ଉଭୟ ଦେଶର ସୁରକ୍ଷା କ୍ଷେତ୍ର ପାଇଁ ଚିନ୍ତାର ବିଷୟ ହୋଇଥିବାରୁ ଏ ଦିଗରେ ଉତ୍ତମ ପ୍ରତିରକ୍ଷା ସହଯୋଗ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀରେ ସ୍ଥିର କରାଯାଇଥିଲା । ଆନୁଷ୍ଠାନିକ ବିବୃତିରେ କୁହାଯାଇଥିଲା ଯେ, “ଦୀର୍ଘସ୍ଥାୟୀ ଏବଂ ପାରସ୍ପରିକ ହିତସାଧନ ବ୍ୟବସ୍ଥା ଅନୁସାରେ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଉପକରଣ ସଫ୍ଟୱେୟାର, ଡିଜିଟାଲ ଡିଫେନ୍ସ, ଗବେଷଣା ଏବଂ ଉନ୍ନତି, ପ୍ରତିରକ୍ଷା ଉପକରଣ, ଯନ୍ତ୍ରାଂଶ ଏବଂ ସେଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରାବଧାନ ଲାଗି ମିଳିତ ଉଦ୍ୟୋଗ ସମେତ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଗଭୀର ସହଯୋଗର ଆବଶ୍ୟକତା ରହିଛି ବୋଲି ଆମେ ଅନୁଭବ କରୁଛୁ ।”
ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ଏହି ବାର୍ତ୍ତାଳାପରେ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ଦର୍ଶାଇଛନ୍ତି ଯେ, ପ୍ରଗତିଶୀଳ ଅର୍ଥନୀତି ସଂପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା କ୍ଷମତାର କାୟା ପରିବର୍ତ୍ତନରେ ଭାରତ ସହାୟତା ଦେଇପାରିବ । ଇତ୍ୟବସରରେ, ଏ ବର୍ଷ ଜୁନ୍ 26ରେ ମାଡ଼ାଗାସ୍କାରର ସ୍ବାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମାଡ଼ାଗାସ୍କାର
ନିମନ୍ତ୍ରଣ କରିଛି ।
ପ୍ରଶ୍ନ-1 ଆମକୁ କହିବେ କି ନିକଟରେ ହୋଇଥିବା ବିଭିନ୍ନ ଘୂର୍ଣ୍ଣିଝଡ଼ ଯୋଗୁଁ ମାଡ଼ାଗାସ୍କାରରେ କେତେ କ୍ଷୟକ୍ଷତି ହୋଇଥିଲା ?
ଲେଫ୍ଟନାଣ୍ଟ୍ ଜେନେରାଲ ରିଚାର୍ଡ - ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିଲା ଏବଂ ବହୁ ଧନଜୀବନ ହାନି ହୋଇଥିଲା । ସରକାରୀ ଭାବେ ମାଡ଼ାଗାସ୍କାରରେ ଏକୋଇଶି ଜଣପ୍ରାଣ ହରାଇଛନ୍ତି, କୋଡ଼ିଏ ଜଣ ନିଖୋଜ ଅଛନ୍ତି ଏବଂ ପାଖାପାଖି 80,000 ଲୋକ ବାସହରା ହୋଇଛନ୍ତି ।
ପ୍ରଶ୍ନ-2 ପ୍ରଥମେ ପହଞ୍ଚିଥିବା ଭାରତର ସହାୟତା କେତେ ତାତ୍ପର୍ଯ୍ୟପୂର୍ଣ୍ଣ ? ଆଗକୁ ନୂଆଦିଲ୍ଲୀ ପାଖରୁ ଆପଣ କ’ଣ ଆଶା କରନ୍ତି ?