ଇସଲାମାବାଦ: କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆମେରିକା ନିକଟରେ ଗୁହାରି କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାର ସମୟ ଆସିଯାଇଛି ବୋଲି ସେ ଟ୍ବିଟ କରି କହିଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@ImranKhanPTI ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । କାରଣ କାଶ୍ମୀରରେ ଏବେ ସ୍ଥିତି ଅସମ୍ଭାଳ ହେଉଛି ଏବଂ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ କରୁଛନ୍ତି।
ଏହାପରେ ସେ ଆଉ ଏକ ଟ୍ବିଟ କରି କହିଛନ୍ତି, କାଶ୍ମୀର ବାସୀଙ୍କ ପାଇଁ ଦୁଃଖର ଲମ୍ବା ରାତିକୁ ସମାପ୍ତ କରିବାର ସମୟ ଆସି ଯାଇଛି। ସେ ମିଳିତ ଜାତିସଂଘର ସୁରକ୍ଷା ପରିଷଦକୁ ନିଜର ଅଧିକାରକୁ ଉପଯୋଗ କରିବାକୁ ଅପିଲ କରିଛନ୍ତି ଏବଂ କାଶ୍ମୀରରେ ଶାନ୍ତି ସ୍ଥାପନ ପାଇଁ କୌଣସି ମହତ୍ଵପୂର୍ଣ୍ଣ ପଦକ୍ଷେପ ଉଠାଇବାକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କାଶ୍ମୀରର ଶାନ୍ତିପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଚୁକ୍ତିନାମା ହିଁ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ପାଇଁ ଏକ ମାତ୍ର ମାର୍ଗ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ କାଶ୍ମୀର ଲୋକଙ୍କୁ ଆତ୍ମନିର୍ଣ୍ଣୟର ଅଧିକାର ପ୍ରଦାନ କରିବା ଉଚିତ । ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ଏବଂ ସୁରକ୍ଷା ପାଇଁ ଏକ ମାତ୍ର ମାର୍ଗ ହେଉଛି କାଶ୍ମୀରର ସ୍ଥାୟୀ ସମାଧାନ ।