ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଦେଶର ରାଜନୀତି ସରଗରମ ରହିଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ଚାଲିଛି ଟଣାଓଟରା । ନାଥୁରାମଙ୍କୁ ଦେଶଭକ୍ତ କହିଥିବା ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରତି ଖପ୍ପା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯଦିଓ ପ୍ରଜ୍ଞା ତାଙ୍କ ମନ୍ତବ୍ୟ ନେଇ କ୍ଷମା ମାଗିଛନ୍ତି, କିନ୍ତୁ ତାଙ୍କୁ ହୃଦୟର ସହ କେବେ କ୍ଷମା କରିବି ନାହିଁ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@BJP4India ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@BJP4India ଭାରତୀୟ ଜନତା ପାର୍ଟିର ଟ୍ୱିଟର ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ବୟାନ ଦେଇ କହିଛନ୍ତି, ମହାତ୍ମା ଗାନ୍ଧୀ ଓ ନାଥୁରାମ ଗଡସେଙ୍କୁ ନେଇ ଯାହା ବି ବାୟାନ ବାଜି ହୋଇଛି ତାହା ଅତି ଭୟଙ୍କର । ଏହା ସହ ସେ କହିଛନ୍ତି ଯେ ଏପରି ବୟାନ ସମ୍ପୂର୍ଣ୍ଣ ରୂପେ ଘୃଣ୍ୟ ଓ ସଭ୍ୟ ସମାଜରେ ଏପରି କଥାବାର୍ତ୍ତା ଅକ୍ଷମଣୀୟ । ଏନେଇ ପ୍ରଜ୍ଞା ଓ ଅନନ୍ତ ହେଗଡେ କ୍ଷମା ମାଗିଥିଲେ ମଧ୍ୟ ମୁଁ କେବେ ତାଙ୍କୁ କ୍ଷମା କରି ପାରିବି ନାହିଁ ।
ସୂଚନା ଯୋଗ୍ୟ ଯେ ସାଧ୍ୱୀ ଗୁରୁବାର ନିଜର ଏକ ବୟାନରେ କହିଥିଲେ ଯେ ନାଥୁରାମ ଗଡସେ ଦେଶଭକ୍ତ ଥିଲେ, ଅଛନ୍ତି ଓ ସର୍ବଦା ରହିବେ । ଯାହା ପରେ ବିରୋଧୀଙ୍କୁ ବିଜେପି ଉପରେ ତାତ୍ସଲ୍ୟ କରିବାକୁ ମୌକା ମିଳିଯାଇଥିଲା । ଯଦିଓ ଏହା ପରେ ପ୍ରଜ୍ଞା କ୍ଷମା ମାଗିଥିଲେ, କିନ୍ତୁ ସେତେବେଳକୁ ବିବାଦ ଗମ୍ଭୀର ରୂପ ନେଇ ସାରିଥିଲା ।
କେବଳ ସେତିକି ନୁହେଁ କ୍ୟାବିନେଟ ମନ୍ତ୍ରୀ ଅନନ୍ତ ହେଗଡେ ସାଧ୍ବୀଙ୍କ ପକ୍ଷ ନେଇ ଟ୍ବିଟ କରି ଲେଖିଥିଲେ ଏହି ସମୟରେ ଚାଲିଥିବା ସାର୍ଥକ ବାଦ ବିବାଦକୁ ନେଇ ଗଡସେ ଖୁସି ହୋଇଥିବେ । କିନ୍ତୁ ଏହା ପରେ ସେ ନିଜ ବୟାନରୁ ଓହରି ଯାଇଥିଲେ ଓ କହିଥିଲେ ମୋ ଟ୍ୱିଟର ହ୍ୟାକ ହୋଇଛି ।
ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଏସବୁ ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ ଏହାସହ ଦଳର କୌଣସି ସମ୍ପର୍କ ନାହିଁ । ତେବେ ବିଜେପି ଅନୁଶାସନ କମିଟି ଏହା ଉପରେ ନିଶ୍ଚୟ କାର୍ଯାନୁଷ୍ଠାନ ନେବ ବୋଲି କହିଛନ୍ତି ଅମିତ ଶାହ ।