ଓଡିଶା

odisha

ETV Bharat / bharat

ଏମାନେ ହେବେ କିଙ୍ଗମେକର !

2019ର କିଙ୍ଗମେକର କିଏ ? କ’ଣ ହେବ କିଙ୍ଗମେକରଙ୍କ ଭୂମିକା । ଏନଡିଏ କିମ୍ବା ୟୁପିଏକୁ ବହୁମତ ନମିଳିଲେ ଚମକିବେ କିଙ୍ଗମେକର । 23 ଫଳଫଳ ପୂର୍ବରୁ କିଙ୍ଗମେକରଙ୍କୁ ନେଇ ଚର୍ଚ୍ଚା ।

By

Published : May 9, 2019, 2:55 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: 5ଟି ପର୍ଯ୍ୟାୟର ମତଦାନ ସରିଛି । ବାକିଅଛି ଆଉ ଦୁଇ ପର୍ଯ୍ୟାୟ ମତଦାନ । ଆଉ ଏହାରି ଭିତରେ କେନ୍ଦ୍ରରେ କିଏ ସରକାର ଗଢିବ, ସେ ନେଇ ଅଙ୍କକଷା ବି ଚାଲିଛି । ଯଦିଓ ସଂଖ୍ୟା ଗରିଷ୍ଠତା ନେଇ ଏନଡିଏ ଓ ୟୁପିଏ ଦମ୍ଭୋକ୍ତି କରୁଛନ୍ତି, ତଥାପି ବି କାହାକୁ ଏଥର ସଂଖ୍ୟା ଗରିଷ୍ଠତା ମିଳିନପାରେ ବୋଲି ରାଜନୈତିକ ସମୀକ୍ଷକ ପୂର୍ବାନୁମାନ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି କିଙ୍ଗମେକର ।

କିଙ୍ଗ କିଏ ହେବ, ତାହା ଏକ ଭିନ୍ନ ପ୍ରସଙ୍ଗ । କିନ୍ତୁ ଯଦି ଏନଡିଏ କିମ୍ବା ୟୁପିଏକୁ ସଂଖ୍ୟାଗରିଷ୍ଠତା ନମିଳେ, ତେବେ ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଇବେ କିଙ୍ଗମେକର । ଆଉ 2019 ନିର୍ବାଚନରେ କିଙ୍ଗମେକରଙ୍କ ଲମ୍ବା ଲାଇନ । ଯେଉଁଥିପାଇଁ କିଙ୍ଗ ଏବଂ କିଙ୍ଗମେକର ଭିତରେ ତଫାତଟିଏ ବୁଝିବା ବି କାଠିକର ପାଠ ହୋଇଛି । ଏପରିକି ଝୁଲା ସରକାରର ସ୍ଥିତି ଉପୁଜିଲେ, ଏବେ କିଙ୍ଗମେକର ଭାବରେ ବାହାରକୁ ପ୍ରତୀତ ହେଉଥିବା ନେତା ରାତାରାତି କିଙ୍ଗ ହୋଇଯାଇପାରନ୍ତି ।

ତେବେ 2019ର କିଙ୍ଗମେକର କିଏ ? ଚର୍ଚ୍ଚାର ପ୍ରଥମରେ ଆସୁଛନ୍ତି ବୁଆ-ବବୁଆ । 2014ରେ ବିପର୍ଯ୍ୟୟ ସାମ୍ନା କରିଥିବା ଏହି ଦୁଇ ନେତାଙ୍କ ଭୂମିକା ଏବେ ବେଶ ଗୁରୁତ୍ବପୂର୍ଣ୍ଣ । ହାତରେ ହାତ ମିଶିଛି । ସ୍ଥିତି ବି ବଦଳି ଯାଇଛି । 2014 ସାଧାରଣ ନିର୍ବାଚନରେ ମାତ୍ର 5 ଆସନ ପାଇଥିଲା ଏସପି । ଖାତା ଖୋଲିନଥିଲା ବିଏସପି । ହେଲେ ଏଥର ଉଭୟ ଦଳ ମଧ୍ୟରେ ଗଠବନ୍ଧନ ହୋଇଥିବାରୁ ଉତ୍ତରପ୍ରଦେଶ ରାଜନୀତିରେ କିଛି ବି ହୋଇପାରେ । ଯେଉଁଥିପାଇଁ ଉଭୟ ଏସପି ମୁଖ୍ୟ ଅଖିଲେଶ ଏବଂ ବିଏସପି ମୁଖ୍ୟ ମାୟାବତୀ 2019ର କିଙ୍ଗମେକର !

ଦ୍ବିତୀୟରେ ଓଡିଶାର ମୁଖ୍ୟମନ୍ତ୍ରୀ । ଯଦିଓ 2014ରେ ବିପୁଳ ବିଜୟ ପାଇଥିଲା ବିଜେଡି, ତଥାପି ବି ଏନଡିଏକୁ ବହୁମତ ମିଳିଥିବାରୁ ଜାତୀୟ ସ୍ତରରେ ବିଜେଡିର ଦବଦବା ରହିନଥିଲା । ଓଡିଶାର 21 ଆସନରୁ 20ରେ କ୍ଲିନ ସୁଇପ କରିଥିଲା ଦଳ । ହେଲେ ଏଥର ସ୍ଥିତି ଭିନ୍ନ । ହୁଏତ 2014 ଭଳି ଏତେ ଅଧିକ ଆସନ ମିଳିନପାରେ । କିନ୍ତୁ ଜାତୀୟ ରାଜନୀତିରେ ନବୀନ ହୋଇପାରନ୍ତି କିଙ୍ଗମେକର । ଦେଶର ଅନ୍ୟ ଆଞ୍ଚଳିକ ଦଳର ନଜର ବି ନବୀନଙ୍କ ଉପରେ । ‘ଫନି’ ନାଁ ନେଇ ମୋଦି ବି ନବୀନଙ୍କୁ ପ୍ରଂସଶାରେ ପୋତି ପକାଇବା ଘଟଣାରୁ କେହିକେହି ଭିନ୍ନ ଦୃଷ୍ଟିରେ ବୁଝୁଛନ୍ତି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 2019 ନିର୍ବାଚନରେ ବୋଧେ ଉପା ଅପେକ୍ଷା ମୋଦି ବିରୋଧୀ ସ୍ବରକୁ ଏ ଦୁଇ ନେତା ବେଶି ଶାଣିତ କରିଛନ୍ତି । ଜାତୀୟ ରାଜନୀତିରେ ଏମାନଙ୍କ ଦବଦବା ବି ରହିଛି । ମୋଦି-ମମତା ବିବାଦ ତ ଦାଣ୍ଡରେ ପଡି ହାଟରେ ଗଡୁଛି । ଏନଡିଏର ସବୁ ଖେଳକୁ ବିଗାଡିଦେବା ସତେଯେମିତି ଏଦୁଇ ନେତାଙ୍କ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ପଶ୍ଚିମବଙ୍ଗରେ ଟିଏମସି ପାଇଁ ଚନ୍ଦ୍ରବାବୁଙ୍କ ପ୍ରଚାର କିଛି ଭିନ୍ନ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏଭଳି ବି ଚର୍ଚ୍ଚା ହେଉଛି, କିଙ୍ଗମେକର ନୁହେଁ ଦେଶର କିଙ୍ଗ ହେବାକୁ ସ୍ବପ୍ନ ଦେଖୁଛନ୍ତି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ୱାଇଏସଆର କଂଗ୍ରେସ ମୁଖ୍ୟ ୱାଇଏସ ଜଗମୋହନ ରେଡ୍ଡି ବି 2019ର କିଙ୍ଗମେକର ଲିଷ୍ଟରେ ରହିଛନ୍ତି । ଏଥର ଆନ୍ଧ୍ରରେ ୱାଇଏସଆର କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ସେହିପରି ବିଧାନସଭା ନିର୍ବାଚନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଜାତୀୟ ରାଜନୀତି ଉପରେ ବେଶି ଫୋକସ କରୁଛନ୍ତି । 2019 ଲୋକସଭା ନିର୍ବାଚନରେ ଏମାନଙ୍କ ଭୂମିକା ବି କିଛି କମ ନୁହେଁ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯଦିଓ ଏମାନଙ୍କ ମଧ୍ୟରୁ ଅନେକଙ୍କ ମୁଖ୍ୟ ଲକ୍ଷ୍ୟ ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା, ତଥାପି ମଧ୍ୟ ରାହୁଲଙ୍କୁ ଏକ ପରିପକ୍ବ ରାଜନେତା ଭାବରେ ଗ୍ରହଣ କରିବାକୁ ଏମାନ ନାରାଜ । ଏଭଳି ସ୍ଥିତିରେ ଏ ସମସ୍ତ କିଙ୍ଗମେକରଙ୍କ ଭୂମିକା ଏକ ରୋଚକ ସ୍ଥିତିରେ । କିଙ୍ଗ ହେବାକୁ ଥିବା ନେତାଙ୍କ ପାଇଁ ଏମାନେ କିଙ୍ଗମେକର ସାଜିବେ ନା କିଙ୍ଗମେକରଙ୍କ ମଧ୍ୟରୁ ଜଣଙ୍କୁ କିଙ୍ଗ ବନାଇବେ। ଆସନ୍ତା 23ରେ ନିର୍ବାଚନର ଫଳାଫଳ ବାହାରିବ। ସମସ୍ତଙ୍କ ନଜରରେ ଏ ସମସ୍ତ କିଙ୍ଗମେକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details