ଓଡିଶା

odisha

By

Published : Dec 8, 2019, 2:15 AM IST

ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର: କାଠଗଡାରେ ଛିଡା ହୋଇଥିବା ପୋଲିସକୁ ଜନ ସମର୍ଥନ

ହାଇଦ୍ରାବାଦ ଏନକାଉଣ୍ଟର ପରେ କାଠଗଡାରେ ଛିଡା ହୋଇଥିବା ପୋଲିସ ପଛରେ ରହିଛି ଜନ ସମର୍ଥନ । କ୍ଷୀର ଢାଳି ମିଠା ଖୁଆଇ ତେଲେଙ୍ଗାନା ପୋଲିସର କରୁଛନ୍ତି ପ୍ରଶଂସା । ଅଧିକ ପଢନ୍ତୁ...

ହାଇଦ୍ରାବାଦ ଏନକାଉଣ୍ଟର
ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ହାଇଦ୍ରାବାଦ ଏନକାଉଣ୍ଟର ପରେ ଏବେ କାଠଗଡାରେ ତେଲେଙ୍ଗାନା ପୋଲିସ । ଏନକାଉଣ୍ଟରକୁ ନେଇ ଅନେକ ପୋଲିସକୁ ପ୍ରଶଂସା କରୁଥିବାବେଳେ ଅନେକ ଆଙ୍ଗୁଳି ଉଠାଇଛନ୍ତି । ଦେଶ ନ୍ୟାୟିକ ପ୍ରକ୍ରିୟା ଓ ସମ୍ବିଧାନ ଆଧାରରେ ଚାଲୁଥିବା ବେଳେ ଆଇନକୁ ହାତକୁ ନେବା ପୋଲିସ ପାଇଁ କେତେ ଦୂର ଯୁକ୍ତିଯୁକ୍ତ ସେ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି କିଛି ଲୋକ । କେହି କେହି ଆଇନ କାନୁନର ଉଦାହରଣ ଦେଉଥିବା ବେଳେ ଆଉ କେହି ଏହାକୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଆକ୍ଷେପ କରୁଛନ୍ତି । ଅନେକ ମାନବାଧିକାର କଥା ଉଠାଉଛନ୍ତି । ସବୁ ବାଦ ପ୍ରତିବାଦ ସତ୍ତ୍ବେ ହାଇଦ୍ରାବାଦର ଜନସାଧାରଣ କିନ୍ତୁ ତେଲେଙ୍ଗାନା ପୋଲିସର ଏପରି କାର୍ଯ୍ୟକୁ ପ୍ରଶଂସା କରିଆସୁଛନ୍ତି ।

ମହିଳା ପଶୁ ଚିକିତ୍ସକଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ପରେ ମୃତଦେହ ଜଳାଯିବା ଘଟଣାକୁ ନେଇ ବେଶ କିଛି ଦିନ ହାଇଦ୍ରାବାଦରେ ଜନ ଆକ୍ରୋଶ ଲାଗି ରହିଥିଲା । ସମସ୍ତେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଥିଲେ । ହେଲେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରଠୁ ତେଲେଙ୍ଗାନା ପୋଲିସ ଉପରେ ଲୋକଙ୍କର ବିଶ୍ବାସ ବଢିଥିବା ଲକ୍ଷ୍ୟ କରାଯାଉଛି । ପୋଲିସର ଏପରି ପଦକ୍ଷେପ ପାଇଁ କିଏ ସାବାସୀ ଦେଉଛି ତ ଆଉ କିଏ କରୁଛି ଗୋଲାପ ବର୍ଷା । ବ୍ୟବସାୟୀଙ୍କଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ହାଇଦ୍ରାବାଦ ପୋଲିସକୁ ଉପହାର ସ୍ବରୂପ ଦେଇଛନ୍ତି ଅର୍ଥରାଶି । କେବଳ ଏତିକି ନୁହେଁ ଶନିବାର କର୍ଣ୍ଣାଟକର ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଇବରାବାଦ ପୋଲିସ କମିଶନର ସିପି ସଜ୍ଜନରଙ୍କ ଫଟୋ ଉପରେ ଦୁଗ୍ଧ ଢଳାଯିବା ସହ ପୋଲିସକର୍ମୀଙ୍କୁ ମିଠା ଖୁଆଯାଇଥିବା ଦେଖିବାକୁ ମିଳିଛି । ଦେଶରେ ଏବେ ପର୍ଯ୍ୟନ୍ତ ବି ଅନେକ ଦୁଷ୍କର୍ମ ଘଟଣା କୋର୍ଟର ଫାଇଲ ତଳେ ଚାପି ହୋଇ ରହିଥିବା ବେଳେ ଅନେକ ପୀଡିତା ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି । ନିର୍ଭୟା ଘଟଣା କିଛି ବର୍ଷ ତଳେ ଦେଶକୁ ଦୋହଲାଇ ଦେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉଚିତ୍‌ ନ୍ୟାୟ ଅପେକ୍ଷାରେ ବାପା ମା' । ମାତ୍ର ଦିଶା ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ନିର୍ଭୟା ପୀଡିତାଙ୍କ ମାଆ ନିଜ ଝିଅର ଦୋଷୀଙ୍କୁ ଶୀଘ୍ର ଫାଶି ପାଇଁ ଦାବି କରିଛନ୍ତି ।

ଅନ୍ୟପକ୍ଷେ ଏନକାଉଣ୍ଟର ପରେ ଏବେ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ହାଇଦ୍ରାବାଦ ପୀଡିତାଙ୍କ ପିତା ବୟାନ ଦେଇଛନ୍ତି । ଏବେ ଜନ ଭାବନା ଶୀଘ୍ର ନ୍ୟାୟ ପାଇଁ ଦାବି କରୁଛି । ଦୋଷୀଙ୍କ ମନରେ ଏକ ଭୟ ଜାଗ୍ରତ କରିବାକୁ ତେଲେଙ୍ଗାନା ପୋଲିସର ଏନକାଉଣ୍ଟରକୁ ଅନେକ ସଠିକ୍‌ ଦର୍ଶାଇଛନ୍ତି । ସେପଟେ ଏହି ଏନକାଉଣ୍ଟର ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଏନକାଉଣ୍ଟରରେ ସାମିଲ ପୋଲିସ କର୍ମୀଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିବା ସହ ଘଟଣାର ନିରପେକ୍ଷ ଯାଞ୍ଚ କରାଯାଉ ବୋଲି ଓକିଲମାନେ ଦାବି କରିଛନ୍ତି । ଏହାସହ ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନରଙ୍କ ବିରୁଦ୍ଧରେ ଯାଞ୍ଚ ହେଉ ବୋଲି ଦାବି ଉଠିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ନିୟମର ବିରୁଦ୍ଧ ବୋଲି ଯାଚିକାରେ କୁହାଯାଇଛି । ତେବେ ଉକ୍ତ ଘଟଣାର ଶୁଣାଣୀ ସୋମବାର ତେଲେଙ୍ଗାନା ହାଇକୋର୍ଟ ମଧ୍ୟ କରିବେ । ତେଲେଙ୍ଗାନା ପୋଲିସର ଏହି ଏନକାଉଣ୍ଟର କେତେ ଦୂର ସଠିକ ତାହା ଯାଞ୍ଚ ପରେ ଜଣାପଡିବ । ଏହି ଦୁଷ୍କର୍ମ ଘଟଣା ପରେ ଛାତିରେ ଭୟକୁ ନେଇ ନିଜ ଝିଅର ସୁରକ୍ଷା ପାଇଁ ଚିନ୍ତିତ ହାଇଦ୍ରାବାଦ ସହରର ପିତାମାତାଙ୍କ ସମେତ ଜନସାଧାରଣ ଆଜି ତେଲେଙ୍ଗାନା ପୋଲିସ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଥିବା ପରିଲକ୍ଷିତ ହେଉଛି ।

ABOUT THE AUTHOR

...view details