ହାଇଦ୍ରାବାଦ: କୋରୋନା ଭୟ ପୁଣି ନେଲା ଆଉ ଏକ ଜୀବନ । ହାଇଦ୍ରାବାଦ ରାମାନ୍ଥପୁର ଅଞ୍ଚଳର ଜଣେ 60 ବର୍ଷର ବ୍ୟକ୍ତି କୋରୋନା ଭୟରେ ନିଜ ଆପାର୍ଟମେଣ୍ଟ ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ହେଲେ ଭାସିରାଜୁ କ୍ରୀଷ୍ଣା ମୂର୍ତ୍ତୀ ।
କ୍ରୀଷ୍ଣା ମୂର୍ତ୍ତୀ ନିଜ ଭିତରେ କୋରୋନା ଭାଇରସ ଲକ୍ଷଣ ଦେଖାଯାଉଥିବା ଭାବି ନିଜ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ଡେଇଁପଡିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଖବର ପାଇ ପୋଲିସ ମୃତଦେହକୁ ଜବତ କରି ପରୀକ୍ଷା ପାଇଁ ପଠାଇଥିବା ବେଳେ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରିଛି ।
ଭାସିରାଜୁ କ୍ରୀଷ୍ଣା ମୂର୍ତ୍ତୀଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ସେ ଗ୍ୟାଷ୍ଟ୍ରିକ୍ ଏବଂ ଥକାପଣଜନିତ ସମସ୍ୟାରେ ପୀଡିତ ଥିଲେ । ଯେଉଁକାରଣରୁ ସେ କୋଭିଡ-19ରେ ସଂକ୍ରମିତ ହେବା ନେଇ ସନ୍ଦେହ କରୁଥିଲେ । ଏଥିପାଇଁ ଗତ କିଛି ଦିନ ପୂର୍ବରୁ ସେ ସରକାରୀ ଡାକ୍ତରଖାନା କିଙ୍ଗ କୋଟିକୁ ଯାଇ ଡାକ୍ତରଙ୍କୁ ଭେଟିଥିଲେ । ହେଲେ ଡାକ୍ତରଙ୍କ ତାଙ୍କ ଭିତରେ କୋରୋନା ଲକ୍ଷଣ ନଥିବା କହିଥିଲେ । ହେଲେ ସେ ଡାକ୍ତରଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ ନିଜ ପରିବାର ଲୋକଙ୍କୁ କୋଭିଡ 19 ସ୍କ୍ରିନିଂ ପାଇଁ ଗାନ୍ଧୀ ହସ୍ପିଟାଲ ନେବାକୁ କହିଥିଲେ । ଶନିବାର ସକାଳେ ପରିବାର ଲୋକେ ତାଙ୍କୁ ସ୍କ୍ରିନିଂ ପାଇଁ ଡାକ୍ତରଖାନା ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ବ୍ୟକ୍ତି ଜଣକ ତାଙ୍କ ଆପାର୍ଟମେଣ୍ଟର ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଥିଲେ ।