ସେମାନଙ୍କ ପାଖରେ ଶକ୍ତି ଓ କ୍ଷମତା ଅଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନେ ସାରା ବିଶ୍ବରେ ଶ୍ରେଷ୍ଠ । ତଥାପି, ଏକ ଅଣୁଜୀବ ସାରା ଦେଶକୁ ଥରହର କରିଦେଇଛି । ବିଶ୍ବର ଶ୍ରେଷ୍ଠତମ ଶକ୍ତି, ଏବେ ଏମିତି ଛଟପଟ ହେଉଛି, ଯେମିତି ଆଗରୁ କେବେ ହୋଇ ନଥିଲା । ମହାମାରୀ ମୁକାବିଲା ପ୍ରସ୍ତୁତି ସୂଚକରେ 83.5 ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ଯୁକ୍ତରାଷ୍ଟ୍ର ଆମେରିକା, କୋଭିଡ୍-19 ଆଗରେ ଶୋଚନୀୟ ଭାବେ ବିଫଳ ହୋଇଛି । ସର୍ବବ୍ୟାପୀ ମହାମାରୀ ସଂପର୍କିତ ସମସ୍ତ ପୂର୍ବ ସଙ୍କେତ ଏବଂ ଚେତାବନୀ ପାଇଥିବା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକା ଏହାର ବ୍ୟାପ୍ତିକୁ ନିୟନ୍ତ୍ରଣ କରିପାରି ନାହିଁ । ବିଶ୍ଲେଷକମାନଙ୍କ ମତରେ, ଅର୍ଥନୈତିକ ମାନ୍ଦାବସ୍ଥାର ଆଶଙ୍କା, ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସେମାନଙ୍କର ଅତ୍ୟଧିକ ଆତ୍ମବିଶ୍ବାସ ଏବଂ ପର୍ଯ୍ୟାପ୍ତ ସତର୍କତାମୂଳକ ପଦକ୍ଷେପ ନେବାରେ ବିଳମ୍ବ ହିଁ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନର କାରଣ । ନିଜକୁ ଯୁଦ୍ଧକାଳୀନ ରାଷ୍ଟ୍ରପତି ରୂପେ ବର୍ଣ୍ଣନା କରୁଥିବା ଟ୍ରମ୍ପ୍, ଏହି ଭୂତାଣୁର ପ୍ରାଦୁର୍ଭାବ ସଂପର୍କିତ ସମସ୍ତ ବିଜ୍ଞାନସମ୍ମତ ପ୍ରମାଣ ଏବଂ ତଥ୍ୟକୁ ଆରମ୍ଭରୁ ଅଣଦେଖା କରିଥିଲେ । ତାଙ୍କର ଦୁର୍ବଳ ପଦକ୍ଷେପ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଆଜି ଘୋର ସଂକଟରେ ପଡ଼ିଛି ।
ଏହି ଭୂତାଣୁ ସଂକ୍ରମଣ କାରଣରୁ ଅନେକ ସମୃଦ୍ଧ ଓ ଅତ୍ୟାଧୁନିକ ରାଷ୍ଟ୍ର ଆଜି ଟଳମଳ ସ୍ଥିତିରେ ଅଛନ୍ତି । ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ । ସମୀକ୍ଷକ ମାନେ କହନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଶାସନତନ୍ତ୍ରରେ ଶିଥିଳତା, ରୋଗ ପରୀକ୍ଷଣ ସରଞ୍ଜାମ ଏବଂ ଉପକରଣର ଅଭାବ ଏବଂ ସଂଘୀୟ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟର ଅଭାବ ହିଁ ପ୍ରମୁଖ ସମସ୍ୟାରେ ପରିଣତ ହୋଇଛି । ଗତ ସପ୍ତାହ ଶେଷ ସୁଦ୍ଧା, ଦକ୍ଷିଣ କୋରିଆରେ ପ୍ରତି 10,00000 ଲୋକଙ୍କ ମଧ୍ୟରୁ 8,000 ଜଣଙ୍କର ପରୀକ୍ଷଣ ହୋଇଥିବା ବେଳେ ଆମେରିକାରେ ମାତ୍ର 3,300 ବ୍ୟକ୍ତିଙ୍କର ପରୀକ୍ଷଣ ହୋଇଥିଲା । ଏହି ଭୂତାଣୁ ବିରୋଧରେ ଲଢ଼ିବାକୁ ସାରା ଦେଶରେ ଲାଗୁ ହେଲା ଭଳି ଗୋଟିଏ ହେଲେ ଜାତୀୟ ନୀତି ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ଆମେରିକାର ଅନେକ ରାଜ୍ୟରେ ଏ ପର୍ଯ୍ୟନ୍ତ ଲକଡାଉନ ବା ତାଲାବନ୍ଦ ମଧ୍ୟ ଘୋଷଣା କରାଯାଇନାହିଁ ।
ଲୋକଙ୍କ ଅନିୟନ୍ତ୍ରିତ ଭିଡ଼ କାରଣରୁ ଭୂତାଣୁର ପ୍ରାଦୁର୍ଭାବ ଦ୍ରୁତ ହାରରେ ବଢ଼ିଛି । ଫ୍ଲୋରିଡାରେ ଗତ ସପ୍ତାହରେ ହିଁ ଲକଡାଉନ କାର୍ଯ୍ୟକାରୀ କରାଯାଇଛି । ଏହି ସର୍ବବ୍ୟାପୀ ମହାମାରୀ ଲୋକଙ୍କ ଜୀବନ ନେବା ଆରମ୍ଭ କରିବା ପରେ ହିଁ ଟ୍ରମ୍ପ ସରକାର ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ନେଲେ । ସରକାର ଏକ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବା ସହିତ ଅନ୍ୟାନ୍ୟ ଦେଶରୁ ମାସ୍କ୍, ଭେଣ୍ଟିଲେଟର ଏବଂ ଔଷଧପତ୍ର ଆମଦାନି ଆରମ୍ଭ କଲେ । ସେନା ମୁତୟନ କରାଗଲା । ନ୍ୟୁୟର୍କ ଭଳି ଅତ୍ୟଧିକ ଭୂତାଣୁ ସଂକ୍ରମିତ ଅଞ୍ଚଳ ବା ହଟ୍ସ୍ପଟ୍କୁ ସାମରିକ ବାହିନୀର 3,000 ଡାକ୍ତର ପଠାଗଲା । ସାମରିକ ବାହିନୀର ଇଞ୍ଜିନିୟରମାନେ ନ୍ୟୁୟର୍କର ଜାଭିଟ୍ସ କନ୍ଭେନ୍ସନ୍ ସେଣ୍ଟରକୁ ଅନ୍ୟତମ ବୃହତ୍ତମ ହାସ୍ପିଟାଲରେ ପରିଣତ କଲେ । 18ଟି ରାଜ୍ୟରେ 22ଟି ଅସ୍ଥାୟୀ ହାସ୍ପିଟାଳ ନିର୍ମାଣ କରାଯାଉଛି । ବିଭିନ୍ନ ହାସ୍ପିଟାଲ ସଂକ୍ରମଣ ପରୀକ୍ଷଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି । ସରକାର କହନ୍ତି ଯେ, ସମଗ୍ର ଦେଶର ବିଭିନ୍ନ ସ୍ଥାନକୁ 1 କୋଟି 17 ଲକ୍ଷ ଏନ-95 ମାସ୍କ, 2 କୋଟି 65 ଲକ୍ଷ ସର୍ଜିକାଲ ମାସ୍କ, 23 ଲକ୍ଷ ଫେସ୍ ମାସ୍କ, 44 ଲକ୍ଷ ସର୍ଜିକାଲ୍ ଗାଉନ୍ ଏବଂ 2 କୋଟି 26 ଲକ୍ଷ ହ୍ୟାଣ୍ଡ ଗ୍ଲୋଭ୍ସ ପଠାଯାଇଛି । ବିଭିନ୍ନ ଦେଶରୁ 20ଟି ସାମରିକ ବିମାନରେ ଏହି ସବୁ ସାମଗ୍ରୀ ଆମଦାନୀ କରାଯାଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସେମାନଙ୍କୁ ବାଟବଣା କରିଛି ବୋଲି ଟ୍ରମ୍ପ୍ ଅଭିଯୋଗ କରିଥିଲେ ହେଁ ଚିକିତ୍ସା ବିଜ୍ଞାନ ବିଶେଷଜ୍ଞମାନଙ୍କ ମତାମତକୁ ସେ ଗୁରୁତ୍ବ ଦେଇ ନଥିଲେ ବୋଲି ସମାଲୋଚନା କରାଯାଉଛି । ଜାନୁଆରୀ 21 ତାରିଖ ଦିନ ଆମେରିକାରେ ପ୍ରଥମ କୋଭିଡ୍-19 ସଂକ୍ରମଣ ରେକର୍ଡ କରାଯାଇଥିଲା । ଜାନୁଆରୀ 23 ତାରିଖ ଦିନ, ଏହି ଭୂତାଣୁର କେନ୍ଦ୍ରସ୍ଥଳ ଉହାନରେ ଚୀନ୍ ଲକ୍ଡାଉନ୍ କରିଥିଲା । ଫେବ୍ରୁଆରୀ 28ରେ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍-19ଜନିତ ପ୍ରଥମ ମୃତ୍ୟୁ ହୋଇଥିଲା । ଯେହେତୁ ଏହି ମୃତ୍ୟୁ ଗୋଷ୍ଠୀ ସଂକ୍ରମଣ କାରଣରୁ ହୋଇଥିଲା, ତେଣୁ ଏହା ସତର୍କ ଘଣ୍ଟି ସଦୃଶ ଥିଲା । ସେଇ ସପ୍ତାହରେ ଟ୍ରମ୍ପ୍ ଘୋଷଣା କଲେ ଯେ, କରୋନା ଭାଇରସ୍ ଆଶ୍ଚର୍ଯ୍ୟଜନକ ଭାବେ ଅଦୃଶ୍ୟ ହୋଇଯିବ । ସରକାର ଠିକ୍ ସମୟରେ ପଦକ୍ଷେପ ନେବାରେ ବିଫଳ ହେଲେ ଏହି ଭୂତାଣୁ ଯୁକ୍ତରାଷ୍ଟ୍ର ଆମେରିକାର 81 ପ୍ରତିଶତ ଲୋକଙ୍କୁ ସଂକ୍ରମଣ କରିବ ବୋଲି ମାର୍ଚ୍ଚ 6 ତାରିଖରେ ଲଣ୍ଡନରେ ଅବସ୍ଥିତ ଇମ୍ପିରିଆଲ୍ କଲେଜ୍ର ଏକ ମହାମାରୀ ଚିକିତ୍ସା ବିଶେଷଜ୍ଞ ଟିମ ଚେତାଇ ଦେଇଥିଲେ । ତା’ପରେ ମଧ୍ୟ ଦେଶ ସୁରକ୍ଷିତ ଅଛି ବୋଲି ଟ୍ରମ୍ପ କହିବାରେ ଲାଗିଥିଲେ ।