ଓଡିଶା

odisha

ETV Bharat / bharat

କୋଭିଡ୍‌-19 ସମୟରେ ବୟସ୍କ ବ୍ୟକ୍ତିଙ୍କ ସେବାଯତ୍ନ କେମିତି ନେବେ, ଜାଣନ୍ତୁ...

କୋଭିଡ୍‌-19 ସମୟରେ ବୟସ୍କ ବ୍ୟକ୍ତିଙ୍କ ସେବାଯତ୍ନ ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କିପରି କରିବା...

How to take care of elders for covid19
କୋଭିଡ୍‌-19 ସମୟରେ ବୟସ୍କ ବ୍ୟକ୍ତିଙ୍କ ସେବାଯତ୍ନ

By

Published : Apr 5, 2020, 12:07 AM IST

ହାଇଦ୍ରାବାଦ: ବିଶେଷତଃ 60ରୁ ଅଧିକ ବୟସର ବ୍ୟକ୍ତିମାନେ କୋଭିଡ୍‌-19ର ପ୍ରଭାବ ପ୍ରତି ଅଧିକ ସମ୍ବେଦନଶୀଳ । ସେମାନଙ୍କ ପାଖରେ ଯୁବ ବୟସ ଭଳି ମଜଭୁତ ରୋଗ ପ୍ରତିରୋଧକ ଶକ୍ତି ନଥାଏ ଏବଂ ଏହି ବୟସ ବର୍ଗରେ ସାଧାରଣତଃ ଡାଏବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ଫୁସ୍‌ଫୁସ୍‌ ରୋଗ ଦେଖାଦେଇଥାଏ । ଯାହା ଫଳରେ ସେମାନଙ୍କ କ୍ଷେତ୍ରରେ କୌଣସି ରୋଗ ଜଟିଳ ଆକାର ନେବାର ଆଶଙ୍କା ଅଧିକ ଥାଏ ବୋଲି କହିଛନ୍ତି ଭାରତୀୟ ଜନସ୍ବାସ୍ଥ୍ୟ ସଂସ୍ଥାର ପ୍ରାଧ୍ୟାପକ ଭି. ରମନା ଧରା ।

ବିଭିନ୍ନ ଦେଶର ଅନୁଶୀଳନରୁ ଜଣାଯାଏ ଯେ ବୟସ୍କମାନଙ୍କ ଉପରେ କୋଭିଡ୍‌-19ର ପ୍ରଭାବ ଗୁରୁତର, ଏବଂ ବେଳେବେଳେ ପ୍ରାଣଘାତୀ ହୋଇଥାଏ । ଯେଉଁମାନେ ବୟସ୍କ ବ୍ୟକ୍ତିମାନଙ୍କର ସେବାଯତ୍ନ ନେଉଛନ୍ତି, ସେମାନଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ବିଷୟ ଯେ,ସେମାନେ ସେବାଯତ୍ନ ନେବା, ସ୍ନାନାଗାର ବ୍ୟବହାର କରିବା ଏବଂ ଖାଦ୍ୟ ପ୍ରସ୍ତୁତି ପୂର୍ବରୁ ଏବଂ ପରେ, ବାରମ୍ବାର, ଅନ୍ୟୂନ 20 ସେକେଣ୍ଡ ପାଇଁ ହାତ ଧୋଇବା କିମ୍ବା ଆଲକୋହଲ ମିଶ୍ରିତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଭଳି ଜରୁରୀ ପୂର୍ବ ସତର୍କତା ଅବଲମ୍ବନ କରିବା ଉଚିତ । ସେବାଯତ୍ନ ନେଉଥିବା ବ୍ୟକ୍ତି କାଶିଲା ଓ ଛିଙ୍କିଲା ବେଳେ ଟିସ୍ୟୁ ବ୍ୟବହାର କରିବା କିମ୍ବା କହୁଣୀରେ ମୁହଁ ଢାଙ୍କିବାକୁ ରହିଥିବା ଅନୁମୋଦିତ ପ୍ରକ୍ରିୟା ଅନୁସରଣ କରିବା ମଧ୍ୟ ଉଚିତ । ଘର ଭିତରେ ଯେଉଁ ସବୁ ବସ୍ତୁର ପୃଷ୍ଠଭାଗକୁ ବାରମ୍ବାର ସ୍ପର୍ଶ କରାଯାଉଛି ସେଗୁଡ଼ିକୁ ସାବୁନ ଏବଂ ପାଣି କିମ୍ବା ବିଶୋଧକରେ ସଫା କରିବା ଉଚିତ ।

ବୟସ୍କ ବ୍ୟକ୍ତି ବ୍ୟବହାର କରୁଥିବା ଯେ କୌଣସି ଡାକ୍ତରୀ ଉପକରଣ ପାଇଁ ବି ଏହା ପ୍ରଯୁଜ୍ୟ । ଚଲାବୁଲା କମି ଯାଇଥିବାରୁ ବୟସ୍କ ଲୋକମାନଙ୍କର ବାହାର ଜଗତ ସହ ସଂପର୍କ ହ୍ରାସ ପାଇଥାଏ । ସେମାନଙ୍କ ମନୋବଳ ବଢ଼ାଇବା ଏବଂ ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ସାମାଜିକ ସଂପର୍କ ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ହେଲେ, ବନ୍ଧୁ ଓ ସଂପର୍କୀୟମାନଙ୍କର ବାରମ୍ବାର ଯିବାଆସିବା ଯୋଗୁଁ ରୋଗଗ୍ରସ୍ତ ହେବାର ଆଶଙ୍କା ଥିବାରୁ ବ୍ୟକ୍ତିଗତ ଦେଖାସାକ୍ଷାତ୍‌ ଯଥାସମ୍ଭବ କମ୍‌ କରିବା ଆବଶ୍ୟକ । ଯେତେବେଳେ ବି ବନ୍ଧୁ ବା ସଂପର୍କୀୟଙ୍କ ସହ କଥାବାର୍ତ୍ତା କରିବା ଦରକାର ହେବ, ଫୋନ୍‌ କଲ୍‌ ଜରିଆରେ ଏହା କରିହେବ । ପାଖ ପଡ଼ୋଶୀ, ଘରେ କାମ କରୁଥିବା ବ୍ୟକ୍ତି, ପୋଷ୍ଟମ୍ୟାନ୍‌ ଏବଂ ଅନ୍ୟମାନଙ୍କ ସହ କଥାବାର୍ତ୍ତା କଲେ ସାମାଜିକ ବିଚ୍ଛିନ୍ନତା ଭାବ କମିବ ଏବଂ ବାହାର ଜଗତ ସଂପର୍କରେ ଖବର ମିଳିବ । ବୟସ୍କ ଲୋକେ ଛୋଟପିଲାଙ୍କ ସହ ସମୟ ବିତାଇବାକୁ ଭଲ ପାଆନ୍ତି କାରଣ ପିଲାମାନଙ୍କର ଖେଳକୌତୁକ ଏବଂ ନିରଳସ ସ୍ବଭାବ ସେମାନଙ୍କୁ ଆନନ୍ଦ ଦେଇଥାଏ ।

ହେଲେ, ଏହା ଜାଣି ରଖିବା ଗୁରୁତ୍ବପୂର୍ଣ୍ଣ ଯେ ପିଲାମାନେ କୋଭିଡ୍‌-19ର ପ୍ରଭାବକୁ ଅଧିକ ପ୍ରତିରୋଧ କରିପାରିବେ । କିନ୍ତୁ ପାରମ୍ପରିକ ଭାବେ ସେମାନେ ବୟସ୍କମାନଙ୍କ ନିକଟ ସଂସ୍ପର୍ଶରେ ରହୁଥିବାରୁ ସେମାନଙ୍କ ପାଇଁ ପିଲାମାନେ ଭୂତାଣୁ ବାହକ ସାବ୍ୟସ୍ତ ହେବାର ସମ୍ଭାବନା ବି ରହିଛି । ଏଭଳି ସ୍ଥିତିରେ ବୟସ୍କମାନଙ୍କ ନିକଟରୁ 1-2 ମିଟର ସାମାଜିକ ଦୂରତା ବଜାୟ ରଖିବା ପାଇଁ ପିଲାମାନଙ୍କୁ କହିବା ବେଶ୍‌ ଗୁରୁତ୍ବପୂର୍ଣ୍ଣ । ପିଲାମାନଙ୍କୁ ଅସୁସ୍ଥ ହେଲା ଭଳି ଲାଗୁଥିଲେ ସଂପୂର୍ଣ୍ଣ ସୁସ୍ଥ ହେଲା ପର୍ଯ୍ୟନ୍ତ ସେମାନଙ୍କୁ ବୟସ୍କମାନଙ୍କଠାରୁ ଦୂରେଇ ରଖିବା ଉଚିତ ।

ଭିଡିଓ ଚାଲିବା ସୁବିଧା ଥିବା ଫୋନ୍‌ ଏବଂ କମ୍ପ୍ୟୁଟର ଭଳି ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ବୟସ୍କ ବ୍ୟକ୍ତିମାନେ ବନ୍ଧୁ ଓ ପରିବାର ଲୋକଙ୍କ ସହ ସଂପର୍କ ରଖିପାରିବେ । ଯେଉଁମାନଙ୍କର ଶୁଣିବାରେ ସମସ୍ୟା ରହିଛି, ସେମାନଙ୍କ ସୁବିଧା ପାଇଁ ଏହି ସବୁ ଉପକରଣରେ କେତେକ ସ୍ବତନ୍ତ୍ର ଆପ୍‌ ରହିଛି ଯାହା ଫଳରେ ସେମାନଙ୍କ କଥୋପକଥନ ସହଜ ହେବ । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିବା ଲାଗି ଅନେକ ସମୟରେ ଫୋନ୍‌ କଲ୍‌ କରିବା, ଚିଠି ଲେଖିବା ଏବଂ ମେସେଜ୍‌ ପଠାଇବା ଲାଗି ବନ୍ଧୁ ଓ ସଂପର୍କୀୟମାନଙ୍କୁ ପରିବାର ଲୋକେ ଉତ୍ସାହିତ କରିପାରିବେ । ଯେହେତୁ ବହୁ ଧାର୍ମିକ ଓ ଆଧ୍ୟାତ୍ମିକ ପୂଜାସ୍ଥଳୀ ବନ୍ଦ ହୋଇଯାଇଛି, ବୟସ୍କ ଲୋକେ ଆଧ୍ୟାତ୍ମିକତା ସହ ସଂଯୁକ୍ତ ହୋଇ ରହିବା ଲାଗି ବିକଳ୍ପ ପଦ୍ଧତି ଅବଲମ୍ବନ କରିବା ଗୁରୁତ୍ବପୂର୍ଣ୍ଣ । ଏଥିରେ ଅନ୍‌ଲାଇନ୍‌ ଆଧ୍ୟାତ୍ମିକ ଅଧିବେଶନ, ଟେଲିଭିଜନ କାର୍ଯ୍ୟକ୍ରମ ଏବଂ ସହଯୋଗ ପାଇଁ ଧାର୍ମିକ ସଂସ୍ଥାର ଅନ୍ୟ ସଦସ୍ୟମାନଙ୍କ ସହିତ ଫୋନ୍‌ରେ ବାର୍ତ୍ତାଳାପକୁ ସାମିଲ କରାଯାଇପାରେ । ଆଧ୍ୟାତ୍ମିକ ଭାବେ ସୁସ୍ଥ ରହିବାର ଅନ୍ୟ କେତେକ ପଦ୍ଧତିରେ ରହିଛି ହାଲୁକା ବ୍ୟାୟାମ, ଯୋଗ, ଶ୍ବାସକ୍ରିୟା ବ୍ୟାୟାମ, ଧ୍ୟାନ ଏବଂ ଘରେ ପ୍ରାର୍ଥନା କରିବା । ବ୍ୟକ୍ତିମାନେ ମନୋରଞ୍ଜନ ପାଇଁ ଟେଲିଭିଜନ ଦେଖୁଥିବା ବେଳେ, ଲଗାତାର କୋଭିଡ୍‌-19 ସଂପର୍କିତ ଖବର ଦେଖିବା ଦ୍ବାରା ସମ୍ଭାବ୍ୟ ଦୁଶ୍ଚିନ୍ତାରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଟେଲିଭିଜନ୍‌ ଦେଖିବା ସମୟକୁ ସୀମିତ ରଖିବା ଗୁରୁତ୍ବପୂର୍ଣ୍ଣ କଥା ।

ପରିବାର ସଦସ୍ୟମାନଙ୍କ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ ଲାଗି ଏହା ଏକ ସୁଯୋଗ ଏବଂ ଏହି ସମୟରେ ବୟସ୍କ ଲୋକମାନେ ସେମାନେ ଅଙ୍ଗେ ନିଭାଇଥିବା କାହାଣୀ କହିପାରନ୍ତି, ପରିବାରର ଆଲବମ୍‌ ତିଆରି ଭଳି ପ୍ରକଳ୍ପରେ ନିଜକୁ ସାମିଲ କରିପାରନ୍ତି, ରନ୍ଧାବଢ଼ାରେ ସହାୟତା କରିପାରନ୍ତି ଏବଂ ପରାମର୍ଶ ଦେଇପାରନ୍ତି । ସେମାନେ ଅସୁସ୍ଥ ହେବାର ସମ୍ଭାବନାକୁ ଆଖିରେ ରଖି ଡାକ୍ତରୀ ସହାୟତା ପାଇବା ପାଇଁ ପୂର୍ବରୁ ଯୋଜନା କରିବା ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଖୋଲା ରହୁଥିବା ଏବଂ ସେବା ପ୍ରଦାନ କରୁଥିବା ସ୍ଥାନୀୟ କ୍ଲିନିକ୍‌, ଡାକ୍ତରଖାନା ଏବଂ ଔଷଧ ଦୋକାନ ସଂପର୍କରେ ବୟସ୍କ ବ୍ୟକ୍ତିଙ୍କ ସେବାଯତ୍ନରେ ନିୟୋଜିତ ବ୍ୟକ୍ତି ସୂଚନା ସଂଗ୍ରହ କରିବା ଉଚିତ । 2-3 ମାସ ପାଇଁ ଔଷଧପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଆଗରୁ ଗଚ୍ଛିତ କରି ରଖିଲେ ଏସବୁ ସରିଯିବାର ସମ୍ଭାବନା ଦେଖାଦେବ ନାହିଁ । ସେବାଯତ୍ନକାରୀ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଲେ ଜରୁରୀକାଳୀନ ସଂପର୍କ ପାଇଁ ଜଣେ ବନ୍ଧୁ କିମ୍ବା ସଂପର୍କୀୟଙ୍କୁ ଜଣାଇ ରଖିବା ଉଚିତ ।

ଉଦାହରଣ ସ୍ବରୂପ, ମୋର 92 ବର୍ଷୀୟା ମାଆଙ୍କର ସମସ୍ୟା ହେଲା ସେ ବେଶୀ ଚଲାବୁଲା କରିପାରନ୍ତି ନାହିଁ ଏବଂ କେତେକ ପୁରୁଣା ରୋଗରେ ପୀଡ଼ିତା । ସେ କିନ୍ତୁ ରୋଷେଇବାସରେ ସାହାଯ୍ୟ କରି, ପାରିବାରିକ ବିଷୟରେ ପରାମର୍ଶ ଦେଇ ଏବଂ ଆମକୁ ତାଙ୍କ ପିଲାବେଳର କଥା ଶୁଣାଇ ନିଜକୁ ସକ୍ରିୟ ରଖନ୍ତି । ପରିବାରର କିଶୋର ବୟସର ସଦସ୍ୟମାନଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ମିଳାମିଶାକୁ ଆମେ ସୀମିତ ରଖୁ । କିନ୍ତୁ ତାଙ୍କ ପାଖରେ ଗୀତ ଗାଇବାକୁ, କୌତୁକିଆ ଗପ ଶୁଣାଇବାକୁ, କ୍ୟାରମ୍‌ ବୋର୍ଡ ଭଳି ଖେଳ ଖେଳିବାକୁ ଆମେ କିଶୋର ବୟସ୍କମାନଙ୍କୁ ଉତ୍ସାହିତ କରୁ । ଯାହା ଫଳରେ ଶାରୀରିକ ଦୂରତା ବଜାୟ ରହିବା ସହିତ ମୋ ମାଆଙ୍କର ମନୋରଞ୍ଜନ ହୋଇଯାଏ ।

ବିଶେଷତଃ ଲକ୍‌ଡାଉନ୍‌ ଏବଂ ଦୀର୍ଘକାଳ ଧରି ଶାରୀରିକ ଭାବେ ପୃଥକ୍‌ ରହିବାର ସମ୍ଭାବନା କାରଣରୁ କୋଭିଡ୍‌-19 ମାନସିକ ଚାପ ସୃଷ୍ଟି କରିଛି । ଏହି ଶାରୀରିକ ଭାବେ ପୃଥକ୍‌ ରହିବାର ଅର୍ଥ ସାମାଜିକ ପୃଥକୀକରଣ ନୁହେଁ ଏବଂ ବୟସ୍କ ବ୍ୟକ୍ତି ରହୁଥିବା ପରିବାରର ଲୋକେ ଏହି ମାନସିକ ଚାପକୁ ଅତିକ୍ରମ କରି ଯିବାର ଅଭିନବ ଏବଂ ସୃଜନାତ୍ମକ ଉପାୟ ଖୋଜିବା ଉଚିତ୍‌, ଯାହା ଫଳରେ କି ବୟସ୍କ ଲୋକଙ୍କ ମଧ୍ୟରେ ସ୍ବୟଂକ୍ରିୟାଶୀଳ ମନୋଭାବ ବଜାୟ ରହିବ ଏବଂ ସେମାନେ ଏହି ସଂକଟ ସମୟରେ ମାନସିକ ଭାବେ ସୁସ୍ଥ ରହିବେ ।

ABOUT THE AUTHOR

...view details