ଓଡିଶା

odisha

ETV Bharat / bharat

ମୌଳିକ ଅଧିକାରକୁ କେମିତି ଚାପି ଦେଇ ହେବ ?

ଭାରତ ଏକ ପ୍ରଜାତାନ୍ତ୍ରିକ ଦେଶ ରୂପେ ଉଭା ହେବାର ସତୁରୀ ବର୍ଷ ପରେ ବି ଯେଉଁ ଗୋଟିଏ ପ୍ରଶ୍ନ ସାମନାକୁ ଆସେ, ତାହା ହେଲା, ‘ପ୍ରେମ କ’ଣ ଅପରାଧ ?’ ପ୍ରେମ ଆଳରେ, ହିନ୍ଦୁ ପରିବାରର ଝିଅମାନଙ୍କୁ ଫାଶରେ ପକାଇ ଧର୍ମ ପରିବର୍ତ୍ତନ କରାଇବା ବା ‘ଲଭ୍‌ ଜିହାଦ୍‌’ ଭଳି କ୍ରୁରତା ବିରୋଧରେ ନିକଟରେ ଉତ୍ତର ପ୍ରଦେଶ ସରକାର ଏକ ଅଧ୍ୟାଦେଶ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ମୌଳିକ ଅଧିକାରକୁ କେମିତି ଚାପି ଦେଇ ହେବ ?
ମୌଳିକ ଅଧିକାରକୁ କେମିତି ଚାପି ଦେଇ ହେବ ?

By

Published : Dec 11, 2020, 10:31 PM IST

ଭାରତ ଏକ ପ୍ରଜାତାନ୍ତ୍ରିକ ଦେଶ ରୂପେ ଉଭା ହେବାର ସତୁରୀ ବର୍ଷ ପରେ ବି ଯେଉଁ ଗୋଟିଏ ପ୍ରଶ୍ନ ସାମନାକୁ ଆସେ, ତାହା ହେଲା, ‘ପ୍ରେମ କ’ଣ ଅପରାଧ ?’ ପ୍ରେମ ଆଳରେ, ହିନ୍ଦୁ ପରିବାରର ଝିଅମାନଙ୍କୁ ଫାଶରେ ପକାଇ ଧର୍ମ ପରିବର୍ତ୍ତନ କରାଇବା ବା ‘ଲଭ୍‌ ଜିହାଦ୍‌’ ଭଳି କ୍ରୁରତା ବିରୋଧରେ ନିକଟରେ ଉତ୍ତର ପ୍ରଦେଶ ସରକାର ଏକ ଅଧ୍ୟାଦେଶ ଜାରି କରିଛନ୍ତି । ପୂର୍ବରୁ ଓଡ଼ିଶା, ମଧ୍ୟ ପ୍ରଦେଶ, ଛତିଶଗଡ଼, ଅରୁଣାଚଳ ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରେ ଧର୍ମ ପରିବର୍ତ୍ତନ ବିରୋଧରେ ଆଇନ ପ୍ରଚଳିତ ହୋଇସାରିଛି ।

ଏହି ସବୁ ଆଇନ ଅନୁସାରେ, ବଳପ୍ରୟୋଗ କରି କିମ୍ବା ପ୍ରଲୋଭନ ଦେଖାଇ ବା ଚଞ୍ଚକତାପୂର୍ଣ୍ଣ ଊପାୟରେ କୌଣସି ପ୍ରକାର ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବା ଉଚିତ । ଉତ୍ତର ପ୍ରଦେଶର ଏହି ଆଇନ ଏ ସମସ୍ତ ରାଜ୍ୟର ଆଇନ ତୁଳନାରେ ଆଉ ପାଦେ ଆଗକୁ ଯାଇଛି ଏବଂ ବିବାହ ନାଁରେ ଅନ୍ୟ ଧର୍ମାବଲମ୍ବୀଙ୍କୁ ନିଜ ଧର୍ମ ଗ୍ରହଣ କରାଇଲେ ସେଥିପାଇଁ ମଧ୍ୟ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଯଦିଓ, ବିଚାରପତି ମିତ୍ତଲଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଆଇନ ସମାଜର ରିପୋର୍ଟ ଭିତ୍ତିରେ, ଗତ ନଭେମ୍ବର ମାସରେ ଏହି ଅଧ୍ୟାଦେଶ ଜାରି କରାଯାଇଥିବା କଥା କୁହାଯାଉଛି, ତେବେ, ବାସ୍ତବରେ ଯୋଗୀ ଆଦିତ୍ୟନାଥ ହିନ୍ଦୁ ଯୁବ ବାହିନୀର ସଭାପତି ଥିବା ସମୟରେ ହିଁ ଏହା ଥିଲା ତାଙ୍କର ଚିନ୍ତାଧାରା ।

ପ୍ରଣୀତ ନୂତନ ଆଇନର ବ୍ୟବସ୍ଥା ଅନୁସାରେ କୌଣସି ବ୍ୟକ୍ତି ଯଦି ନିଜ ଧର୍ମ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ସେ ଦୁଇ ମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଆବେଦନ କରିବେ । ଏଥିରେ ଆହୁରି କୁହାଯାଇଛି ଯେ, ଯଦି ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ, ଏହି ଆଇନ ବିରୋଧରେ ଯାଇ କୌଣସି ବିବାହ ସଂପନ୍ନ ହୁଏ ଏବଂ ବିବାହ ପୂର୍ବରୁ କିମ୍ବା ପରେ ଝିଅର ଧର୍ମ ପରିବର୍ତ୍ତନ କରାଯାଏ, ତେବେ ଏହି ବିବାହ ବୈଧ ରୂପେ ପରିଗଣିତ ହେବ ନାହିଁ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଉତ୍ତର ପ୍ରଦେଶ ସରକାରଙ୍କ ଏହି ଅଧ୍ୟାଦେଶ 2018ରେ ସୁପ୍ରିମ କୋର୍ଟ ଦେଇଥିବା ରାୟର ଉଲ୍ଲଂଘନ କରୁଛି । ଏହି ରାୟରେ ସୁପ୍ରିମ କୋର୍ଟ ସଂପୂର୍ଣ୍ଣ ସ୍ପଷ୍ଟ କରିଦେଇଥିଲେ ଯେ ସମ୍ବିଧାନର 21 ଧାରା ଅନୁସାରେ, ଯେ କେହି ଯେ କୌଣସି ବ୍ୟକ୍ତିଙ୍କୁ ବିବାହ କରିବାର ଅଧିକାର ରହିଛି ।

ଏହି କାରଣରୁ ହିଁ ବିଚାରପତି ଲୋକୁର, ବ୍ୟକ୍ତି ସ୍ବାଧୀନତା ଏବଂ ଜୀବନ ସାଥୀ ବାଛିବାର ଅଧିକାରକୁ ଚପାଇ ଦେବାକୁ ଉଦ୍ଦିଷ୍ଟ ବୋଲି ଦର୍ଶାଇ ଉତ୍ତର ପ୍ରଦେଶର ଏହି ଅଧ୍ୟାଦେଶକୁ ଦୃଢ଼ ବିରୋଧ କରୁଛନ୍ତି । ଭାରତରେ ବିଭିନ୍ନ ଧର୍ମର ସମାହାର ଘଟିଥିବାରୁ ଦେଶରେ ଧାର୍ମିକ ପ୍ରଚାର ସଂପର୍କରେ ସମ୍ବିଧାନ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଖ୍ରୀଷ୍ଟଧର୍ମ ପ୍ରଚାର ସଂପର୍କରେ ଖ୍ରୀଷ୍ଟିଆନ୍‌ମାନଙ୍କର ନିବେଦନକୁ ଗ୍ରହଣ କରିନେବା ସହିତ, ଧର୍ମ ପରିବର୍ତ୍ତନ ସଂକ୍ରାନ୍ତ ବିଷୟକୁ ସମ୍ବିଧାନରେ ସାମିଲ କରାଯାଇ ନଥିଲା ଏବଂ ଏହି ପ୍ରସଙ୍ଗକୁ ରାଜ୍ୟ ବିଧାନସଭାମାନଙ୍କର ବିଚାରବୋଧ ଉପରେ ଛାଡ଼ି ଦିଆଯାଇଥିଲା । ତେବେ ଧାର୍ମିକ ପ୍ରଚାର ଯୋଗୁଁ ଆଇନ ଶୃଙ୍ଖଳା, ନୈତିକ ଧାରା ପ୍ରଭାବିତ ହେବା ଉଚିତ ନୁହେଁ ବୋଲି କୁହାଯାଇଥିଲା ।

1967 ଓ 68 ମସିହାରେ ଓଡ଼ିଶା ଓ ମଧ୍ୟ ପ୍ରଦେଶରେ ଧର୍ମ ପରିବର୍ତ୍ତନ ବିରୋଧରେ ଆଇନ ପ୍ରଣୟନ କରାଯାଇଥିଲା ଏବଂ 1977 ମସିହାରେ ସୁପ୍ରିମ କୋର୍ଟ ଏହି ସବୁ ଆଇନକୁ ସମର୍ଥନ କରିଥିଲେ । କୋର୍ଟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଥିଲା ଯେ ସାଧାରଣରେ ଉତ୍ତେଜନା ବୃଦ୍ଧି ପାଇଲେ, ଏହାକୁ ନିଷିଦ୍ଧ କରିବାର ଅଧିକାର ସରକାରମାନଙ୍କର ରହିଛି । ଭାରତରେ ପ୍ରତି ବର୍ଷ ପ୍ରାୟ 36 ହଜାର ଅନ୍ତଃ-ଧର୍ମ ବିବାହ ହୋଇଥାଏ ଏଥିରୁ ଛଅ ଭାଗରୁ ଏକ ଭାଗ ଉତ୍ତର ପ୍ରଦେଶରେ ହୋଇଥାଏ । ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଦେଇଥିବା ରିପୋର୍ଟରୁ ଏହା ପ୍ରମାଣିତ ହୋଇଛି ଯେ, ଉତ୍ତର ପ୍ରଦେଶରେ ଏଭଳି ବିବାହ ଯୋଗୁଁ କୌଣସି ପ୍ରକାର ସାମାଜିକ ଉତ୍ତେଜନା ବୃଦ୍ଧି ପାଉଥିବାର ପ୍ରମାଣ ନାହିଁ ।

ଉଦ୍‌ବେଗର କଥା ହେଉଛି ଯେ, ଛଳନାପୂର୍ଣ୍ଣ ଉପାୟରେ କିମ୍ବା ବଳପୂର୍ବକ ଧର୍ମ ପରିବର୍ତ୍ତନ ବାହାନାରେ ଦୁଇ ପରିବାରର ବରିଷ୍ଠ ସଦସ୍ୟମାନଙ୍କ ସମ୍ମତିକ୍ରମେ ହେଉଥିବା ବିବାହକୁ ମଧ୍ୟ ଏହି କଠୋର ଆଇନ ବଳରେ ରୋକାଯାଉଛି । ଅନେକ କ୍ଷେତ୍ରରେ ବିଭିନ୍ନ ଅଦାଲତ ପ୍ରାମାଣିକତାର ସହ ଦର୍ଶାଇଛନ୍ତି ଯେ, ଭାରତୀୟ ସମ୍ବିଧାନର 25 ଧାରା ଅନୁସାରେ ଯେ କେହି ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମକୁ ଗ୍ରହଣ କରିପାରିବେ ଏବଂ ନିଜ ନିଜର ଜୀବନ ସାଥୀ ବାଛିବାର ଅଧିକାର ପ୍ରତ୍ୟେକ ସାବାଳକ ଯୁବକଯୁବତୀଙ୍କର ରହିଛି । ଏହି ପରିପ୍ରେକ୍ଷୀରେ, ନାଗରିକମାନଙ୍କର ମୌଳିକ ଅଧିକାର ସଂପର୍କିତ ଆଇନରେ ସଂଶୋଧନ ଅଧିକାର କୌଣସି ରାଜ୍ୟ ବିଧାନସଭାର ନାହିଁ ବୋଲି ଯୁକ୍ତି ଦର୍ଶାଇ, ଉତ୍ତର ପ୍ରଦେଶ ସରକାରଙ୍କର ଏଭଳି ତରବରିଆ କାର୍ଯ୍ୟ ବିରୋଧରେ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ଦାୟର କରାଯାଇଛି ।

ଏହି ଅଧ୍ୟାଦେଶ ଜାରି ହେବାର ଠିକ୍‌ ମାସକ ଭିତରେ, ଅନ୍ତଃ-ଜାତି ଏବଂ ଅନ୍ତଃ-ଧର୍ମ ବିବାହ କରିଥିବା 125ଟି ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ଆଲାହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି । ଏହି ପ୍ରସଙ୍ଗରେ, କଥିତ ‘ଲଭ୍‌ ଜିହାଦ୍‌’ ବିବାହ ବିରୋଧରେ ତରବରିଆ ଭାବରେ ପ୍ରଣୀତ ଏଭଳି ଆଇନ ବିରୋଧରେ ଅଦାଲତ ହିଁ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଉଚିତ ।

ABOUT THE AUTHOR

...view details