ନୂଆଦିଲ୍ଲୀ: ସିଏଏକୁ ନେଇ ହେଉଥିବା ଆନ୍ଦୋଳନ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରେସ କନଫରେନ୍ସ କରିଛନ୍ତି ଜବାହାର ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟକ୍ଷା ଐଶି ଘୋଷ୍ । ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ ମାତ୍ର ଦିଲ୍ଲୀ ପୋଲିସ ସେମାନଙ୍କ ସହ ହିଂସା କରିଥିବାର ସେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଜେଏନୟୁ ଛାତ୍ର ସଂଗଠନର ଅଧ୍ୟକ୍ଷା କେନ୍ଦ୍ର ସରକାର ଓ ଗୃହମନ୍ତ୍ରୀଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ଅହମ୍ମଦାବାଦରେ ଜଣେ ଛାତ୍ରଙ୍କୁ ପୋଲିସ ଚିହ୍ନଟ କରିଛି, ତାମିଲନାଡୁ ଓ ମହାରାଷ୍ଟ୍ରରେ ମଧ୍ୟ ସମାନ ଅବସ୍ଥା । ଦେଶର ସମସ୍ତ ଛାତ୍ରଛାତ୍ରୀ ବର୍ତ୍ତମାନ ପୋଲିସ, ଯବାନଙ୍କ ସହ ଲଢୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ଜାମିୟା ମିଲିୟା ଇସଲାମିୟାରେ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ସେ ।
ଜେଏନୟୁ ସର୍ବଦା ଆନ୍ଦୋଳନ କରେ ବୋଲି କେନ୍ଦ୍ର କହିଥାଏ କିନ୍ତୁ ଏଥର ଉତ୍ତର-ପୂର୍ବଠାରୁ ଆରମ୍ଭ କରି ମୁମ୍ବାଇ, କେରଳ ଓ ଉତ୍ତରପ୍ରଦେଶରେ ମଧ୍ୟ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି ବୋଲି ଐଶି କହିଛନ୍ତି । କେବଳ ମୁସଲିମ୍ ବିଶ୍ବବିଦ୍ୟାଳୟ ନୁହେଁ ବରଂ ବନାରସ ହିନ୍ଦୁ ୟୁନିଭର୍ସିଟି, ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ, ଆଇଆଇଟି ବମ୍ବେ, ଆଇଆଇଟି ମାଦ୍ରାସ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ନୱଡା କଲେଜ ଆଦି ଆନ୍ଦୋଳନ କରୁଛନ୍ତି । ଏପରିକି ଆଇଆଇଏମ ବାଙ୍ଗାଲୋର, ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଅନ୍ୟପକ୍ଷେ କେନ୍ଦ୍ର ସରକାର ଜାମିୟା ଓ ଏଏମୟୁ ଛାଡି ବାକି 42ଟି ବିଶ୍ବବିଦ୍ୟାଳୟରେ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ । ଯଦି ସରକାର ସିଏଏକୁ ରବ୍ଦ ନ କରନ୍ତି, ତେବେ ଆନ୍ଦୋଳନ ଜାରି ରହିବ ।
ସରକାର ସମସ୍ତ କଲେଜ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ମୁର୍ଖ କରିବାକୁ ଚାହୁଁଛନ୍ତି । ମୁର୍ଖ ହୋଇଗଲେ ଆଉ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜେଏନୟୁ ଛାତ୍ର ସଂଗଠନର ଅଧ୍ୟକ୍ଷା ।