ତୈଳ ସମୃଦ୍ଧ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ସମନ୍ବିତ ବିକାଶ ଦିଗରେ ସେଠାରେ କାମ କରୁଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଭାରତୀୟଙ୍କ ଯଥେଷ୍ଟ ଯୋଗଦାନ ରହିଛି। ଏଥିସହିତ ସେମାନେ ପେଟ୍ରୋ ଡଲାର ସହିତ ଘରକୁ ଫେରି ସେମାନଙ୍କ ପରିବାରକୁ ମଧ୍ୟ ସମୃଦ୍ଧ କରିଥାନ୍ତି। ହଜାର ହଜାର ସଂଖ୍ୟାରେ ଶ୍ରମିକ ସେମାନଙ୍କର ଉଜ୍ଜଳ ଭବିଷ୍ୟତ ଆଶା କରି ମଧ୍ୟସ୍ଥି ଏବଂ ବେଆଇନ ଏଜେନ୍ସି କଥାରେ ବିଶ୍ବାସ କରି ମଧ୍ୟ-ପ୍ରାଚ୍ୟର ମରୁଭୂମିକୁ କାମ କରିବାକୁ ଯାଉଛନ୍ତି, କିନ୍ତୁ ସେଠାରେ ସେମାନଙ୍କୁ ଅତ୍ୟନ୍ତ ଦୟନୀୟ ଜୀବନ ବିତାଇବାକୁ ପଡୁଛି ।
ଯେତେବେଳେ ସବୁ କିଛି ଠିକ୍ ଠାକ୍ ଚାଲୁଛି ସେତେବେଳେ ସରକାର ବହୁମୂଲ୍ୟ ବୈଦେଶିକ ମୁଦ୍ରା ଉପାର୍ଜନରେ ସେମାନଙ୍କର ଅବଦାନ ପାଇଁ ଗଲଫ୍ରେ କାମ କରୁଥିବା ଶ୍ରମିକଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି, କିନ୍ତୁ ସେହିମାନେ ଏବେ ବିଦେଶୀ ମାଟିରେ ଅତି କଷ୍ଟରେ କାଳାତିପାତ କରି ବନ୍ଦୀ ଜୀବନ ଯାପନ କରୁଥିବା ବେଳେ ସେମାନଙ୍କ ସମସ୍ୟା ଦୂର କରିବା ନେଇ ପଛଘୁଞ୍ଚା ଦେଉଛନ୍ତି । ଏପରିକି ପ୍ରବାସୀ ଭାରତୀୟ ଶ୍ରମିକମାନେ ନିଜେ ଦେଶକୁ ଫେରି ଆସିବା ଆଶା ବି ହରାଇ ବସିଛନ୍ତି। ସରକାରଙ୍କ ଅବହେଳା ପାଇଁ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ବିଚାରପତି ଏନ.ଭି.ରମଣାଙ୍କ ନେତୃତ୍ବରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ 12ଟି ରାଜ୍ୟ ସରକାରଙ୍କ ସହିତ ସିବିଆଇକୁ ନୋଟିସ୍ ଜାରି କରିଛି । ଗଲଫ-ତେଲଙ୍ଗାନା କଲ୍ୟାଣ ଏବଂ ସାଂସ୍କୃତିକ ସଂଘର ସଭାପତି ଅନେକ ପ୍ରସଙ୍ଗ ଦର୍ଶାଇବା ସହ ଭାରତୀୟ ଶ୍ରମିକଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ମକଦ୍ଦମା ଦାଏର କରିଛନ୍ତି । 8189 ଜଣ ବ୍ୟକ୍ତି ଗଲଫ ରାଷ୍ଟ୍ରର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ଏବଂ 44 ଜଣଙ୍କ ବିରୁଦ୍ଧରେ ମୃତ୍ୟୁଦଣ୍ଡ ଆଦେଶ ରହିଛି । ଏମାନଙ୍କୁ ଆଇନଗତ ସହାୟତା ଦେବା ଏବଂ ଏଥିପାଇଁ କୂଟନୈତିକ ସ୍ତରରେ ହସ୍ତକ୍ଷେପ କରିବାକୁ ଆବେଦନକାରୀ ଅଦାଲତରେ ପ୍ରାର୍ଥନା କରିଛନ୍ତି ।
ଏଥିସହିତ ସେଠାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମୃତଦେହ ସେମାନଙ୍କର ନିଜ ନିଜ ସ୍ଥାନକୁ ଆଣିବା ପାଇଁ ସ୍ପଷ୍ଟ ନିର୍ଦେଶାବଳୀ ଜାରି କରିବାକୁ ମଧ୍ୟ ପିଆଇଏଲରେ ଆବେଦନ କରାଯାଇଛି। ପାକିସ୍ତାନ, ଶ୍ରୀଲଙ୍କା, ଚୀନ୍ ଏବଂ ବାଂଲାଦେଶ ଭଳି ରାଷ୍ଟ୍ର ସେମାନଙ୍କର ଶ୍ରମିକମାନଙ୍କୁ ଫେରାଇ ନେବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି, ହେଲେ ସେଠାରେ ଥିବା ଭାରତୀୟ ଦୂତାବାସ ଭିନ୍ନ ନୀତି ଗ୍ରହଣ କରୁଥିବା ଅଭିଯୋଗ ହେଉଛି ! ନିରକ୍ଷର ଶ୍ରମିକଙ୍କୁ ବେଆଇନ ଭାବେ ସେଠାକୁ ଚାଲାଣ କରାଯାଉଥିବା ଏବଂ ଏ ନେଇ ଦେଶରେ ହେଉଥିବା ଅନ୍ୟାନ୍ୟ ଅପରାଧର ଯାଞ୍ଚ ପାଇଁ ସିବିଆଇକୁ ନୋଡାଲ ଏଜେନ୍ସି ନିଯୁକ୍ତି ଦେବାକୁ ମଧ୍ୟ ଆବେଦନ କରାଯାଇଛି । ଘରକାମ ଏବଂ ଶ୍ରମିକ ଭାବେ କାମ କରି କମ୍ ମୟରେ ବହୁତ ଟଙ୍କା ରୋଜଗାର କରିବା ଆଶା ରଖି ବହୁସଂଖ୍ୟାରେ ନିରକ୍ଷର ଗରିବ ମହିଳା ଗଲ୍ଫ ଯାଇ ସେଠାରେ ପରବର୍ତ୍ତୀ ସମୟରେ କ୍ରୀତଦାସ ଭାବେ ବିକ୍ରି ହେଉଛନ୍ତି ଏବଂ ଅନେକଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ତୁରନ୍ତ ଉଦ୍ୟମ କରିବା ଉଚିତ୍।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ 6ଟି ଗଲଫ ରାଷ୍ଟ୍ରରେ 85 ଲକ୍ଷ ଭାରତୀୟ କାମ କରୁଛନ୍ତି। 2016ରୁ 2019 ମଧ୍ୟରେ ବିଭିନ୍ନ ପ୍ରକାର ନିର୍ଯାତନା ଘଟଣା ନେଇ ମୋଟ 77 ହଜାର ଅଭିଯୋଗ ହୋଇଛି ଏବଂ ଏହାମଧ୍ୟରୁ 36 ପ୍ରତିଶତ ସାଉଦୀ ଆରବରୁ ଆସିଛି ବୋଲି ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ଲୋକସଭାରେ ପ୍ରକାଶ କରିଛନ୍ତି। ପ୍ରକୃତରେ ଯେତେ ସଂଖ୍ୟାରେ ପ୍ରବାସୀ ନିର୍ଯାତନା ସହୁଛନ୍ତି ତାହା ତୁଳନାରେ ଅଭିଯୋଗ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ବୋଲି ଲୋକସଭାରେ କୁହାଯାଇଛି। ଗଲଫ୍ ରାଷ୍ଟ୍ରସମୂହରେ ମଜୁରୀ ନଦେବା, ଶ୍ରମିକ ସୁରକ୍ଷାର ଉଲ୍ଲଂଘନ, ନାଗରିକତା ଅନୁମତି ନଦେବା, ଚିକିତ୍ସାଗତ ସୁବିଧା ବ୍ୟବସ୍ଥା ନକରିବା ଏବଂ କାମ କରିବା ବେଳେ ଦୁର୍ଘଟଣା କିମ୍ବା ମୃତ୍ୟୁ ଘଟିଲେ କ୍ଷତିପୂରଣ ପ୍ରଦାନ ନକରିବା ଆଦି ଅନେକ ସମସ୍ୟା ରହିଛି। 2014ରୁ 2019 ମଧ୍ୟରେ ପାଖାପାଖି 34 ହଜାର ପ୍ରବାସୀ ଭାରତୀୟ ଶ୍ରମିକଙ୍କର ସେଠାରେ ମୃତ୍ୟୁ ଘଟିଛି। ଏତେ ବଡ଼ ଘଟଣା ପ୍ରତି ବି ସରକାର ସରକାର ଆଦୌ ଗୁରୁତ୍ବ ନଦେବା ଭଳି ମନେ ହେଉଛି! 2016 ଜୁନରେ କାତାର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ, ଗଲଫ୍ ଶ୍ରମିକମାନଙ୍କ ସମସ୍ୟା ନେଇ ସେ ଅବଗତ ଏବଂ ସେଠାକାର ନେତାଙ୍କ ସହ ଏ ନେଇ ଆଲୋଚନା କରିବେ। ଏପରି ପ୍ରତିଶ୍ରୁତି ସମସ୍ୟା ସମାଧାନ କରି ସ୍ଥିତିରେ ସୁଧାର ଆଣିବାରେ କୌଣସି ଭାବେ ସହାୟକ ହୋଇନାହିଁ । 2012 ରୁ 2017 ମଧ୍ୟରେ ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ପ୍ରବାସୀ ଭାରତୀୟଙ୍କ ଦ୍ବାରା ଦେଶକୁ ଆସିଥିବା ବିଦେଶୀ ମୁଦ୍ରା ପରିମାଣ ଥିଲା 41 ହଜାର କୋଟି ଡଲାର। ଏହାମଧ୍ୟରୁ 21 ହଜାର କୋଟି ଡଲାର କେବଳ ଉପସାଗରୀୟ ବା ଗଲଫ୍ ରାଷ୍ଟ୍ରଗୁଡ଼ିକରୁ ଆସିଥିଲା। କଷ୍ଟ କରି କାମ କରି ଦେଶପାଇଁ ବହୁମୂଲ୍ୟ ବୈଦେଶିକ ବିନିମୟ ମୁଦ୍ରା ରୋଜଗାର କରୁଥିବା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ସରକାରଙ୍କ ବି ଦାୟିତ୍ବ ରହିଛି ।
ସେମାନେ କିପରି ଠକାମିର ଶିକାର ନହେବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଗତ ଫେବୃଆରି ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ଦୁଇଟି ତେଲୁଗୁ ଭାଷାଭାଷି ରାଜ୍ୟରେ 29ଟି ବେଆଇନ ସଂସ୍ଥା ଗଲଫ ଭେଳିକି ଦେଖାଇ ନିରୀହ ଲୋକଙ୍କୁ ଠକି ଚାଲିଛନ୍ତି ଏବଂ ମହାରାଷ୍ଟ୍ର, ପଂଜାବ ଏବଂ ଦିଲ୍ଲୀରେ ଏହି ସଂଖ୍ୟା 85କୁ ବୃଦ୍ଧି ପାଇଛି ବୋଲି ଚେତାଇ ଦେଇଛନ୍ତି। ଅନ୍ୟ ଦେଶକୁ ଯାଇ କାମ କରିବା କ୍ଷେତ୍ରରେ ଥିବା ଶ୍ରମିକ ଆଇନକୁ କଡ଼ାକଡ଼ି ଲାଗୁ କରିବା ନେଇ ରାଜ୍ୟ ସରକାରମାନେ ତତ୍ପରତା ଦେଖାଇବା ଜରୁରୀ। ସେହିପରି ଶ୍ରମିକମାନେ ଯାଉଥିବା ଦେଶଗୁଡ଼ିକରେ ମଧ୍ୟ ସେମାନଙ୍କ ନିଯୁକ୍ତି ଏବଂ କାର୍ଯ୍ୟସ୍ଥଳରେ ସେମାନଙ୍କ ଅଧିକାର ସୁରକ୍ଷିତ ରଖିବାରେ ସେସବୁ ଦେଶ କିପରି ନୀତି ଗ୍ରହଣ କରୁଛନ୍ତି ତାହା ଉପରେ ନଜର ରଖିବାକୁ ପଡ଼ିବ। ଏଥିପାଇଁ କେନ୍ଦ୍ର ସରକାର ଏକ ଦୃଢ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍। ଏପରି କରାଗଲେ ଶ୍ରମିକମାନେ ବାହାର ଦେଶକୁ ଯାଇ ଭଲ ଭାବେ କାମ କରିପାରିବେ।