ହାଇଦ୍ରାବାଦ: ଆଜି ଦେଶର ଦୁଇ ମହାନ ନେତାଙ୍କ ଜନ୍ମବାର୍ଷିକୀ । ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ଚଳିତ ବର୍ଷ ବାପୁଙ୍କ ୧୫୦ ତମ ଜନ୍ମତିଥି ପାଳନ କରାଯାଉଥିବା ବେଳେ ଶାସ୍ତ୍ରୀଙ୍କ ୧୧୬ ତମ ଜନ୍ମଦିବସ ପାଳନ କରାଯାଉଛି । ଏହି ଅବସରରେ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗାନ୍ଧୀ ଜୟନ୍ତୀ ଅବସରରେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସେ ଲେଖିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କର 150 ତମ ଜୟନ୍ତୀରେ ଶତ-ଶତ ପ୍ରଣାମ । ସେହିପରି ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଧ୍ୟ ଏକ ଭିଡିଓ ସେୟାର କରି ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦି । ଭିଡିଓ ସହ ସେ ଲେଖିଛନ୍ତି, ‘ଜୟ ଜବାନ, ଜୟ କିଶାନ’ ନାରାରେ ନୂଆ ଶକ୍ତିର ସଞ୍ଚାର କରିଥିବା ପୂର୍ବ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀରେ ଶତଶତ ପ୍ରଣାମ ।
ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, ଗାନ୍ଧୀ ଜୟନ୍ତୀ ଅବସରରେ ଆମ ସମସ୍ତଙ୍କୁ ସତ୍ୟ, ଅହିଂସା ଏବଂ ଆଦର୍ଶ ପ୍ରତି ନିଜକୁ ସମର୍ପିତ କରିବା ଉଚିତ ।