ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ହାଇକୋର୍ଟରେ ଶୁଣାଣି

ରାଜସ୍ଥାନ ରାଜନୀତି ରଣ ମଧ୍ୟରେ ଆଜି ପୁଣି ଥରେ ବାଚସ୍ପତି ନୋଟିସ ବିରୋଧରେ ହାଇକୋର୍ଟରେ ହେବ ଶୁଣାଣି । ସଚିନ ପାଇଲଟଙ୍କ ପକ୍ଷରୁ ଦାଏର ଯାଚିକାର ଶୁଣାଣି ଆଜି ହାଇକୋର୍ଟରେ ହେବ । ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜୀତ ମହାନ୍ତି ଓ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଦିନ 10ଟା 30ରେ ମାମଲାର ଶୁଣାଣି କରିବେ ।

ରାଜସ୍ଥାନ ରାଜନୀତି ରଣ: ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ହାଇକୋର୍ଟରେ ଶୁଣାଣି
ରାଜସ୍ଥାନ ରାଜନୀତି ରଣ: ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ହାଇକୋର୍ଟରେ ଶୁଣାଣି

By

Published : Jul 21, 2020, 9:29 AM IST

Updated : Jul 21, 2020, 9:36 AM IST

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଂଗ୍ରାମ ମଧ୍ୟରେ ବାଚସ୍ପତି ଦେଇଥିବା ନୋଟିସ୍‌ ବିରୋଧରେ ସଚିନ ପାଇଲଟଙ୍କ ପକ୍ଷରୁ ଦାଏର ଯାଚିକାର ଶୁଣାଣି ଆଜି ହାଇକୋର୍ଟରେ ହେବ । ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜୀତ ମହାନ୍ତି ଓ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଆଜି 10ଟା 30ରେ ଏହି ମାମଲାର ଶୁଣାଣି କରିବେ । ସୋମବାର ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ଆଜି ପୁଣି ଏହାର ଶୁଣାଣି ହେବ ।

ସୋମବାରର ଶୁଣାଣି ସମୟରେ ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସଂଘଭୀ ପକ୍ଷ ରଖିଥିବାବେଳେ ସଚିନ ପାଇଲଟଙ୍କ ପକ୍ଷରୁ ହରିଶ ସାଲଭେ ନିଜର ପକ୍ଷ ରଖିଥିଲେ ।

ଆଜି ହେବାକୁ ଥିବା ଏହି ଶୁଣାଣିରେ ଦୁଇ ପକ୍ଷ କୋର୍ଟରେ ଉପସ୍ଥିତ ରହିବେ । ସକାଳ 10ଟା 30ରେ ସଚିନଙ୍କ ସମର୍ଥକ ବିଧାୟକଙ୍କ ପକ୍ଷରୁ ଆଇନଜୀବୀ ମୁକୁଲ ରୋହତଗୀ ନିଜର ଦଲିଲ ପ୍ରଦାନ କରିବେ । ତେବେ ଏହି ଶୁଣାଣି ପରେ ଅଦାଲତ ନିଜର ରାୟ ପ୍ରକାଶ କରିପାରନ୍ତି ବୋଲି କୁହାଯାଉଛି । ରାଜସ୍ଥାନ ରାଜନୀତିରେ ଜାରି ଅସ୍ଥିରତା ଉପରେ ସାରା ଦେଶର ନଜର ରହିଥିବାବେଳେ ଅନ୍ୟପକ୍ଷେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଅପେକ୍ଷା ରହିଛି ।

ସୂଚନାଥାଉକି, କଂଗ୍ରେସ କ୍ଷମତା କନ୍ଦଳ ଭିତରେ ବିଧାୟକ ଦଳ ବୈଠକକୁ ସଚିନଙ୍କ ସମେତ 19 ବିଧାୟକ ଆସିନଥିବାରୁ ତାଙ୍କ ବିରୋଧରେ ବାଚସ୍ପତି ନୋଟିସ ପଠାଇଥିଲେ । ଯାହାକୁ ନେଇ ହାଇକୋର୍ଟ ଯାଇଥିଲେ ସଚିନ ।

ସେପଟେ ଏସବୁ ଭିତରେ ରାଜ୍ୟରେ ଖୁବଶୀଘ୍ର ବିଧାନସଭା ଅଧିବେଶନ ବସିବାକୁ ଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜ ସମର୍ଥନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି କୁହାଯାଉଛି । ଅନ୍ୟପଟେ ରାଜସ୍ଥାନରେ ଘୋଡାବେପାରକୁ ନେଇ ମଧ୍ୟ ରାଜନୈତିକ ଉଷ୍ମତା ଦେଖାଦେଇଛି । ଘୋଡାବେପାରକୁ ନେଇ ଏକ ଭାଇରାଲ ଅଡିଓକୁ ଆଧାର କରି କଂଗ୍ରେସ ବିଜେପିକୁ ଦାୟୀ କରିବା ସହ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଛି ।

ଯେଉଁଥିଲାଗି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏସଓଜି ନୋଟିସ ଜାରି କରିଛି । ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଓ ଭୱର ଲାଲ ଶର୍ମାଙ୍କୁ ବି ନୋଟିସ ଜାରି କରିଛି ଏସଓଜି । ଏହାର ପ୍ରତିଜବାବରେ ଫୋନ ଟ୍ୟାପିଂର ଅଭିଯୋଗ ବିଜେପି ଆଣି ଏହାର ସିବିଆଇ ତଦନ୍ତ ଦାବି କରିଛି । ତେବେ ଏସବୁ ଭିତରେ ଏସଓଜି ଘୋଡାବେପାର ମାମଲାରେ ଜଣଙ୍କୁ ଗିରଫ କରିବା ଓ ଫୋନ ଟ୍ୟାପିଂକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ଖବରକୁ ଅଧିକ ଚର୍ଚ୍ଚାର ପରିସରକୁ ଆଣିଛି ।

ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 21, 2020, 9:36 AM IST

ABOUT THE AUTHOR

...view details