ନୂଆଦିଲ୍ଲୀ: ବିଟ୍ରେନରେ ଭୟଙ୍କର ଭାବେ ବ୍ୟାପିଚାଲିଥିବା କୋରୋନାର ନୂଆ ଷ୍ଟ୍ରେନ୍ ଭାରତରେ ବି ଠାବ ହୋଇସାରିଛି । ଦେଶରେ ଏବେସୁଦ୍ଧା 6 ଜଣ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହା ମଧ୍ୟରେ ଏକ ଭଲ ଖବର ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ । ଭାରତରେ ବିକଶିତ କୋଭିଡ୍ ଭ୍ୟାକ୍ସିନ୍ କୋରୋନାର ଏହି ନୂଆ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ, ବିଜୟ ରାଘବନ୍ କହିଛନ୍ତି ଯେକୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଟୀକା ମଧ୍ୟ ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ମିଳୁଥିବା କୋରୋନାର ନୂତନ ଷ୍ଟ୍ରେନ୍ ବିରୁଦ୍ଧରେ କାର୍ଯ୍ୟ କରିବ। ତେବେ ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ବ୍ରିଟେନରୁ ଫେରିଥିବା 6 ଜଣ ସଂକ୍ରମିତଙ୍କ ମଧ୍ୟରେ ନୂତନ କୋରୋନା ଷ୍ଟ୍ରେନ୍ ଦେଖିବାକୁ ମିଳିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶରେ ସକ୍ରିୟ ମାମଲା 2.7 ଲକ୍ଷରୁ କମ୍ ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ସେ କହିଛନ୍ତି ଯେ ଗତ ସପ୍ତାହରେ ଦେଶରେ ପଜିଟିଭ୍ ହାର ମାତ୍ର 2.25 ପ୍ରତିଶତ ଥିଲା। ସେ କହିଥିଲେ ଯେ କୋରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ଖବର ପୂର୍ବରୁ ଆମେ ଲାବ୍ରୋଟାରୀରେ ପ୍ରାୟ 5000 ଜିନୋମ୍ ବିଷୟରେ ସୂଚନା ପାଇଥିଲୁ ।