ଜାମ୍ମୁ ଓ କାଶ୍ମୀରରେ ବିଚ୍ଛିନ୍ନତାବାଦ, ଜନାଦୃତ ଭାବଧାରା ଏବଂ ଭାରତ ସପକ୍ଷବାଦୀ ରାଜନୀତି ମଧ୍ୟରେ ରହିଥିବା ତାରତମ୍ୟ ଉଭେଇ ଯିବାରେ ଲାଗିଛି ଏବଂ ତଜ୍ଜନିତ ଶୂନ୍ୟସ୍ଥାନକୁ ଆବୋରି ନେଇଛି ରାଜ୍ୟର ସମସ୍ତ ଆଞ୍ଚଳିକ ରାଜନୈତିକ ଗୋଷ୍ଠୀର ଏକ ମେଣ୍ଟ, ଯାହାକୁ ବିଜେପି ନାଁ ଦେଇଛି ‘ଗୁପ୍କର ଗ୍ୟାଙ୍ଗ ।’ 2019 ଅଗଷ୍ଟ 5 ତାରିଖ ଦିନ ଭାରତୀୟ ସଂସଦ ଦ୍ବାରା ସମ୍ବିଧାନର 370 ଧାରା ଉଚ୍ଛେଦ ବିରୋଧରେ ଜାମ୍ମୁ ଓ କାଶ୍ମୀରର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଦ୍ବାରା ଗଠିତ ହୋଇଛି ଗୁପକର ଘୋଷଣାନାମାର ଜନମେଣ୍ଟ ବା ‘ପିପୁଲ୍ସ ଆଲିଆନ୍ସ ଅଫ୍ ଗୁପ୍କର ଡିକ୍ଲାରେସନ୍ (PAGD) ।
ସଂପ୍ରତି ଗୁପ୍କର ମେଣ୍ଟରେ ସାମିଲ ହୋଇଥିବା ପ୍ରମୁଖ ଦଳଗୁଡ଼ିକ, ଅତୀତରେ ଅଲଗା ଅଲଗା ଦଳ ଭାବରେ ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ଲଢିଥିଲେ ହେଁ, ଗୋଟିଏ ପରେ ଗୋଟିଏ କରି ବିଜେପି ସହ ହାତ ମିଳାଇଥିଲେ ଏବଂ ଏନ୍ଡିଏ (ନ୍ୟାସନାଲ ଡେମୋକ୍ରାଟିକ୍ ଆଲିଆନ୍ସ)ର ସହଯୋଗୀ ଦଳ ଭାବରେ ରହିଥିଲେ । ପ୍ରଥମେ ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ନ୍ୟାସନାଲ କନ୍ଫରେନ୍ସ, ବାଜପେୟୀଙ୍କ ସରକାର ଅମଳରେ ବିଜେପି ସହ ହାତ ମିଳାଇଥିଲା ଏବଂ ଏନ୍ଡିଏର ଅଂଶ ଭାବରେ ରହିଥିଲା । ପରବର୍ତ୍ତୀ ସମୟରେ ମୁଫ୍ତିଙ୍କ ପିଡିପି ମଧ୍ୟ ଜାମ୍ମୁ ଓ କାଶ୍ମୀରରେ ସରକାର ଗଢ଼ିବା ପାଇଁ ମୋଦିଙ୍କ ନେତୃତ୍ବାଧୀନ ସରକାର ସହ ମେଣ୍ଟ କରିଥିଲା । ଏକଦା ପରସ୍ପରକୁ ପରାସ୍ତ କରିବା ପାଇଁ ନ୍ୟାସନାଲ କନ୍ଫରେନ୍ସ ଓ ପିଡିପି ବିଜେପିର ସହଯୋଗ ଲୋଡ଼ିଥିଲେ ଏବଂ ଏବେ ସେମାନେ ହିଁ ନିଜ ନିଜର ଅସ୍ତିତ୍ବ ବଜାୟ ରଖିବା ଲାଗି ସେଇ ଏକା ଦଳ ବିରୋଧରେ ଏକତ୍ର ହୋଇଛନ୍ତି ।
ବର୍ତ୍ତମାନ ‘ଗୁପ୍କର ଗ୍ୟାଙ୍ଗ’ ରୂପେ ଅଭିହିତ ଗୋଷ୍ଠୀର ସଦସ୍ୟମାନଙ୍କ ସହାୟତାରେ ହିଁ ବିଜେପି, ଏକଦା ତତ୍କାଳୀନ ଜାମ୍ମୁ ଓ କାଶ୍ମୀରର ବିଧାନସଭାରେ ନିଜ ଉପସ୍ଥିତି ଜାହିର କରିବାରେ ସଫଳ ହୋଇଥିଲା । ତା ପୂର୍ବରୁ ଏଠାକାର ସର୍ବାଧିକ ବିବାଦୀୟ କ୍ଷେତ୍ର ରୂପେ ପରିଗଣିତ କାଶ୍ମୀରର ପ୍ରମୁଖ ଦଶଟି ଜିଲ୍ଲାରେ ବିଜେପିର କୌଣସି ବିଧାନସଭା ପ୍ରତିନିଧି ନଥିଲେ । ପରେ ବିଜେପି ସହିତ ଅନ୍ୟ ରାଜନୈତିକ ଦଳକୁ ସମଭାବରେ ସମର୍ଥନ କରି ଉଣାଅଧିକେ ନିରପେକ୍ଷ ରହିବାକୁ ଜାମ୍ମୁ ଓ କାଶ୍ମୀରର ଲୋକେ ସ୍ଥିର କରିଥିଲେ । ବିଜେପି ପାଇଁ ସବୁକିଛି ସେ ପର୍ଯ୍ୟନ୍ତ ଠିକ୍ଠାକ୍ ଚାଲିଥିଲା । ପରବର୍ତ୍ତୀ ସମୟରେ ଏ ଅଞ୍ଚଳର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ସହିତ ରାଜନୈତିକ ନେତାମାନଙ୍କୁ ବନ୍ଦୀ କରାଯାଇଥିବା ଏବଂ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଜେଲରୁ ମୁକ୍ତ କରାଯାଇ ଥିଲା ।
କେନ୍ଦ୍ର ସରକାରଙ୍କ ଇଚ୍ଛାନୁସାରେ ଏବଂ ବିଜେପିର ‘ନିରବ ପ୍ରଦର୍ଶନକାରୀ’ ରୂପେ ଜଣାଶୁଣା ରାଜ୍ୟପାଳ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶାନୁସାରେ ସବୁକିଛି ଚାଲିଥିଲା । ସିହ୍ନାଙ୍କ ପାଇଁ ଯେଉଁ ଗୋଟିଏ କାମ ବାକି ରହିଯାଇଥିଲା, ତାହା ହେଲା ଅଗଷ୍ଟ 5ର ନିଷ୍ପତ୍ତି ପରେ ରାଜ୍ୟରେ ଥମି ଯାଇଥିବା ରାଜନୈତିକ ପ୍ରକ୍ରିୟାକୁ ପୁନର୍ବାର ଚଳଚଞ୍ଚଳ କରିବା ଦିଗରେ ପଦକ୍ଷେପ ନେବା । ଏ ଅଞ୍ଚଳରେ ପୁଣି ରାଜନୈତିକ ଗତିବିଧି ଆରମ୍ଭ କରିବା ହିଁ ସିହ୍ନାଙ୍କୁ ରାଜ୍ୟପାଳ ରୂପେ ନିଯୁକ୍ତି ଦେବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା । କେବଳ 4ଜି ମୋବାଇଲ ସେବାର ପୁନଃପ୍ରଚଳନ ଭଳି କେତେକ ଛୋଟମୋଟ ଦାବିକୁ ବାଦ୍ ଦେଲେ, ଓମାର ଓ ତାଙ୍କ ବାପା ଫାରୁକ୍ ଅବଦୁଲ୍ଲା ଜେଲରୁ ମୁକ୍ତ ହେବା ପରେ ବି ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା । ଅବଦୁଲ୍ଲାଙ୍କ ଗତିବିଧି ପ୍ରତିହତ କରିବା କ୍ଷେତ୍ରରେ ମନୋଜ ସିହ୍ନାଙ୍କ ପ୍ରଦର୍ଶନ ଫିକା ପଡ଼ିଯାଇଥିଲା । ଏହା ଦିଲ୍ଲୀର ନେତୃତ୍ବକୁ ଆଉ କେତେକ ଦୃଢ଼ ପଦକ୍ଷେପ ନେବାକୁ ପ୍ରୋତ୍ସାହିତ କରିଥିଲା ଏବଂ ନବଗଠିତ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ସଂପର୍କରେ କେତେକ ବୃହତ୍ ସାମ୍ବିଧାନିକ ସଂଶୋଧନ କରାଯାଇଥିଲା ।