ମୁମ୍ବାଇ: ପ୍ରସିଦ୍ଧ ଜାତୀୟ ଗଣମାଧ୍ୟମର ସମ୍ବାଦଦାତା ଓ ଅନ୍ୟ 2 ଜଣଙ୍କ ବିରୋଧରେ ରୁଜୁ ହୋଇଥିବା ଆତ୍ମହତ୍ୟା ମାମଲାକୁ ପୁଣି ଯାଞ୍ଚ କରିବାକୁ ମହାରାଷ୍ଟ୍ର ସିଆଇଡି ନିଷ୍ପତ୍ତି ନେଇଛନ୍ତି । 2018ରେ ରାୟଗଡା ପୋଲିସ ଦ୍ବାରା ଏହି ମାମଲାକୁ ବନ୍ଦ କରିଦିଆଯାଇଥିଲା ।
ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ଅନଭୟ ନାୟକ ଝିଅଙ୍କ ଅନୁରୋଧକୁ ଆଧାର କରି ସିଆଇଡି ଏହି ମାମଲାର ପୁନଃ ଯାଞ୍ଚ କରିବ । ଅନଭୟ ନାୟକ ଓ ତାଙ୍କ ମା କୁମୁଦ ନାୟକଙ୍କ ମୃତଦେହ ମୁମ୍ବାଇ ନିକଟ ରାୟଗଡ ଜିଲ୍ଲାର ଆଲିବାଗସ୍ଥିତ ବଙ୍ଗଳା ଠାରେ ମିଳିଥଲା।
ଗଣମାଧ୍ୟମ ସାମ୍ବାଦିକଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନ ମିଳିବାରୁ ସ୍ଥାନୀୟ ପୋଲିସ ଏହି ମାମଲାକୁ ବନ୍ଦ କରିଦେଇଥିଲେ । ଅନଭୟ ମୁମ୍ବାଇ ସ୍ଥିତ ସ୍ଥାପତ୍ୟ ଓ ଇଣ୍ଟେରିୟର ଡିଜାଇନିଂ ଫାର୍ମର କନକୋର୍ଡ ଡିଜାଇନର ପରିଚାଳନା ନିର୍ଦ୍ଦେଶକ ଥିଲେ । ତାଙ୍କ ମା ଫାର୍ମର ନିର୍ଦ୍ଦେଶକ ବୋର୍ଡରେ ଥିଲେ।
ମଙ୍ଗଳବାର ଦେଶମୁଖ ଟ୍ବିଟ୍ କରି କହିଛନ୍ତି, ‘ଅଦନ୍ୟା ନାୟକ ମୋ ନିକଟରେ ଅଭିଯୋଗ କରିଛନ୍ତି ଆଲିବାଗ ପୋଲିସ ମାମଲାର ଯାଞ୍ଚ କରିନଥିଲା । ପ୍ରସିଦ୍ଧ ଗଣମାଧ୍ୟମ ସାମ୍ବାଦିକ ଠିକ୍ ସମୟରେ 83 ଲକ୍ଷ ଦେୟ ପ୍ରଦାନ କରିନଥିବାରୁ ତାଙ୍କ ପିତା ଓ ଜେଜେମା ଆତ୍ମହତ୍ୟା କରିଥିଲେ । ତେଣୁ ମୁଁ ସିଆଇଡିକୁ ଏହି ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ’।
ରାୟଗଡ ପୋଲିସ ଅଧୀକ୍ଷକ ଅନିଲ ପରାସ୍କର କହିଛନ୍ତି, ‘ମୃତଦେହ ମିଳିଥିବା ବେଳେ ଆମେ 3 ଜଣଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲୁ। ତେବେ ଗତ ଏପ୍ରିଲରେ ଆମେ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲୁ ଯେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ’।
ପୋଲିସ ସନ୍ଦେହ କରୁଛି ଯେ ଅନଭୟ ହୁଏତ ତାଙ୍କ ମା’ଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛନ୍ତି। କୁମୁଦଙ୍କ ମୃତଦେହ ତଳ ମହଲା ସୋଫାରେ ମିଳିଥିବା ବେଳେ ଅନଭୟ ପ୍ରଥମ ମହଲାରେ ଝୁଲୁଥିବା ଦେଖିବାକୁ ମିଳିଥିଲା।
ପୋଲିସ ଏକ ଆତ୍ମହତ୍ୟା ନୋଟ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ ଅନଭୟ ଓ ତାଙ୍କ ମା ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ତିନୋଟି କମ୍ପାନୀର ମାଲିକ ଦେୟ ପ୍ରଦାନ କରିନଥିଲେ । ଏହି 3 ଟି ସଂସ୍ଥାର ଯଥାକ୍ରମେ 83 ଲକ୍ଷ, 4 କୋଟି ଓ 55 ଲକ୍ଷ ଟଙ୍କା କନକର୍ଡ ଡିଜାଇନ ଋଣ ଥିଲା ବୋଲି ନୋଟରେ ଦର୍ଶାଯାଇଛି।