ହାଇଦ୍ରାବାଦ: ରାଜ୍ୟପାଳ ଇଏସଏଲ ନରସିମହା ରବିବାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜଧାନୀ ହାଇଦ୍ରାବାଦ ଠାରେ ଥିବା ସରକାରୀ ବଙ୍ଗଳାକୁ ତେଲେଙ୍ଗାନାକୁ ଫେରାଇବା ପାଇଁ ଆନ୍ଧ୍ରପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।
ଅବିଭକ୍ତ ଆନ୍ଧ୍ରର ବିଭାଜନ ବେଳେ ରାଜଧାନୀ ହାଇଦ୍ରାବାଦ ଠାରେ ଥିବା ସରକାରୀ ବଙ୍ଗଳାକୁ ମଧ୍ୟ ଉଭୟ ତେଲେଙ୍ଗାନା ଏବଂ ବିଭାଜିତ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀ ଠାରେ ରାଜ୍ୟ ପ୍ରଶାସନ ପରିଚାଳିତ ହେଉଥିଲା। ନିଜ ଭାଗରେ ପଡିଥିବା ସରକାରୀ ବଙ୍ଗଳାର ମରାମତି ଖର୍ଚ୍ଚ ଏବଂ ବିଦ୍ୟୁତ କର ପ୍ରଦାନ କରୁଥିଲେ ଆନ୍ଧ୍ର ସରକାର।
ଗତକାଲି ତେଲେଙ୍ଗାନାର ରାଜ୍ୟ କ୍ୟାବିନେଟ, ଆନ୍ଧ୍ର ଦ୍ବାରା ବ୍ୟବହାର କରାଯାଉଥିବା ଏହି ସରକାରୀ ବଙ୍ଗଳାକୁ ଫେରାଇ ଦେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ତେବେ ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ ଅଫିସ ପାଇଁ ଆନ୍ଧ୍ରପ୍ରଦେଶକୁ ଗୋଟିଏ ସରକାରୀ ବଙ୍ଗଳା ଦେବା ପାଇଁ ତେଲେଙ୍ଗାନା କ୍ୟାବିନେଟ ରାଜ୍ୟପାଳଙ୍କୁ ଅନୁରୋଧ ଜଣାଇଥିଲା ।
ଏହି ଅନୁରୋଧ ରକ୍ଷା କରିବାକୁ ଯାଇ ରାଜ୍ୟପାଳ ସମସ୍ତ ସରକାରୀ ବଙ୍ଗଳାକୁ ତେଲେଙ୍ଗାନା ପାଇଁ ଆବଣ୍ଟିତ କରିଛନ୍ତି। ଗୋଟିଏ ବଙ୍ଗଳା ଆନ୍ଧ୍ରର ବ୍ୟବହାର ପାଇଁ ପ୍ରଦାନ କରାଯିବ ବୋଲି ଜଣାଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ରାଜ୍ୟପାଳଙ୍କ ଆଦେଶକୁ ସ୍ବାଗତ କରିବା ସହ କହିଛନ୍ତି ଆନ୍ଧ୍ର ପ୍ରଦେଶର ସରକାରୀ କାର୍ଯ୍ୟ ଏଣିକି ଅମରାବତୀ ଠାରେ କରାଯିବ। ଉଭୟ ରାଜ୍ୟର ସରକାର ଲୋକଙ୍କ କଲ୍ୟାଣ ଏବଂ ବିକାଶକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ନେଇଛନ୍ତି ।