ସାରା ଭାରତ ଏବଂ ବିଶ୍ବ ମାର୍ଚ୍ଚ ମାସ ଆରମ୍ଭରୁ କୋଭିଡ-19 ମହାମାରୀ ନେଇ ଚିନ୍ତାରେ ଡୁବିଥିବା ବେଳେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି ନିକଟ ପଡୋଶୀ ଦେଶ ଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ବୟ ରହିପାରିବ ସେ ଦିଗରେ ଗୁରୁତ୍ବ ଦେଇଥିଲେ। ଏହି ଲକ୍ଷ୍ୟରେ ପ୍ରଥମେ ସେ ଅଚଳ ହୋଇ ରହିଥିବା ସାର୍କ ସଂଗଠନକୁ ପୁନରୁଦ୍ଧାର କରି ଏହାର ଶୁଭାରମ୍ଭ କରିଥିଲେ। ମହାମାରୀକୁ ଦକ୍ଷିଣ ଏସୀୟ ରାଷ୍ଟ୍ରସମୂହ କିଭଳି ଭାବେ ସଫଳ ମୁକାବିଲା କରି ପାରିବେ ଆଲୋଚନା ଆରମ୍ଭ କରିଥିଲେ। ଏପରିକି ଏକ ପାଣ୍ଠି ମଧ୍ୟ ଗଠନ କରିଥିଲେ।
ତେବେ ଦେଶରେ କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରୁ ଏହା ଭାରତକୁ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚାଇ ଦେଇଛି। ଏହି ପରିସ୍ଥିତିରେ ଭାରତ ପଡୋଶୀ ରାଷ୍ଟ୍ରଗୁଡିକଠାରୁ ଯାହା ବି ଆଶା କରିନଥିଲା କିମ୍ବା କଳ୍ପନା କରିନଥିଲା ତାହା ଏବେ ନଜରକୁ ଆସୁଛି। ମାଳଦ୍ବୀପକୁ ଛାଡ଼ିଦେଲେ ସାଉଥ୍ ଏସିଆନ ଫର ରିଜିଓନାଲ କୋଅପରେସନ(ସାର୍କ)ରେ ଥିବା ଭାରତର ଅନ୍ୟ ପଡ଼ୋଶୀ ରାଷ୍ଟ୍ର ମହାମାରୀକୁ ରୋକିବା ଦିଗରେ, ଏପରି କି ଆଞ୍ଚଳିକ ସଂପର୍କକୁ ସୁଦୃଢ କରିବା ଦିଗରେ ନୂଆଦିଲ୍ଲୀର ଉଦ୍ୟମରେ ଆଦୌ ଖୁସି ନୁହଁନ୍ତି। ବରଂ ସେମାନଙ୍କର ବିକାଶମୂଳକ କାର୍ଯ୍ୟ ପାଇଁ ସେମାନେ ଚୀନକୁ ବେଶୀ ପସନ୍ଦ କରୁଛନ୍ତି। ଭାରତ-ବାଂଲାଦେଶ ମଧ୍ୟରେ ସାମୁଦ୍ରିକ ଏବଂ ସ୍ଥଳ ସୀମା ରାଜିନାମା ସ୍ବାକ୍ଷରିତ ହେବା ପରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଅନେକ ବିବାଦର ସମାଧାନ ହୋଇଥିଲା। ଏହାପରେ ବିଗତ ପାଞ୍ଚ ବର୍ଷରେ ଦୁଇ ଦେଶର ସମ୍ପର୍କରେ ଅନେକ ଅଗ୍ରଗତି ହୋଇ ‘ସ୍ବର୍ଣ୍ଣୀମ ଅଧ୍ୟାୟ’ ବା ‘ଗୋଲଡେନ ଚାପ୍ଟର’ ସୃଷ୍ଟି ହୋଇଥିଲା। ହେଲେ ବାଂଲାଦେଶ ସେହି ସମ୍ପର୍କକୁ ଦିନକୁ ଦିନ ତୁଟାଇବା ଭଳି ମନେ ହେଉଛି, ଯାହାକି ଭାରତ ପାଇଁ ଅତ୍ୟନ୍ତ କଷ୍ଟଦାୟକ।
ଭାରତର ଉଦବେଗ ନିକଟରେ ଢାକ୍କାରେ ନୂଆ ହାଇ କମିସନର ନିଯୁକ୍ତି ନିଷ୍ପତ୍ତିରୁ ସ୍ପଷ୍ଟ ବାରି ହୋଇ ପଡୁଛି। ବାଂଲାଦେଶ ପାଇଁ ହାଇ କମିସନର ଭାବେ ଯୋଗ ଦେବାର ମାତ୍ର 16 ମାସ ପରେ ରିଭା ଗାଙ୍ଗୁଲି ଦାସଙ୍କୁ ସେଠାରୁ ଫେରାଇ ଅଣାଯାଇଛି। ଦାସଙ୍କୁ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇ ଫେରାଇ ଆଣିବା କୁହାଯାଇଛି, ହେଲେ ଏହା ଭିନ୍ନ ବାର୍ତ୍ତା ଦେଉଛି। କାରଣ ଭାରତୀୟ ହାଇ କମିସନରଙ୍କ ସମ୍ମାନ କେବଳ ଏକ ସରକାରୀ ପଦ ପଦବୀରେ ସୀମିତ ନୁହେଁ। ଏହା ଏକ ରାଜନୈତିକ ନିଯୁକ୍ତି, ଏପରି କି ଅନେକ ବରିଷ୍ଠ କୂଟନୀତିଜ୍ଞ ଢାକ୍କାରେ ଅବସ୍ଥାପିତ ହୋଇଥିଲେ। ବାଂଲାଦେଶ ସୃଷ୍ଟି ହେବା ପରଠାରୁ ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କୁ ଢାକ୍କାରେ ଭାରତୀୟ ହାଇ କମିସନର ନିଯୁକ୍ତି ଦିଆଯାଉଥିଲା, ଯାହାଙ୍କର ଅବାଧ ପ୍ରବେଶ ରହୁଥିଲା। ବିଶେଷ କରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଅମଳରେ, ରହୁଥିବା ଭାରତୀୟ ହାଇ କମିସନରଙ୍କୁ, ସେଠାକାର ସର୍ବୋଚ୍ଚ ପଦାଧିକାରୀଙ୍କ ସହ ସମ୍ମାନ ମିଳୁଥିଲା। ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କ ରହୁଥିଲ। ସେହିପରି କିଛି ଦିନ ତଳେ ଦିଲ୍ଲୀରେ ବାଂଲାଦେଶ ହାଇ କମିସନର ଥିବା ସଏଦ ମୁଆଜିମ୍ ଅଲ୍ଲିଙ୍କର ମଧ୍ୟ ମୋଦି ସରକାରଙ୍କ ସହ ବହୁତ ଭଲ ସମ୍ପର୍କ ରହି ଆସିଥିଲା।
ହେଲେ ରାଜନୈତିକ ନେତୃତ୍ବ ମଧ୍ୟରେ ନିବିଡତାରୁ ସୃଷ୍ଟି ହେଉଥିବା ସୁସମ୍ପର୍କର ଚେର ଦୁଇ ଦେଶର ରାଜଧାନୀ ଯାଏଁ ଲମ୍ବିଥିଲା। ଆଉ ଏହା ବିଗତ ବର୍ଷରେ ଢାକାରେ କ୍ରମଶଃ ମଉଳିଯିବାରେ ଲାଗିଛି। କେବଳ ମାତ୍ର ସରକାରୀ ସ୍ତରରେ କାହିଁକି, ବାଂଲାଦେଶରେ ସାଧାରଣ ଲୋକଙ୍କ ମଧ୍ୟରେ ଭାରତ ବିରୋଧ ମନୋଭାବ ବଢୁଛି। ଭାରତରେ ଶାସକ ଦଳ ବିଜେପିର ନେତାମାନେ ଯେଉଁ ଢଙ୍ଗରେ ବାଂଲାଦେଶୀଙ୍କୁ ବର୍ଣ୍ଣନା କରୁଛନ୍ତି, ତାହା ଶେଖ୍ ହାସିନାଙ୍କୁ ମଧ୍ୟ ସୁସମ୍ପର୍କ ରଖିବାରେ ସମସ୍ୟା ସୃଷ୍ଟି କରୁଛି। ତାଙ୍କ ସରକାର ମଧ୍ୟ ଭାରତୀୟ ନାଗରିକତ୍ବ ସଂଶୋଧନ ଆଇନରେ ଥିବା ବ୍ୟବସ୍ଥା ନେଇ ଅତ୍ୟନ୍ତ ନାରାଜ ରହିଛି। ଆଇନରେ ପାକିସ୍ତାନ ଓ ଆଫଗାନିସ୍ତାନ ସହିତ ବାଂଲାଦେଶକୁ ମଧ୍ୟ ଯୋଡା ଯାଇଥିବାରୁ ଭାରତରେ ରହୁଥିବା ସଂଖ୍ୟାଲଘୁ ବାଂଲାଦେଶୀଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ସେମାନଙ୍କର ଅସନ୍ତୋଷ ଦାନା ବାନ୍ଧୁଛି।
ବାଂଲାଦେଶ ସହିତ ରହିଥିବା ବହୁଦିନର ଭାବଗତ ଏବଂ ସାଂସ୍କୃତିକ ସମ୍ପର୍କରେ ସାମ୍ପ୍ରଦାୟିକତା ରୂପ ଦିଆଯାଉଛି। ଅର୍ଥନୈତିକ କ୍ଷେତ୍ରରେ ଭାରତ ବାଂଲାଦେଶକୁ ବର୍ଷକୁ 10 ବିଲିଅନ ୟୁଏସ ଡଲାରରୁ ଅଧିକ ମୂଲ୍ୟର ସହାୟତା ଦେଉଛି, ଯାହାକି ସାର୍କ ଦେଶ ସମୂହ ମଧ୍ୟରେ ସର୍ବାଧିକ। ଏହାପରେ ବି ଭାରତ ଆପଣାଉଥିବା ବହୁସଂଖ୍ୟକ ନୀତି ଯୋଗୁଁ ବାଂଲାଦେଶ ଭାରତଠାରୁ ମୁହଁ ମୋଡୁଛି। ଦୁଇ ଦେଶ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା ହାଇ କମିସନର ଦାସଙ୍କ ପ୍ରତି ନଜର ଅନ୍ଦାଜ ଘଟଣାରୁ। ଏପରିକି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଚାରି ମାସ ଭିତରେ ଥରଟିଏ ସାକ୍ଷାତ ପାଇଁ ତାଙ୍କୁ ସୁଯୋଗ ମିଳିନଥିଲା। ଅଜାଣତରେ ସେ ଅପମାନିତ ହେଲେ। ପୂର୍ବରୁ ଢାକ୍କାରେ ସାଂସ୍କୃତିକ ପରାମର୍ଶଦାତା ଥିବା ରିଭା ଗାଙ୍ଗୁଲି ଦାସ, ନିର୍ବାଚନରେ ଶେଖ୍ ହାସିନାଙ୍କ ବିପୁଳ ବିଜୟ ପରେ ପରେ, ମାର୍ଚ୍ଚ 2019ରେ ଢାକ୍କାରେ ଭାରତୀୟ ହାଇ କମିସନର ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ଭାରତର ବିଦେଶ ସଚିବ ଥିବା ହର୍ଷ ବର୍ଦ୍ଧନ ସ୍ରିଙ୍ଗଲାଙ୍କ ସ୍ଥାନରେ ସେ ବାଂଲାଦେଶ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଦାସ ତାଙ୍କର ପୂର୍ବ ଅନୁଭୂତିକୁ ପାଥେୟ କରି ଦ୍ବିପାକ୍ଷିକ ସମ୍ପର୍କ ଏକ ନୂଆ ଉଚ୍ଚାଇରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ। ତାଙ୍କର ଆଶା ଆଶାରେ ରହିଗଲା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଦ୍ବାରା ବେଶ୍ ଗ୍ରହଣୀୟ ବିକ୍ରମ ଦୋରାଇସ୍ବାମୀଙ୍କୁ ଦାସଙ୍କ ସ୍ଥାନରେ ଅବସ୍ଥାପିତ କରାଗଲା। ଆଶା କରାଯାଉଛି ଯେ, ଦୁଇ ଦେଶରେ ଥିବା ପୂର୍ବ ସମ୍ପର୍କ ଫେରିଆସିବ।
ଦ୍ବିପାକ୍ଷିକ ସାମୁଦ୍ରିକ ଜଳପଥ ରାଜିନାମା ଥିଲା ଦୁଇ ଦେଶ ସମ୍ପର୍କରେ ଏକ ମାଇଲଖୁଣ୍ଟ। ଏହାର ସପ୍ତାହକ ପରେ ପ୍ରଥମ ମାଲବାହୀ ଜାହାଜ କୋଲକାତାରୁ ଯାଇ ଭାୟା ଛଟୋଗ୍ରାମ(ଚିଚ୍ଚାଗଙ୍ଗ) ଦେଇ ଅଗରତାଲାରେ ପହଞ୍ଚିଥିଲା। ଅର୍ଥନୈତିକ ଓ ବାଣିଜ୍ୟ ସମ୍ପର୍କକୁ ପୁନର୍ଜୀବିତ କରିବା ପାଇଁ ଭାରତ 10ଟି ବ୍ରଜଗଜ୍ ଲୋକୋମୋଟିଭ ବାଂଲାଦେଶକୁ ପ୍ରଦାନ କରିଛି। କିନ୍ତୁ ନିକଟରେ ବାଂଲାଦେଶକୁ ଚୀନ ଦେଇଥିବା ସହାୟତା ଆଗରେ ଏସବୁ ଫିକା ପଡିଯାଇଛି। ଅକ୍ଟୋବର 2019ରେ ଶେଖ ହାସିନାଙ୍କ ଭାରତ ଗସ୍ତ ବେଳେ ସହାୟତା କାର୍ଯ୍ୟକ୍ରମ ଅନୁଯାୟୀ ଭାରତ ଯୋଗାଯୋଗ ବଢାଇବା ପାଇଁ ଅନେକ ପ୍ରକଳ୍ପ ହାତକୁ ନେଇଥିଲେ ମଧ୍ୟ ରାଜନୈତିକ କ୍ଷେତ୍ରରେ ଘଟିଥିବା କ୍ଷତି ପାଇଁ ବାଂଲାଦେଶ ଭାରତକୁ ଛାଡି ଚୀନ ପ୍ରତି ଅଧିକ ଢଳିବାକୁ ଲାଗିଲା। ଚୀନ୍ ମଧ୍ୟ ବାଂଲାଦେଶର ଜରୁରୀ ଆବଶ୍ୟକତା ପୂରଣ କରିବାକୁ ଲାଗିଲା। ଏହା ମଧ୍ୟରେ ଅତି ଗୁରୁତ୍ବପୂର୍ଣ୍ଣ ବଙ୍ଗୋପସାଗରକୁ ପାଟ୍ରୋଲିଂ କରିବା ପାଇଁ କକ୍ସ ବଜାରର ପେକୁଆଠାରେ ଏକ ଅତ୍ୟାଧୁନିକ ସବ୍ ମେରାଇନ ବେସ୍ ନିର୍ମାଣ, ବାଂଲାଦେଶ ନୌସେନାକୁ ଦୁଇଟି ବୁଡାଜାହାଜ ପ୍ରଦାନ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦେଶର ଉତ୍ତରପୂର୍ବରେ ଆସାମ ସୀମାବର୍ତ୍ତୀ ସିଲହଟ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏକ ନୂଆ ଟର୍ମିନାଲ ପାଇଁ ବେଜିଂ ଅର୍ବାନ କନଷ୍ଟ୍ରକସନ ଗ୍ରୁପ ଲିମିଟେଡକୁ କଣ୍ଟ୍ରାକ୍ଟ ପ୍ରଦାନ ଆଦି ପ୍ରକଳ୍ପ ରହିଛି।
ଅନେକ ଉତ୍ତର ପୂର୍ବାଞ୍ଚଳରେ ରାଜ୍ୟରେ ବିଦ୍ରୋହାତ୍ମକ କାର୍ଯ୍ୟକଳାପ ରୋକିବା ପାଇଁ ବାଂଲାଦେଶକୁ ନିୟମିତ ସହାୟତା ଦିଆଯାଉଛି । ସମ୍ପର୍କ ତୁଟୁଥିବା ବେଳେ ଶେଖ୍ ହାସିନା ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାଁ ଦୁହେଁ ଏକାଠି ବସି କାଶ୍ବୀର ପ୍ରସଙ୍ଗ ନେଇ ଆଲୋଚନା କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏହା ଭାରତ ପାଇଁ ଏକ କଠିନ ପରିସ୍ଥିତି ସୃଷ୍ଟି କରିପାରେ, ଯାହାକି ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ପୁନର୍ଜୀବିତ କରିବା ପ୍ରୟାସକୁ ପ୍ରଭାବିତ କରିବ। ସରକାରୀ ବିବୃତି ଦେଖିଲେ ଭିନ୍ନ କଥା ବାହାରକୁ ପ୍ରକାଶ ପାଉଛି। ବାଂଲାଦେଶ ସୂଚନା ମନ୍ତ୍ରୀ ବ୍ୟାପକ ସ୍ତରରେ ଦ୍ବିପାକ୍ଷିକ ସହଯୋଗ କଥା କହି ବାଂଲାଦେଶ ସୃଷ୍ଟି ସମୟକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି, “ବାଂଲାଦେଶର ସ୍ବାଧୀନତା ପରଠାରୁ ଦେଶର ଅର୍ଥନୈତିକ ବିକାଶ ପାଇଁ ଭାରତ ଅନବରତ ସହାୟତା ଯୋଗାଇ ଦେଇ ଆସୁଛି” ଏବଂ ସ୍ବାଧୀନତା ପାଇଁ ସଂଗ୍ରାମରେ ଭାରତର ଐତିହାସିକ ଭୂମିକାକୁ ଧନ୍ୟବାଦ ଦେବାର ଆବଶ୍ୟକତା ରହିଛି”। ଏପଟେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ଓ ବାଂଲାଦେଶୀ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା ଉପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ତାଙ୍କ ପ୍ରତିକ୍ରିୟାରେ ବାଂଲାଦେଶ ସହ ଭାରତର ସମ୍ପର୍କକୁ ଐତିହାସିକ କହିବା ସହ ଜାମ୍ମୁ ଓ କାଶ୍ମୀର ଭାରତର “ଆଭ୍ୟନ୍ତରୀଣ ବ୍ୟାପାର” ବୋଲି ଢାକ୍କାର ମତକୁ ପ୍ରଶଂସା କରିଛନ୍ତି। ଚୀନ୍ ଚତୁରତାର ସହ ତାର ନୀତିର ପରିବର୍ତ୍ତନ କରୁଥିବା ବେଳେ ପାକିସ୍ତାନ-ବାଂଲାଦେଶ କଥାବାର୍ତ୍ତାରେ କାଶ୍ମୀର ପ୍ରସଙ୍ଗ ଉଠିବା ଭାରତ ପାଇଁ ଭଲ ସୂଚନା ନୁହେଁ। “ଗୌରବମୟ ଅତୀତ” କଥା କହି କେତେଦିନ ନିଜକୁ ବଞ୍ଚାଇ ହେବ ଏବଂ ଦ୍ବିପାକ୍ଷିକ ସମ୍ପର୍କକୁ ଆଗକୁ ବଢେଇ ହେବ? ଏହା କେବଳ ସମୟ ହିଁ କହିବ।
-ନିଲୋଭା ରୟ ଚୌଧୁରୀ