ଓଡିଶା

odisha

ETV Bharat / bharat

ସତ୍ୟର ପୂଜାରୀଙ୍କ ସତ୍ୟାଗ୍ରହ ସଂଗ୍ରାମ

ଇଂରେଜ ଶାସନରୁ ମୁକ୍ତି ପାଇଁ ଏକ ମଜବୁତ ଅସ୍ତ୍ର ପାଲଟିଯାଇଥିଲା ସତ୍ୟାଗ୍ରହ । ଅହିଂସାର ଏହି ବିଜୟ ବିଗୁଲ ଚମ୍ପାରଣରୁ ବାଜିଉଠିଥିଲା । ସତ୍ୟର ପୂଜାରୀଙ୍କ ସତ୍ୟାଗ୍ରହ ସଂଗ୍ରାମରେ ଭାଗ ନେଇଥିଲେ ବହୁ ଭାରତୀୟ । ଏଥିଲାଗି ପ୍ରତିଟି ସତ୍ୟାଗ୍ରହୀଙ୍କୁ କେତେ କଣ ସହିବାକୁ ପଡିଛି , ହେଲେ ଶେଷରେ ଏମାନଙ୍କ ପ୍ରଚେଷ୍ଟା ଦେଶବାସୀଙ୍କୁ ସ୍ବାଧୀନ କରିଛି । ତେବେ ଏ ନେଇ ନଚିକେତା ଦେଶାଇଙ୍କ କଲମ ମୁନରୁ କିଛି ଅଜଣା କଥା...

ଡିଜାଇନ ଫଟୋ

By

Published : Aug 21, 2019, 7:02 AM IST

Updated : Aug 21, 2019, 1:12 PM IST

ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅତୁଳନୀୟ ଅବଦାନ ରହିଛି । 1915 ଜାନୁଆରୀରରେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ଫେରିବା ପରେ ଆରମ୍ଭ କରିଥିଲେ ଗୋରା ସରକାର ବିରୋଧରେ ସତ୍ୟ ଓ ଅହିଂସାର ଆରପାର ଲଢେଇ । ଶୋଷଣ, ଅନ୍ୟାୟ, ଅତ୍ୟାଚାର ଏବଂ ବର୍ଣ୍ଣବୈଷମ୍ୟ ବିରୋଧରେ ଗାନ୍ଧୀ ସତ୍ୟାଗ୍ରହ ଆନ୍ଦୋଳନର ଡାକରା ଦେଇଥିଲେ । ତେବେ ଏ ନେଇ ନଚିକେତା ଦେଶାଇ (ବରିଷ୍ଠ ଫ୍ରିଲାନ୍ସର ଓ ଗାନ୍ଧୀବାଦୀ, ମହାତ୍ମା ଗାନ୍ଧୀଙ୍କ ବ୍ୟିକ୍ତିଗତ ସଚିବ ମହାଦେବ ଦେଶାଇଙ୍କ ପୁଅ ) ଙ୍କ ଦ୍ବାରା ଲିଖିତ କିଛି ଅଜଣା କଥା, ପଢନ୍ତୁ...

ଆଖି ବଦଳରେ ଆଖି, ଭାବନା ଯଦି ସମସ୍ତଙ୍କ ମନରେ ରହିବ ତେବେ ଦିନେ ଏହି ଧାରଣା ସାରା ଦୁନିଆକୁ ଅନ୍ଧ କରିଦେବ।

ଏପରିକି ବାପୁଙ୍କ ସତ୍ୟାଗ୍ରହ ଚିନ୍ତାଧାରା ନେଲସନ ମଣ୍ଡେଲା ଓ ମାର୍ଟିନିୟର କିଙ୍ଗଙ୍କୁ ପ୍ରଭାବିତ କରିବା ସହ ଅହିଂସାର ପଥରେ ଚାଲିବାକୁ ଅନୁପ୍ରାଣିତ କରିଥିଲା ।

ଉଭୟ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଗାନ୍ଧୀଙ୍କ ସତ୍ୟାଗ୍ରହର ଅତୁଳନୀୟ ଯୋଗଦାନ ରହିଛି । ଏହାକୁ ଅସ୍ତ୍ର କରି ବିନା ରକ୍ତପାତରେ ଅନ୍ୟାୟ ବିରୋଧରେ ରଣହୁଙ୍କାର ଦେଇଥିଲେ ଜାତିର ପିତା । ଅହିଂସାର ଏହି ଆନ୍ଦୋଳନ ଗୋରା ସରକାରର ଏକଛତ୍ରବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ଲକ୍ଷ ଲକ୍ଷ ମହିଳା ଓ ପୁରୁଷଙ୍କୁ ସ୍ବାଧୀନତାର ସ୍ବାଦ ଚାକିବା ପାଇଁ ଲଢିବାକୁ ଶକ୍ତି ଯୋଗାଇଥିଲା । ଏବଂ ଇଂରେଜଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲା ।

1917ରୁ 1942 ମଧ୍ୟରେ ଗାନ୍ଧୀଙ୍କ ନେତୃତ୍ବରେ ଯେବେ ବି ସତ୍ୟାଗ୍ରହ ଆନ୍ଦୋଳନ ହୋଇଛି, ସବୁଥିରେ ମହିଳାଙ୍କ ଭାଗୀଦାରକୁ ସୁନିଶ୍ଚିତ କରାଯାଇଛି । ସତ୍ୟାଗ୍ରହର ପ୍ରଥମ ପର୍ଯ୍ୟାୟରେ ଗାନ୍ଧୀ ଗିରଫ ହେବା ପରେ ତାଙ୍କ ପତ୍ନୀ କସ୍ତୁରବା ଏହି ଆନ୍ଦୋଳନକୁ ଆଗକୁ ନେଇଥିଲେ ।

ସତ୍ୟାଗ୍ରହରରେ ଭାଗ ନେଇଥିବା ପ୍ରତିଟି ବ୍ୟକ୍ତିତ୍ବ ଥିଲେ ଅତ୍ୟଧିକ ଅନୁଶାସିତ । ଏଥିପାଇଁ ସେ ନିଜ ପତ୍ରିକା ୟଙ୍ଗ୍ ଇଣ୍ଡିଆ, ହରିଜନ ଓ ନବଜୀବନରେ ନିଜର ଅନୁଭବକୁ ଶବ୍ଦ ଦେଇ ଲୋକଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରିଥିଲେ । ଏପରିକି ସତ୍ୟାଗ୍ରହୀଙ୍କ ତାଲିମ ପାଇଁ 1920ରେ ପ୍ରଶିକ୍ଷିଣ କେନ୍ଦ୍ର ରୂପେ ଗୁଜୁରାଟ ବିଶ୍ବବିଦ୍ୟାଳୟ ସ୍ଥାପନା କରିଥିଲେ । ଏହା ପରେ ଗୁଜୁରାଟ ବିଦ୍ୟାପୀଠର ବିଦ୍ୟାର୍ଥୀ ଓ ଶିକ୍ଷକ ଉଭୟ ଲବଣ ସତ୍ୟାଗ୍ରହ ଓ ଅନ୍ୟ ପ୍ରମୁଖ ଅନ୍ଦୋଳନରେ ଭାଗ ନେଇଥିଲେ ।


ତେବେ ଭାରତରେ ମହାତ୍ମାଙ୍କ ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ 1917ରେ ବିହାରର ଚମ୍ପାରଣରେ ଚାଷୀଙ୍କୁ ଶୋଷଣ ବିରୋଧରେ କରାଯାଇଥିଲା । ଚମ୍ପାରଣରେ ଗାନ୍ଧୀ ଏହି ଅଭିଯାନ ଇଂରେଜଙ୍କୁ ନାକେଦମ କରିଦେଇଥିଲା । ଏହି ଆନ୍ଦୋଳନ ଏତେ ପ୍ରଭାବଶାଳୀ ଥିଲା ଯେ, ସେହି ସମୟରେ ସମଗ୍ର ଦେଶର ନଜର ଏଠାରେ ଅଟକିଯାଇଥିଲା । ଶେଷରେ ସରକାର (ବ୍ରିଟିଶ) ବାଧ୍ୟହୋଇ ଏକ ଯାଞ୍ଚ ଆୟୋଗ ନିଯୁକ୍ତି କରିଥିଲେ । ଆଉ ଏଥିରେ ଗାନ୍ଧୀଙ୍କୁ ସଦସ୍ୟ ଭାବେ ରଖାଯାଇଥିଲା । ଏହାର ପରିଣାମ ସମସ୍ତଙ୍କ ଆଗରେ । ନୂଆ ଆଇନ ତିଆରି କରି ସମସ୍ତ କୁପ୍ରଥାଗୁଡିକୁ ସମାପ୍ତ କରାଯାଇଥିଲା । ଏହା ପରେ ବାଜି ଉଠିଥିଲା ଗାନ୍ଧୀଙ୍କ ସତ୍ୟାଗ୍ରହର ଶଙ୍ଖ । ଏଥିଯୋଗୁଁ ତ ଚମ୍ପାରଣ ଜିଲ୍ଲା ସତ୍ୟାଗ୍ରହର ଜନ୍ମସ୍ଥଳୀ ଭାବେ ପରିଚିତ ।

ଦେଶରୁ ଇଂରେଜ ସରକାରକୁ ଉପାଡି ଫୋପାଡିବା ପାଇଁ ଅତୀତରେ ହିଂସାର ପ୍ରୟୋଗ ହୋଇଥିଲା । ପ୍ରଥମେ 1857 ମସିହାରେ ମଙ୍ଗଳ ପାଣ୍ଡେଙ୍କ ନେତୃତ୍ବରେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା । ହେଲେ ଶେଷରେ ଇଂରେଜଙ୍କ ରୋଷର ଶିକାର ହୋଇ ପ୍ରାଣ ହାରିଥିଲେ ବୀର ମାଟିର ପୁଅ ମଙ୍ଗଳପାଣ୍ଡେ । ସେହିପରି ମୋଗଲ ବାଦଶାହ ଜଫର, ଖୁଦିରାମ ବୋଷ ଭଳି କ୍ରାନ୍ତିକାରୀ ନେତା ଇଂରେଜଙ୍କ ପାଇଁ ଅସ୍ତ୍ର ଧରିଥିଲେ । ହେଲେ ଏମାନଙ୍କ ପଛରେ ଠିଆ ହେବାକୁ ସାହାସ ନ ଜୁଟାଇପାରି ଗୋରାଙ୍କ ଅତ୍ୟାଚାରକୁ ମୁଣ୍ଡପାତି ସହିନେଉଥିଲେ କୋଟି କୋଟି ଭାରତୀୟ ।


ଗାନ୍ଧୀଙ୍କ ଦ୍ବାରା ଆହୂତ ସତ୍ୟାଗ୍ରହ ଓ ଅହିଂସାର ଅବଧାରଣା ତାଙ୍କ ସରଳ ଜୀବନ ସହ ସାମଞ୍ଜସ୍ୟ ରଖେ । ଏଥି ପାଇଁ ତ ଦେଶରୁ ସହୁକାର, ମହିଳାଙ୍କୁ ଉତ୍ପୀଡନ ଭଳି କୁପ୍ରଥା ଲୋପ ପାଇଥିଲା । ଆଉ ଗାନ୍ଧୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ବି ଦେଶରୁ ସ୍ବାଧାନତା ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 21, 2019, 1:12 PM IST

ABOUT THE AUTHOR

...view details