ହାଇଦ୍ରାବାଦ: ମୋହନଦାସ କରମଚାନ୍ଦ ଗାନ୍ଧୀ ତଥା ଅହିଂସାର ଜନକ ବାପୁଜୀ । ନିଜ କାର୍ଯ୍ୟ ଓ ଲେଖା ମାଧ୍ୟମରେ ଯୁବପୀଢି ତଥା ସାଧାରଣ ନାଗରିକଙ୍କ ମଧ୍ୟରେ ଅହିଂସାକୁ ପ୍ରସାରିତ କରିଥିଲେ ସେ । ଅହିଂସା ହିଁ ହିଂସାକୁ ପରାଜିତ କରିପାରିବ ବୋଲି ସେ ଲୋକଙ୍କୁ ବୁଝାଉଥିଲେ ।
ଅହିଂସା ଉପାୟରେ ଅନୁପ୍ରାଣୀତ ହୋଇ ଅନେକ ଯୁବକ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକୁ ଆହୁରି ତୀବ୍ର କରିବା ଲାଗି ଗାନ୍ଧୀଜୀ ବିଭିନ୍ନ ସ୍ଥାନରେ ସଭା ସମିତି କରି ଆନ୍ଦୋଳନରେ ଯୋଗଦେବାପାଇଁ ଲୋକଙ୍କୁ କହୁଥିଲେ । ଏଥିରେ ପ୍ରଭାବିତ ହୋଇ 1930 ମସିହାରେ ଉତ୍ତରପ୍ରଦେଶ ଝାନସୀର ବାସିନ୍ଦା ଦୁର୍ଗାପ୍ରସାଦ ଶର୍ମା ଗାନ୍ଧୀଜୀଙ୍କୁ ଚିଠି ଲେଖି ନିଜର ଇଚ୍ଛା ପ୍ରକଟ କରିଥିଲେ ।
ଦୁର୍ଗାପ୍ରସାଦଙ୍କ ଚିଠିର ପ୍ରତିଉତ୍ତର ଦେବାକୁ ଯାଇ ଗାନ୍ଧୀଜୀ ସେ ଅଞ୍ଚଳର ଅଧିକରୁ ଅଧିକ ଯୁବକଙ୍କୁ ଆନ୍ଦୋଳନରେ ସାମିଲ କରିବା ପାଇଁ ନିଜ ସେକ୍ରେଟାରୀ ମାଧ୍ୟମରେ ଚିଠି ଲେଖି ଜଣାଇଥିଲେ । ସେହି ଦିନଠାରୁ ଦୁର୍ଗାପ୍ରସାଦ ସ୍ବାଧୀନତା ଆନ୍ଦୋଳନ ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପିତ କରିଥିଲେ ।