ହାଇଦ୍ରାବାଦ: ଦେଶ ପାଳୁଛି ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ । ଏହା ବାଦ୍ ପ୍ରତିବର୍ଷ ଅକ୍ଟୋବର 2 ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ । ଏହି ସମୟରେ ଆମେ ସ୍ବାଧୀନତା ପାଇଁ ଗାନ୍ଧୀଙ୍କ ଭୂମିକା ଓ ଗାନ୍ଧୀଙ୍କ ତ୍ୟାଗ କଥା ମନେ ପକାଉ । ତେବେ ସ୍ବାଧୀନତାକୁ ନେଇ ଗାନ୍ଧୀଙ୍କ ବିଚାର କଣ ଥିଲା । କଣ ତାହା ଏଯାଏଁ ଫଳପ୍ରଦ ହୋଇଛି । ଏସବୁର ଉତ୍ତର ପାଇବାକୁ ହେଲେ ଆଜି ଆମକୁ ସ୍ବାଧୀନତା ନେଇ ଗାନ୍ଧୀଙ୍କ ବିଚାର କଣ ତାହା ଜାଣିବାକୁ ପଡିବ ।
ଗାନ୍ଧୀଙ୍କ ବିଚାରରେ ସ୍ବାଧୀନତା ଅର୍ଥ ଆତ୍ମପରିଚାଳନା, ସ୍ବେଚ୍ଛାଚାରିତା ନୁହେଁ । ଗାନ୍ଧୀ କହୁଥିଲେ ମାତୃଭୂମିର ଉପକାର ପାଇଁ ଯେଉଁମାନେ ଶ୍ରମଦାନ କରୁଛନ୍ତି, ସେମାନଙ୍କର ମାନସିକ ତଥା ଶାରିରୀକ ସହଯୋଗରେ ଭାରତର ପରିଚାଳନାକୁ ମୁଁ ସ୍ବରାଜ ବା ସ୍ବାଧୀନତା କହିଥାଏ । ସ୍ବାଧୀନତା ନିମନ୍ତେ ସମସ୍ତେ କ୍ଷମତା ପ୍ରାପ୍ତ ହେବା ଦରକାର । ଯାହାକି ଶିକ୍ଷା ମାଧ୍ୟମରେ ସମ୍ଭବ ।
ଦେଶରେ ସମସ୍ତ ବ୍ୟକ୍ତିଙ୍କ ମୁକ୍ତିକୁ ସ୍ବାଧୀନତା କୁହାଯାଏ । ଲୋକସଭାରେ ଗୃହୀତ ସିଦ୍ଧାନ୍ତ ଆମକୁ ସାମ୍ବିଧାନିକ ସ୍ବରାଜ ଦେଇପାରେ କିନ୍ତୁ ଆଭ୍ୟନ୍ତରୀଣ ସମସ୍ୟାର ଯଦି ଆଶୁ ସମାଧାନ କରିନପାରୁ, ତାହେଲେ ଏ ସ୍ବରାଜ କେବଳ କଳ୍ପନା ବ୍ୟତୀତ ଅନ୍ୟକିଛି ନୁହେଁ । ଇଂରେଜମାନେ ଚାଲିଗଲେ ଯେ ଆମେ ସ୍ବାଧୀନ ହେଲୁ ଏହା ଭାବିବା ଭୁଲ୍ । ଯେତେବେଳେ ପ୍ରତ୍ୟେକ ଗ୍ରାମବାସୀ ବୁଝିବେ ଯେ ସେମାନେ ହେଉଛନ୍ତି ସେମାନଙ୍କ ଭାଗ୍ୟର କର୍ଣ୍ଣଧାର ଓ ପ୍ରତିନିଧି ବାଛି ନିଜେ ନିଜକୁ ଶାସନ କରିବାରେ କ୍ଷମ, ସେତେବେଳେ ଯାଇ ସ୍ବାଧୀନତା ଆସିଲା ବୋଲି ଜାଣିବା । ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ବାଧୀନତା ଓ ନିରାପତ୍ତା ରକ୍ଷା କରିପାରିଲେ ସ୍ବରାଜର ତାତ୍ପର୍ଯ୍ୟ ଓ ମହତ୍ତ୍ବ ରକ୍ଷା କରାଯାଇପାରିବ ।