ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଭାରତ-ପାକିସ୍ତାନର କୃଷି ପ୍ରଧାନ ରାଜ୍ୟଙ୍କ ପାଇଁ ପ୍ରଧାନ ଶତ୍ରୁ ପଙ୍ଗପାଳ ସାଜିଛନ୍ତି । ଅତି ମାତ୍ରାରେ ପଙ୍ଗପାଳ ଦୁଇ ଦେଶର କୃଷକ ମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ଫଳରେ ଗତ କିଛି ମାସ ହେଲା ଏହାକୁ ନେଇ ଦୁଇ ଦେଶ ମଧ୍ୟରେ 5ଟି ଉଚ୍ଚସ୍ତରୀୟ ମିଟିଂ ହୋଇସାରିଲାଣି । କୃଷି ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଜୁନ ମାସ ଠାରୁ ଭାରତ ଓ ପାକିସ୍ତାନ ମରୁପ୍ରାନ୍ତ ଜିଲ୍ଲା ମାନଙ୍କୁ ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ମାଡି ଆସିବେ ବୋଲି ସୂଚନା ରହିଛି ।
ବିଗତ ବର୍ଷ ରାଜସ୍ଥାନ ଓ ଗୁଜୁରାଟର ଚାଷୀ ପଙ୍ଗପାଳ ଆକ୍ରମଣରେ ଅନେକ କ୍ଷତି ସହିଛନ୍ତି । ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ପଙ୍ଗପାଳ ପ୍ରାୟ 2ଲକ୍ଷ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଚାଷ ଜମିକୁ ମାଡି ଫସଲ ନଷ୍ଟ କରିବେ । ଏଠାରେ ସୂଚନା ଯୋଗ୍ୟ ଯେ, ମୌସୁମୀ ବାୟୁର ଆଗମନ ଓ ଏହାଫଳରେ ବର୍ଷା ଆରମ୍ଭ ହୋଇଥାଏ । ଠିକ ଏହି ସମୟରେ ପଙ୍ଗପାଳ ଦକ୍ଷିଣପୂର୍ବ ଇରାନ୍, ଦକ୍ଷିଣପଶ୍ଚିମ ପାକିସ୍ତାନ ଏବଂ ହର୍ଣ୍ଣ ଅଫ୍ ଆଫ୍ରିକାରୁ ଭାରତ-ପାକ ଆଡକୁ ମାଡି ଆସିଥାନ୍ତି । ପୂର୍ବରୁ ପାକିସ୍ତାନ ପଙ୍ଗପାଳ ଆତଙ୍କରେ ଆପାତ୍ତକାଳୀନ ପରିସ୍ଥିତି ଦେଶରେ ଘୋଷଣା କରିଥିଲେ ।