ହାଇଦ୍ରାବାଦ: ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ସଙ୍ଗୀନ ହୋଇଛି ପରିସ୍ଥିତି । ଗୁଜୁରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ତ ଆଉ କେଉଁଠି ଲୋକେ ଜଳବନ୍ଦୀ ହୋଇଛନ୍ତି । ଏହା ସାଧାରଣ ଜନଜୀବନ ଉପରେ ପ୍ରଭାବ ପକାଇଥିବା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ଗୁରୁରାଟର ବଦୋଦରା, ଅହମ୍ମଦାବାଦ ସମେତ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । କେତେକ ଅଞ୍ଚଳରେ ଏହା ବନ୍ୟାର ରୂପ ନେଇଥିବା ବେଳେ ଆଉ କେତେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇଛନ୍ତି । ବନ୍ୟାରେ ଏବେ ସୁଦ୍ଧା 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 594 ଲୋକଙ୍କୁ ଏନଡିଆରଏଫ ଟିମ୍ ଉଦ୍ଧାର କରିଛି । ତେବେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ପରିସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି । ସେପଟେ ରାଜ୍ୟରେ ଆଉ 5 ଦିନ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଗାତାର ବର୍ଷା ଫଳରେ ବଦୋଦରାରେ ବିମାନଚଳାଚଲକୁ ବନ୍ଦ ରଖାଯାଇଛି ।