ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ । ଦ୍ବିତୀୟ ପର୍ଯ୍ୟାୟରେ ବିଜ୍ଞାନ ଭବନରେ ସରକାର ଓ ଚାଷୀଙ୍କ ମଧ୍ୟରେ ଦୀର୍ଘ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଛି ଆଲୋଚନା । ଏମଏସପିକୁ ନେଇ ସରକାରଙ୍କ ନିକଟରେ ନିଜର ଦାବି ପତ୍ର ରଖିଛନ୍ତି ଚାଷୀ ।
ମିଳିତ କୃଷି ସଂଗଠନ ପକ୍ଷରୁ ମୋଟ 10 ପୃଷ୍ଠା ସମ୍ବିଳତ ଦାବି ପତ୍ର ସରକରାଙ୍କୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର କୃଷି ସଚିବଙ୍କୁ ଏହି ଦାବି ପତ୍ର ଦେଇଛନ୍ତି ଚାଷୀ, ଯେଉଁଥିରେ 5ଟି ବିନ୍ଦୁ ରହିଛି । APMC ଅଧିନିୟମରେ 17ଟି ବିନ୍ଦୁରେ ଅସହମତି । ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମର 8ଟି ବିନ୍ଦୁରେ ଅସହମତି । ଏହାସହ କଣ୍ଟ୍ରାକ୍ଟ ଫାର୍ମିଂର 12ଟି ବିନ୍ଦୁରେ ଅସହମତି ପ୍ରକଟ କରିଛନ୍ତି ଚାଷୀନେତା ।
ସରକାରଙ୍କ ପକ୍ଷକୁ ଚାଷୀଙ୍କ ସମସ୍ୟା ଉପରେ ଦସ୍ତାବିଜ ଦିଆଯାଉଛି । ହେଲେ ଚାଷୀନେତାମାନେ ମଧ୍ୟ ନିଜ ଦାବିରେ ଅଟଳ ରହିଛନ୍ତି । ଚାଷୀମାନଙ୍କ ପକ୍ଷରୁ ବାରମ୍ବାର ଏଏସପି ଉପରେ ଗ୍ୟାରେଣ୍ଟିର ଦାବି କରାଯାଉଛି ।
ଗତ ଏକ ସପ୍ତାହ ଧରି ଦିଲ୍ଲୀ ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ଜୋରଦାର ହୋଇଛି । ଆହୁରି ଅନେକ ସଂଗଠନ ଦିଲ୍ଲୀ ମାର୍ଚ୍ଚ କରିବାକୁ ହରିୟାଣା ଏବଂ ପଞ୍ଜାବର ଚାଷୀଙ୍କ ସହ ଯୋଗଦେବା ଆରମ୍ଭ କରିଛନ୍ତି । ତେବେ ଯଦି ସରକାର 2 ଦିନ ମଧ୍ୟରେ ଚାଷୀଙ୍କ କଥା ଶୁଣନ୍ତି ନାହିଁ, ତେବେ ଦିଲ୍ଲୀର ସମସ୍ତ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।
ଏହା ପୂର୍ବରୁ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ଦାବି କରିଥିଲେ ଚାଷୀନେତା । 3ଟି କୃଷି ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ସାରା ଦେଶରେ ଏକ ପ୍ରତିବାଦ ସ୍ବରୂପ ଆମେ ଡିସେମ୍ବର 5 ରେ ମୋଦି ସରକାର ଏବଂ କର୍ପୋରେଟ ହାଉସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରିବାକୁ ଆହ୍ବାନ କରିଛନ୍ତି ଚାଷୀନେତା ।
ମଙ୍ଗଳବାର କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ବିଜ୍ଞାନ ଭବନରେ ହୋଇଥିବା ବୈଠକରେ APMC ଅଧିନିୟମ ଓ ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ପ୍ରେଜେଣ୍ଟେସନ ଜରିଆରେ ବୁଝାଇବାକୁ ପ୍ରୟାସ କରିଥିଲେ ସରକାର ।