ଓଡିଶା

odisha

ETV Bharat / bharat

ପ୍ରତିବାଦ ପତ୍ର ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଥିଲା ଷଡ଼ଯନ୍ତ୍ର: ସଞ୍ଜୟ ନିରୁପମ

କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଦାବି କରି ଦଳର କିଛି ତୁଙ୍ଗ ନେତା ଲେଖିଥିବା ପ୍ରତିବାଦ ପତ୍ର ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଥିଲା ଏବଂ ଏଭଳି ଏକ ପ୍ରୟାସ ଏବେ ଦଳରେ ବିଭାଜନ ସୃଷ୍ଚି କରିପାରେ। ବରିଷ୍ଠ ସାମ୍ବାଦିକ ଅମିତ ଅଗ୍ନିହୋତ୍ରୀଙ୍କୁ ଦେଇଥିବା ଏକ ଏକ୍ସକ୍ଲୁସିଭ ସାକ୍ଷାତକାରରେ ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ନିରୁପମ ଏହା କହିଛନ୍ତି।

By

Published : Aug 29, 2020, 5:00 PM IST

Updated : Aug 29, 2020, 5:45 PM IST

ସଞ୍ଜୟ ନିରୁପମ
ସଞ୍ଜୟ ନିରୁପମ

କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଦାବି କରି ଦଳର କିଛି ତୁଙ୍ଗ ନେତା ଲେଖିଥିବା ପ୍ରତିବାଦ ପତ୍ର ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଥିଲା ଏବଂ ଏଭଳି ଏକ ପ୍ରୟାସ ଏବେ ଦଳରେ ବିଭାଜନ ସୃଷ୍ଚି କରିପାରେ। ବରିଷ୍ଠ ସାମ୍ବାଦିକ ଅମିତ ଅଗ୍ନିହୋତ୍ରୀଙ୍କୁ ଦେଇଥିବା ଏକଏକ୍ସକ୍ଲୁସିଭ ସାକ୍ଷାତକାରରେ ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ନିରୁପମ ଏହା କହିଛନ୍ତି। ପଢନ୍ତୁ ସାକ୍ଷାତକାରର ଉଦ୍ଧୃତାଂଶ:

ପ୍ରଶ୍ନ- କଂଗ୍ରେସରେ ଏବେ କାହିଁକି ନେତୃତ୍ବ ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି?

2019 ଲୋକସଭା ନିର୍ବାଚନ ପରେ ତତ୍କାଳୀନ ଦଳୀୟ ସଭାପତି ରାହୁଲ ଗାନ୍ଧିଙ୍କ ଇସ୍ତଫା କାରଣରୁ ନେତୃତ୍ବ ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି। ଏହି ପଦବୀରେ ନ ରହିବା ପାଇଁ ରାହୁଲ ନିଷ୍ପତ୍ତି ନେଇଥିଲେ ଏବଂ ଏଥିସହିତ ଗାନ୍ଧି ପରିବାର ବାହାରୁ ଜଣେ କେହି ଦଳର ନେତୃତ୍ବ ନେବା ଉଚିତ୍ ବୋଲି ସେ ପ୍ରସ୍ତାବ ରଖିଥିଲେ। ଏହିପରି ଜଣେ ବ୍ୟକ୍ତିଙ୍କୁ ବାଛିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା। ଇତିମଧ୍ୟରେ ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ ପାଇଁ କୁହାଗଲା। ସେହିଦିନ ଠାରୁ କିଏ କଂଗ୍ରେସର ପରବର୍ତ୍ତୀ ସଭାପତି ହେବେ ତାହାକୁ ନେଇ ଆଲୋଚନା ଜାରି ରହିଛି।

ପ୍ରଶ୍ନ- ନିକଟରେ କିଛି ବରିଷ୍ଠ କଂଗ୍ରେସ ନେତା ଦଳରେ ଜଣେ ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତି ଏବଂ ସାଂଗଠନିକ ନିର୍ବାଚନ ଦାବି କରି ସୋନିଆ ଗାନ୍ଧିଙ୍କ ନିକଟକୁ ପତ୍ର ଲେଖିଥିଲେ। ଆପଣ ଏହାକୁ ଏକ ଷଡ଼ଯନ୍ତ୍ରର ରୂପ ଦେଉଛନ୍ତି। କାହିଁକି?

ଏହି ପ୍ରସଙ୍ଗ ନେଇ କୌଣସି ସମସ୍ୟା ନାହିଁ। ସକ୍ରିୟ ଥିବା ଯେ କୌଣସି ରାଜନୈତିକ ଦଳ ପାଇଁ ସର୍ବୋଚ୍ଚ ସ୍ତରରେ ସବୁ କିଛି ବୁଝିବା ସକାଳେ ପୂର୍ଣ୍ଣକାଳୀନ ସଭାପତି ଆବଶ୍ୟକ। ଏହା ଭଲ କଥା। କିନ୍ତୁ ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, କେତେକ ବରିଷ୍ଠ ନେତା ଲେଖିଥିବା ସମ୍ପୃକ୍ତ ପତ୍ର କଂଗ୍ରେସ ଏବଂ ଗାନ୍ଧି ପରିବାରରେ ଅସ୍ଥିରତା ସୃଷ୍ଟି ପାଇଁ ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ଅତୀତରେ ମଧ୍ୟ ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଏଭଳି ଷଡ଼ଯନ୍ତ୍ର ଦିଲ୍ଲୀରେ କିଛି ଦଳୀୟ ନେତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ହୋଇଥିଲା। ଉକ୍ତ ପତ୍ରରୁ ହିଁ ଏହି ଷଡ଼ଯନ୍ତ୍ରର ଆଭାସ ମିଳୁଛି। ଦଳର ଜଣେ କର୍ମୀ ହିସାବରେ, ମୋ ମତରେ ଏବେ ଏପରି ଏକ ନିର୍ବାଚନ କରାଯିବା ଉଚିତ୍ ନୁହେଁ।

ପ୍ରଶ୍ନ- କିନ୍ତୁ କାହିଁକି?

କାରଣ, ମୁଁ ଭାବୁଛି ଏପରି ଏକ ନିର୍ବାଚନ ଅନେକ ଗୋଷ୍ଠୀ ସୃଷ୍ଟି କରିବ। ଏହା ଫଳରେ ଦଳୀୟ ନେତାଙ୍କ ମଧ୍ୟରେ ତିକ୍ତତା ବଢିବ ଏବଂ ଏହା ଦଳରେ ଶତ୍ରୁତା ବଢାଇବା ସହ କଂଗ୍ରେସ ଦଳରେ ବିଭାଜନ ବି ସୃଷ୍ଟି କରିପାରେ। ମୋର ଭୟ ରହିଛି ଏ ସମୟରେ ଏପରି ଏକ ନିର୍ବାଚନ ହେଲେ କ୍ଷମତାର ଖେଳ ଆରମ୍ଭ ହୋଇଯିବ ଏବଂ ନେତାମାନଙ୍କ ମଧ୍ୟରେ ସଂଗଠନରେ କାହାର କେତେ ପ୍ରଭାବ ତାହା ଦେଖାଇବା ପାଇଁ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯିବ। ନିଶ୍ଚିତ ଭାବେ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ନାହିଁ। ଏବେ ଦଳକୁ ସୁଦୃଢ କରିବାକୁ ହେଲେ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବା ଉଚିତ୍।

ପ୍ରତିବାଦ ପତ୍ର ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଥିଲା ଷଡ଼ଯନ୍ତ୍ର: ସଞ୍ଜୟ ନିରୁପମ

ପ୍ରଶ୍ନ-କିନ୍ତୁ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ଏଡ଼ାଇଦେବା ଏକ ଖରାପ ଚିନ୍ତାଧାରା?

କୌଣସି ଗଣତାନ୍ତ୍ରିକ ସଂଗଠନ ଭିତରେ ଗଣତନ୍ତ୍ର ରହିବା ଏବଂ ଦଳୀୟ ନିର୍ବାଚନ କରାଯିବା ଉଚିତ୍। ମୁଁ କିନ୍ତୁ ସମାଲୋଚକମାନଙ୍କୁ ପଚାରିବାକୁ ଚାହେଁ, କେତେ ରାଜନୈତିକ ଦଳରେ ଏଭଳି ପ୍ରକ୍ରିୟା ଅନୁଯାୟୀ କାମ ଚାଲିଛି। ଆମକୁ ପ୍ରଶ୍ନ କରୁଥିବା ଅନ୍ୟ ଦଳଗୁଡ଼ିକରେ ମଧ୍ୟ ଏପରି ବ୍ୟବସ୍ଥା ନାହିଁ। ଆହୁରି ମଧ୍ୟ ମୁଁ ପଚାରିବାକୁ ଚାହେଁ କଂଗ୍ରେସ କାର୍ଯ୍ୟକାରିଣୀର କେତେ ଜଣ ସଦସ୍ୟ ନିର୍ବାଚନ ଜିତିଛନ୍ତି। ସେମାନେ ଦଳରେ ବିଭାଜନ କରି ଦଳକୁ ଦୁର୍ବଳ କରିଦେବା ଭଳି ପ୍ରସଙ୍ଗ ନ ଉଠାନ୍ତୁ ଏବଂ ବରଂ ଦଳକୁ ଏକ ଦୃଢ ବିରୋଧୀ ଭାବେ ଗଢ଼ି ତୋଳନ୍ତୁ ।

ପ୍ରଶ୍ନ-ସୁତରାଂ ଏବେ ଯଦି କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହୁଏ, ଏହା କ’ଣ ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଯିବ?

ଦେଖନ୍ତୁ, ଯଦିବା ଏପରି ନିର୍ବାଚନ ହୁଏ ତେବେ ମୁଁ ଏହାର ଫଳାଫଳ ଆଗୁଆ ଆପଣଙ୍କୁ କହିପାରେ। ଯଦି ରାହୁଲଜୀ ନିର୍ବାଚନ ଲଢନ୍ତି ତେବେ ସେ ଅତି ସହଜରେ ବିଜୟୀ ହେବେ। ଭାରତୀୟ ଯୁବ କଂଗ୍ରେସ ଏବଂ ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିଅନ ଅଫ୍ ଇଣ୍ଡିଆ ପରି ଦଳର ଯୁବ ଶାଖା ମଧ୍ୟରେ ରାହୁଲଜୀ ଏକମାତ୍ର ପସନ୍ଦ। ଆପଣ ଯୁବ ଶାଖାଗୁଡ଼ିକ ପାଖରେ ପହଞ୍ଚି ଜନମତ ସର୍ଭେ କରି ପାରିବେ। ଏପରିକି ଆପଣ ଦଳର ମୁଖ୍ୟମନ୍ତ୍ରୀ ଏବଂ ଦଳୀୟ କର୍ମୀଙ୍କ ପାଖରେ ପହଞ୍ଚି ମଧ୍ୟ କାହାକୁ ସେମାନେ କଂଗ୍ରେସ ସଭାପତି ଭାବେ ଦେଖିବାକୁ ଚାହାଁନ୍ତି ବୋଲି ପଚାରି ପାରନ୍ତି। ଏହା ସତ୍ତ୍ବେ ବି ଯଦି କେହି ଏବେ ଏଭଳି ନିର୍ବାଚନ କରିବା ଜିଦରେ ଅଟଳ ରହନ୍ତି ତେବେ ମୁଁ ଭାବୁନି ଏହା ଦଳ ପାଇଁ ଭଲ ହେବ।

ପ୍ରଶ୍ନ-ଏବଂ କଂଗ୍ରେସ ସମ୍ମୁଖୀନ ହେଉଥିବା ବଡ଼ ଚ୍ୟାଲେଞ୍ଜ କ’ଣ?

ବିଗତ 18 ମାସ ହେଲା ଦେଶସାରା ବୁଲି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଭରି ଦେବା ଭଳି ଜଣେ ପୂର୍ଣ୍ଣକାଳୀନ ନେତା ଦଳରେ ଅଭାବ ରହିଛି। କଂଗ୍ରେସ ପାଇଁ କାମ କରୁଥିବା ନିଷ୍ଠାପର କର୍ମୀ ବହୁସଂଖ୍ୟାରେ ରହିଛନ୍ତି କିନ୍ତୁ ସେମାନେ ଆଜିକା ଦିନରେ ଅସଂଗଠିତ ହୋଇ ରହିଛନ୍ତି। ଆମକୁ ସେମାନଙ୍କୁ ଉତ୍ସାହିତ କରିବାକୁ ପଡ଼ିବ। ଶାସକ ଭାରତୀୟ ଜନତା ପାର୍ଟି ଦିନକୁ ଦିନ କଂଗ୍ରେସ ତୁଳନାରେ ଅତି ଶକ୍ତିଶାଳୀ ଦଳ ହେବାରେ ଲାଗିଛି। ଆମକୁ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ପଡ଼ିବ। ରାହୁଲଜୀ ପୂରା ଶକ୍ତି ସହ ଦଳର ସଭାପତି ହେବା ପରେ ସେ ଦେଶସାରା ବୁଲି କର୍ମୀମାନଙ୍କ ମଧ୍ୟରେ ନୂଆ ଜାଗରଣ ସୃଷ୍ଟି କରିବା ଉଚିତ୍।

ପ୍ରଶ୍ନ-କେତେଶୀଘ୍ର ଏହା ଘଟିବ?

ଆସନ୍ତା ଛଅ ମାସ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ଅଧିବେଶନ ବସିବ ବୋଲି ଅଗଷ୍ଟ 24ରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସ୍ଥିର ହୋଇଛି। ମୋ ମତରେ 2021 ମାର୍ଚ୍ଚ-ଏପ୍ରିଲ ବେଳକୁ ଦଳର ନେତୃତ୍ବ ଏବଂ ସାଂଗଠନିକ ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରସଙ୍ଗର ସମାଧାନ ହୋଇଯିବ ଏବଂ ରାହୁଲ ଗାନ୍ଧି ଦଳର ନୂଆ ସଭାପତି ହେବେ।

-ଅମିତ ଅଗ୍ନିହୋତ୍ରୀ, ବରିଷ୍ଠ ସାମ୍ବାଦିକ

Last Updated : Aug 29, 2020, 5:45 PM IST

ABOUT THE AUTHOR

...view details