ନୂଆଦିଲ୍ଲୀ: ଦେଶର ରାଜନୀତିରେ ରାଜନେତା ଓ ଅପରାଧ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଦେଶର ଏପରି କୌଣସି ରାଜନୈତିକ ଦଳ ନାହିଁ, ଯିଏ ସଂପୂର୍ଣ୍ଣ ଭାବେ ଅପରାଧ ମୁକ୍ତ । ରାଜନୀତିରେ ଅପରାଧୀକରଣ ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । କିନ୍ତୁଦାଗି ସାଂସଦ, ବିଧାୟକଙ୍କୁ ଅଯୋଗ୍ୟ କରିବା ପାଇଁ ସଂସଦକୁ ଆଇନ ଗଢିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।
ରାଜନୀତିରେ ଅପରାଧୀକରଣ ମାମଲାରେ ସର୍ବୋଚ୍ଚ କୋର୍ଟର ୫ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଦାଗି ସାଂସଦ ଓ ବିଧାୟକଙ୍କୁ ଅଯୋଗ୍ୟ କରିବାକୁ ମନା କରିଦେଇଛନ୍ତି । ଏହି ମାମଲାକୁ ଦେଖି କୋର୍ଟ କହିବାକୁ ବାଧ୍ୟ ହୋଇଥିଲେ ଯେ ବର୍ତ୍ତମାନ ସମୟ ଆସିଯାଇଛି ସଂସଦ ଏହି ମାମଲାରେ ଆଇନ ଗଢିବା ଆବଶ୍ୟକ । ଦେଶ ସଂସଦର ଏହି ଆଇନକୁ ଉତ୍କୃଣ୍ଠା ସହ ଅପେକ୍ଷା କରି ବସିଛି ବୋଲି କୋର୍ଟ ଟିପ୍ପଣୀ କରିଥିଲେ ।
କୋର୍ଟ ଆହୁରି କହିଛନ୍ତି ଯେ କାହା ବିରୋଧରେ ଅଭିଯୋଗ ସିଦ୍ଧ ହେଲେ ତାଙ୍କୁ ଅଯୋଗ୍ୟ କରି ହେବ ନାହିଁ । ବିନା ଦଣ୍ଡରେ ନିର୍ବାଚନ ଲଢିବା ପାଇଁ କାହାକୁ ମନା ମଧ୍ୟ କରି ହେବ ନାହିଁ । ଯେଉଁ ରାଜନୈତିକ ଦଳଗୁଡିକର ଦାଗି ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତିସେମାନଙ୍କ ସୂଚନା ୱେବସାଇଟ ଓ ଇଲେକ୍ଟ୍ରୋନିକ, ପ୍ରିଣ୍ଟ ମିଡିଆରେ ସାର୍ବଜନୀନ କରାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ମୁଖ୍ୟତଃ ଏଡିଆର ରିପୋର୍ଟ ଅନୁସାରେ ରାଜ୍ୟସଭା ଓ ଲୋକସଭାରେ ସର୍ବମୋଟ ୩୦ ପ୍ରତିଶତ ସାଂସଦ ଦାଗି ଅଛନ୍ତି । ଏଥିରୁ ୧୭ ପ୍ରତିଶତ ସାଂସଦଙ୍କ ଉପରେ ଗମ୍ଭୀର ଅପରାଧୀକ ମାମଲା ରହିଛି । ଲୋକସଭାର ୫୪୨ ସାଂସଦରୁ ୧୭୯ ସାଂସଦଙ୍କ ବିରୋଧରେ ଅପରାଧୀକ ମାମଲା ଦାଖଲ ଅଛି । ଯାହା ମୋଟ ସାଂସଦର ୩୩ ପ୍ରତିଶତ ହେବ । ଏଥିରୁ ୧୧୪ ଜଣଙ୍କ ଉପରେ ଗମ୍ଭୀର ଅପରାଧିକ ମାମଲା ଦାଖଲ ରହିଛି । ସେହିପିର ରାଜ୍ୟସଭାର ୨୨୮ ସାଂସଦରୁ ୫୧ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଦାଖଲ ରିହଛି । ଏହାସହ ୨୦ ସାଂସଦଙ୍କ ଉପରେ ଗମ୍ଭୀର ଅପରାଧିକ ମାମଲା ଦାଖଲ ରହିଛି । ଦୁଇ ସଦନର ୭୭୦ ସାଂସଦଙ୍କ ମଧ୍ୟରୁ ୨୩୦ ଦାଗି ସାଂସଦ ରହିଛି ।
ଏଥିରୁ ବିଜେପିର ୩୩୯ ସାଂସଦରୁ ୧୦୭ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଦାଖଲ ରହିଛି । ଯେଉଁଥିରୁ ୬୪ ସାଂସଦଙ୍କ ଉପରେ ଗମ୍ଭୀର ଅପରାଧିକ ମାମଲା ଦାଖଲ ଅଛି । ସେହିପରି କଂଗ୍ରେସର ୯୭ ସାଂସଦରୁ ୧୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଦାଖଲ ରହିଛି । ଏହାସହ ଦଳର ୮ ସାଂସଦଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ଦାଖଲ ରହିଛି ।