ବର୍ଜ୍ୟବସ୍ତୁ ପରିଚାଳନା ଯଦି ଠିକ ଭାବେ ହୋଇପାରେ ନାହିଁ , ତାହା ହେଲେ ପରିବେଶଗତ ବିପର୍ଯ୍ୟୟ ସୃଷ୍ଟି ହୁଏ । ବିଷାକ୍ତ ବର୍ଜ୍ୟବସ୍ତୁ ଖୋଲା ଜାଗାରେ ପକାଇଲେ ଓ ସେଗୁଡିକୁ ଅନୁପଯୁକ୍ତ ଭାବେ ଜଳାଇବା ଦ୍ୱାରା ଜନସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥାଏ । ତାହା ହେଲେ ଆବର୍ଜନା ନିପଟାଇବାର ସଠିକ ବାଟ କଣ ? ଏହାର ଉତ୍ତର ହାଇଦ୍ରାବାଦରେ ମିଳିବ। ସହରର ଜବାହରନଗର ଡମ୍ପିଂ ୟାର୍ଡରେ କଠିନ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି । ଏପରି ସଫଳତା ହାସଲ କରିବାରେ ହାଇଦ୍ରାବାଦ ଦକ୍ଷିଣ ଭାରତର ପ୍ରଥମ ସହର ହୋଇଛି । ଏହି ଡମ୍ପିଂ ୟାର୍ଡର କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟରୁ ୧୭ ଦଶମିକ ୪୦ କୋଟି ୟୁନିଟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ସହରର ଅନ୍ୟାନ୍ୟ ସ୍ଥାନରେ ବି ଏଭଳି ପ୍ରକଳ୍ପ କାମ ଚାଲିଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନାରୁ ଉତ୍ପାଦିତ ପ୍ରତି ୟୁନିଟ ବିଜୁଳି ପିଛା ସରକାର ୭ ଟଙ୍କା ୮୪ ପଇସା ଦେବେ ବୋଲି ରାଜିନାମା ହୋଇଛି । ବର୍ତ୍ତମାନ ତ ଏହା ମହଙ୍ଗା ଜଣାପଡୁଛି । କିନ୍ତୁ ସମୟକ୍ରମେ ଏହି ବ୍ୟବସ୍ଥା ସୁଲଭ ହେବ ।
୧୯୮୭ରେ ଦିଲ୍ଲୀର ତିମାରପୁରରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଦୈନିକ ୩ ଶହ ଟନ କଠିନ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଗତ କିଛି ଦଶକ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ୧୮୦ଟି ବାୟୋଗ୍ୟାସ ଓ ବାୟୋ-ସିଏନଜି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ତାମିଲନାଡୁ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ବାୟୋଗ୍ୟାସ ପ୍ରକଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ମଧ୍ୟରେ ଅଛନ୍ତି । ତେବେ ହାଇଦ୍ରାବାଦ ପ୍ରକଳ୍ପର ବିଶେଷତ୍ୱ ହେଲା ଯେ, ଏଠାରେ ଜ୍ୱଳନଶୀଳ ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଓ ସାର ଉତ୍ପାଦନ କରାଯାଏ । ଶସ୍ତା ବିଦ୍ୟୁତ ଉତ୍ପାଦନ ପାଇଁ ରାଜ୍ୟ ସରକାରମାନେ ପ୍ରମୁଖ ସହରରେ ଏଭଳି ଉଦ୍ୟମକୁ ଉତ୍ସାହିତ କରିବା ଆବଶ୍ୟକ।