କୋଭିଡ୍ 19 ସର୍ବବ୍ୟାପୀ ମହାମାରୀ ଦ୍ବାରା ପ୍ରଭାବିତ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସକାଶେ କେତେକ ରାଜ୍ୟ ସରକାର ଗତ ସପ୍ତାହରେ ଶ୍ରମ ଆଇନରେ ସଂଶୋଧନ କରିଛନ୍ତି । ପ୍ରାୟତଃ ନିସ୍ତେଜ ଅବସ୍ଥାରେ ଥିବା ଆମ ଶିଳ୍ପକ୍ଷେତ୍ରକୁ ପୁନର୍ବାର ଚଳଚଞ୍ଚଳ କରାଇବା ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ସରକାର ସର୍ବପ୍ରଥମେ ବିଭିନ୍ନ ଶ୍ରମ ଆଇନରେ କେତେକ କୋହଳ ନୀତି ଘୋଷଣା କରିଥିଲେ । ଉତ୍ତର ପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ହରିଆଣା,ମହାରାଷ୍ଟ୍ର ଏବଂ କେରଳ ମଧ୍ୟ ଏହି ପନ୍ଥା ଅନୁସରଣ କରି ପତନାଭିମୁଖୀ ଶିଳ୍ପ କ୍ଷେତ୍ରର ଅବସ୍ଥା ସୁଧାରିବା ଦିଗରେ ଭିନ୍ନଭିନ୍ନ ପଦକ୍ଷେପ ଘୋଷଣା କରିଥିଲେ । ଓଡ଼ିଶା, ଗୋଆ ଏବଂ କର୍ଣ୍ଣାଟକ ସରକାର ମଧ୍ୟ କେତେକ ରିହାତି ପ୍ରଦାନ ଲାଗି ମନସ୍ଥ କରିଛନ୍ତି । ଏହି ସବୁ ପଦକ୍ଷେପ ମଧ୍ୟରେ ରହିଛି ଶ୍ରମିକଙ୍କ କାର୍ଯ୍ୟ ସମୟ ବୃଦ୍ଧି, ଓଭର୍ଟାଇମ୍ ବା ଅତିରିକ୍ତ କାର୍ଯ୍ୟ ସମୟର ସୀମା ବୃଦ୍ଧି, ନିରୀକ୍ଷଣ ଭଳି ଅମଲାତାନ୍ତ୍ରିକ ବାଧାରୁ ମୁକ୍ତି ଏବଂ କାରଖାନାରେ କୌଣସି ଏକ ଶ୍ରମିକ ସଂଘକୁ ସ୍ବୀକୃତି ଦେବା କ୍ଷେତ୍ରରେ ସ୍ଥିରୀକୃତ ସଦସ୍ୟ ସଂଖ୍ୟାବୃଦ୍ଧି ସହିତ ଏଥିପାଇଁ ତିନି ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଅବଧି ନିରୂପଣ ।
ତେବେ ଏକାଧିକ କଠୋର ପଦକ୍ଷେପ ନେଇ ଉତ୍ତର ପ୍ରଦେଶ ସରକାର କେବଳ ତିନିଟି ବ୍ୟତୀତ ଅନ୍ୟ ସମସ୍ତ ଶ୍ରମ ଆଇନକୁ 1000 ଦିନ ପାଇଁ ନିଲମ୍ବନ କରିଦେଲେ । ନିଲମ୍ବନରୁ ବର୍ତ୍ତି ଯାଇଥିବା ଏହି ତିନିଟି ଆଇନ ହେଲା କୋଠାବାଡ଼ି ଓ ନିର୍ମାଣ ଆଇନ, ଗୋତି ଶ୍ରମିକ ଆଇନ ଏବଂ ମଜୁରି ପ୍ରଦାନ ଆଇନର ପାଞ୍ଚ ନମ୍ବର ଧାରା । ଏ କ୍ଷେତ୍ରରେ ବେଶ୍ ସତର୍କତାର ସହ ପଦକ୍ଷେପ ନେଇ କେରଳ ସରକାର ଘୋଷଣା କଲେ ଯେ, ଗୋଟିଏ ବର୍ଷ ଭିତରେ ସମସ୍ତ ସରକାରୀ ଔପଚାରିକତା ପୂରଣ କରିବାକୁ ପୁଞ୍ଜି ବିନିଯୋଗକାରୀ ସଂସ୍ଥା ରାଜି ହେଲେ ନୂଆ ଶିଳ୍ପ ସଂସ୍ଥା ସ୍ଥାପନ ଲାଗି ଗୋଟିଏ ସପ୍ତାହ ଭିତରେ ଲାଇସେନ୍ସ ପ୍ରଦାନ କରାଯିବ । ହେଲେ, ବୋଧଗମ୍ୟ କାରଣରୁ ସରକାର ଶ୍ରମ ଆଇନରେ କୌଣସି ପରିବର୍ତ୍ତନ ଲାଗି ପ୍ରସ୍ତାବ ଦେଇନାହାନ୍ତି ।
କିନ୍ତୁ ପ୍ରଶ୍ନ ଉଠିପାରେ ଯେ ଆମ ରାଜ୍ୟଗୁଡ଼ିକ ଏବେ କାହିଁକି ଏଭଳି ସଂଶୋଧନ କରିବାକୁ ଜାଗି ଉଠିଲେ । ଏହାର ଦୁଇଟି କାରଣ ଉଲ୍ଲେଖ କରାଯାଇପାରେ । ପ୍ରଥମତଃ, ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁପଳାଇ ଯାଉଥିବାରୁ ମହାରାଷ୍ଟ୍ର ଓ ଗୁଜରାଟ ଭଳି ଅଧିକ ଶିଳ୍ପସମୃଦ୍ଧ ରାଜ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଶିଳ୍ପ କ୍ଷେତ୍ରରେ ମୁଖ୍ୟ ଏବଂ ସର୍ବପ୍ରଥମ ଆବଶ୍ୟକତା ପୂରଣ ନହେଲେ, ଅର୍ଥାତ୍ ପର୍ଯ୍ୟାପ୍ତ କର୍ମଶକ୍ତି ନଥିଲେ, ରୁଗ୍ଣ ଶିଳ୍ପ ସଂସ୍ଥାଗୁଡ଼ିକର ପୁନର୍ବିନ୍ୟାସ ଲାଗି କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ବିଭିନ୍ନ ଅର୍ଥନୈତିକ ପ୍ୟାକେଜ୍ ହୁଏତ ଆଗକୁ ଅଦରକାରୀ ହୋଇପଡ଼ିବ । ନିଜ ନିଜର କାର୍ଯ୍ୟକ୍ଷେତ୍ରରୁ ପଳାୟନ କରିଥିବା ବହୁସଂଖ୍ୟକ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା ସନ୍ଦେହାଚ୍ଛନ୍ନ ରହିଥିବାରୁ, ଯେଉଁ କେତେକ ଶ୍ରମିକ ରହିଯାଇଛନ୍ତି ସେମାନଙ୍କୁ ନେଇ ପୁଣି କାରଖାନା ଆରମ୍ଭ କରିବାକୁ ହେବ । ଅଧିକ ସମୟ ପାଇଁ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଗଲେ ଅବିରତ ଉତ୍ପାଦନ ହୋଇପାରିବ ଏବଂ ଏହା ଯେ କେବଳ ଶିଳ୍ପ ଓ ଅର୍ଥନୀତିର ପୁନରୁଦ୍ଧାର କରିବ ତାହା ନୁହେଁ, ବରଂ ଛାଡ଼ି ପଳାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରି ଆସିବା ପାଇଁ ମନୋବଳ ଯୋଗାଇବ । ଦ୍ବିତୀୟତଃ, ବର୍ତ୍ତମାନ ଚୀନ୍ରେ ଅବସ୍ଥାପିତ ଅନେକ କମ୍ପାନୀ ସେମାନଙ୍କର ଉତ୍ପାଦନ କେନ୍ଦ୍ରକୁ ଅନ୍ୟତ୍ର ନେବା ଲାଗି ଯୋଜନା କରୁଛନ୍ତି ଏବଂ ନିଯୁକ୍ତିଦାତାମାନଙ୍କୁ ସୁହାଇଲା ଭଳି ପଦକ୍ଷେପ ନିଆଗଲେ ହୁଏତ ସେମାନଙ୍କର ଉତ୍ପାଦନ କେନ୍ଦ୍ରକୁ ସେମାନେ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରୋତ୍ସାହିତ ହେବେ ।
ଯୁକ୍ତରାଷ୍ଟ୍ର ଆମେରିକାର ବୃହତ୍ କମ୍ପାନୀ ଆପଲ୍, ଏହାର 25% କାର୍ଯ୍ୟକ୍ରମ ଭାରତକୁ ସ୍ଥାନାନ୍ତର କରିବ ବୋଲି ଘୋଷଣା କରିସାରିଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ଚୀନ୍ରେ ଅବସ୍ଥାପିତ ପ୍ରାୟ 1000 କମ୍ପାନୀ ଭାରତକୁ ସେମାନଙ୍କର କାରବାର ଆଣିବା ଲାଗି ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଗମ୍ଭୀରତାର ସହ ଆଲୋଚନା କରୁଛନ୍ତି । ମନେ କରାଯାଉଛି ଯେ, ଭାରତ ସରକାର ମଧ୍ୟ ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ, ହାର୍ଡୱେୟାର,ଡାକ୍ତରୀ ଉପକରଣ ସମେତ ଫାର୍ମାସ୍ୟୁଟିକାଲ୍ସ, ଚମଡ଼ା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ହେଭି ଇଞ୍ଜିନିୟରିଂକ୍ଷେତ୍ରରେ ଥିବା ବିଭିନ୍ନ କମ୍ପାନୀକୁ ଭାରତକୁ ଆଣିବା ଲାଗି ଲକ୍ଷ୍ୟ ରଖିଛନ୍ତି । ଏହି ସୁଯୋଗକୁ ହାତଛଡା ନକରିବା ପାଇଁ ସରକାର ଏଭଳି ବିଦେଶୀ ବିନିଯୋଗକାରୀଙ୍କ ପାଇଁ 4,61,589 ହେକ୍ଟର (461 ବର୍ଗ କିଲୋମିଟର) ସ୍ଥାନ ନିରୂପଣ କରିସାରିଛନ୍ତି । ଏହା ଫଳରେ ଉପସାଗରୀୟ ଦେଶରୁ ଫେରିଆସିଥିବା ଭାରତୀୟମାନଙ୍କୁ ରୋଜଗାର ପନ୍ଥା ମଧ୍ୟ ମିଳିଯିବ । ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ଗୁଜରାଟ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ କେରଳ ସରକାର ପାଗ ଭିଡ଼ି ସାରିଲେଣି । ଗୁଜରାଟରେ ବହୁ ପରିମାଣର ଅର୍ଥ ବିନିଯୋଗ କରିଥିବା ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟ ଭାରତରେ ଆହୁରି ଭଲ ବିକଳ୍ପ ସନ୍ଧାନରେ ଅଛନ୍ତି । ସମ୍ବିଧାନର ଯୁଗ୍ମ ତାଲିକାରେ ଶ୍ରମ ଏକ ବିଷୟ ରୂପେ ରହିଥିବାରୁ, ଏହି ବିଷୟରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ଯେ କୌଣସି ଆଇନ କେନ୍ଦ୍ର ସରକାରଙ୍କ ଆଇନର ବିରୁଦ୍ଧାଚରଣ କରୁଥିଲେ ତାହା ଅକାମୀ ହୋଇଯିବ । ସେହି କାରଣରୁ ଅନେକ ରାଜ୍ୟ, ଅଧ୍ୟାଦେଶ ବଳରେ ଏସବୁ ସଂଶୋଧନ କରିଛନ୍ତି ।
ଅଧିକନ୍ତୁ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେକୌଣସି ସମ୍ଭାବ୍ୟ ବିବାଦକୁ ଏଡ଼ାଇ ଯିବା ପାଇଁ ଉତ୍ତର ଭାରତର 2ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂଶିବରାଜ ଚୌହାନ, ଏଭଳି ଅଧ୍ୟାଦେଶ ଜାରି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଏ ସଂପର୍କରେ ଅବଗତ କରାଇ ଦେଇଛନ୍ତି । ଏବେ ସଂସଦ ଓ ବିଭିନ୍ନ ରାଜ୍ୟ ବିଧାନସଭାର ଅଧିବେଶନ ବସି ନଥିବା ଘଟଣା ବି ସରକାରଙ୍କୁ ସୁହାଇଛି ଏବଂ ବେଶ୍ କିଛି ଦିନ ପାଇଁ ନିର୍ବିଘ୍ନରେ ଆଗେଇ ଯିବାକୁ ସୁଯୋଗ ଦେଇଛି ।ତଥାପି, ଏ କ୍ଷେତ୍ରରେ ବାଧାବିଘ୍ନ ରହିଛି । କୌତୁହଳର କଥା ଯେ, ଏହି ପଦକ୍ଷେପକୁ ପ୍ରଥମେ ବିରୋଧ କରିଥିବା ଶ୍ରମିକ ସଂଗଠନ ହେଉଛି ବିଜେପି ସହ ଅନୁବନ୍ଧିତ ଭାରତୀୟ ମଜଦୁର ସଂଘ । ଅନ୍ୟ କେତେକ ଶ୍ରମିକ ସଂଗଠନ ବି ଏହିପଦକ୍ଷେପ ବିରୋଧରେ ସ୍ବର ଉଠାଇଛନ୍ତି । ସେମାନେ ଏହି ସବୁ ପଦକ୍ଷେପକୁ “ଶ୍ରମିକ ବିରୋଧୀ” ଏବଂ ଗଣତାନ୍ତ୍ରିକ ଚେତନାର ପରିପନ୍ଥୀ ରୂପେ ଅଭିହିତ କରିଛନ୍ତି । କେତେକ ରାଜ୍ୟ ଶ୍ରମିକ ସଂଘକୁ ସ୍ବୀକୃତି ଦେବା ପାଇଁ ଆବଶ୍ୟକ ସଦସ୍ୟ ସଂଖ୍ୟା ଓ ମାପଦଣ୍ଡ ବଢ଼ାଇ ଦେଇଥିବାରୁ ଏହା ନିଶ୍ଚିତ ଭାବରେ ଶ୍ରମିକ ସଂଗଠନର ସ୍ବାର୍ଥବିରୋଧୀ ସାବ୍ୟସ୍ତ ହେବ । ଗତ ବର୍ଷ ସଂସଦରେ ଗୃହୀତ ମଜୁରି କୋଡ୍ର ଉଲ୍ଲଂଘନ କରୁଥିବା ଯୋଗୁଁ ଏହି ନୂତନ ନିୟମାବଳୀ ବିରୋଧରେ ଅଦାଲତରେ ଆବେଦନ କରାଯାଇପାରେ ।
ହେଲେ, ବିରୋଧୀ ପକ୍ଷ ଶାସନାଧୀନ ବିଭିନ୍ନ ରାଜ୍ୟର ସରକାର ବି, ଭିନ୍ନ ଭିନ୍ନ ମାତ୍ରାରେ ହେଲେ ମଧ୍ୟ ଏଭଳି ସଂଶୋଧନର ଆବଶ୍ୟକତା ଅନୁଭବ କରିଥିବାରୁ ବିରୋଧର ଉଗ୍ର ସ୍ବର ହୁଏତ ନରମି ଯାଇପାରେ । ସଂଶୋଧନର କାର୍ଯ୍ୟକାରିତା ସମୟ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥିବାରୁ ଏ ସଂପର୍କରେ ଏକ ବୈଧ ଆପତ୍ତି ଉଠିପାରେ। ପ୍ରଥମେ କହିବାକୁ ଗଲେ ହରିଆଣା ତିନି ମାସ ସମୟ ଲାଗି ପ୍ରସ୍ତାବ ରଖିଛି, ଉତ୍ତର ପ୍ରଦେଶ 1000 ଦିନ ପାଇଁ ଆଇନଗୁଡ଼ିକୁ ନିଲମ୍ବନ କରିଛି । ଶିଳ୍ପ କ୍ଷେତ୍ରରେ ପୁନରୁଦ୍ଧାର ହାର ନିର୍ଣ୍ଣୟ କରିବାକୁ ତିନି ମାସ ସମୟ ଖୁବ୍ କମ୍ ମନେ ହେଉଥିବା ବେଳେ ତିନି ବର୍ଷ କିମ୍ବା ଆହୁରି ଅଧିକ ସମୟ ଠିକ୍ ବିପରୀତ ମନେହୁଏ । ବିଭିନ୍ନ ସରକାର ସେମାନଙ୍କ ଉଦ୍ଦେଶ୍ୟ ସଂପର୍କରେ ଶ୍ରମିକମାନଙ୍କୁ ସ୍ପଷ୍ଟ ରୂପେ ସୂଚାଇ ଦେବା ସହିତ ଏଭଳି ନୂତନ ପଦକ୍ଷେପ ସେମାନଙ୍କ ସ୍ବାର୍ଥ ପ୍ରତି ହାନିକାରକ ନୁହେଁ ବୋଲି ସେମାନଙ୍କ ମନରେ ବିଶ୍ବାସ ଜନ୍ମାଇବା ଲାଗି ଏହା ହିଁ ପ୍ରକୃଷ୍ଟ ସମୟ ।