ଓଡିଶା

odisha

ETV Bharat / bharat

ଫାଇନକୁ ବିରୋଧ, ପୋଲିସ କର୍ମଚାରୀଙ୍କ ସହିତ ହାତାହାତି

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀଙ୍କ ସହିତ ଗଣ୍ଡଗୋଳ ଦେଖିବାକୁ ମିଳୁଛି । ଗତକାଲି ସନ୍ଧ୍ୟାରେ ରାଞ୍ଚିର ପ୍ଲାଜା ଛକରେ ଦେଖାଦେଇଛି ତୁମୁଳକାଣ୍ଡ। ଜଣେ ଯୁବକ ପୋଲିସ କର୍ମଚାରୀଙ୍କ ସହିତ ହାତାହାତି ହେଉଥିବା ବେଳେ ଉକ୍ତ ଯୁବକଙ୍କୁ ଥାନାର ଅଟକ ରଖିଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 10, 2019, 4:33 PM IST

ରାଞ୍ଚି: ନୂଆ ମୋଟର ଯାନ ଆଇନ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଅଘଟଣ ଦେଖିବାକୁ ମିଳୁଛି । ଏହି କ୍ରମରେ ସୋମବାର ସନ୍ଧ୍ୟାରେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ଯୁବକଙ୍କ ସହିତ ପୋଲିସ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ବିବାଦ ଏପରି ଉଗ୍ର ରୂପ ନେଇଥିଲା ଯେ ତାହା ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ମାତ୍ର ଏନେଇ କୌଣସି ପ୍ରକାର ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ଇରଫାନ ଖାନ ନାମକ ଜଣେ ଯୁବକ ସ୍ଥାନୀୟ ପ୍ଲାଜା ଛକ ଦେଇ ଯାଉଥିଲେ । ଇରଫାନଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ରହିଥିଲେ । ବାଇକ ଚାଳକ ହେଲମେଟ ପିନ୍ଧି ଗାଡ଼ି ଚଳାଉଥିବା ବେଳେ ପଛରେ ବସିଥିବା ଯୁବକ ହେଲମେଟ ପିନ୍ଧି ନଥିଲେ । ଏହି କାରଣ ଯୋଗୁଁ ଟ୍ରାଫିକ ପୋଲିସ ଇରଫାନଙ୍କୁ ଅଟକାଇଥିଲା । ପରେ ଏନେଇ ପୋଲିସ ମୋଟା ଅଙ୍କର ଚାଲାଣ କାଟିଥିଲା । ଯାହାକୁ ନେଇ ଉକ୍ତ ଯୁବକ ଜଣକ ଘୋର ବିରୋଧ କରିଥିଲେ । ବିରୋଧ କରିବା ସହିତ ଗାଡ଼ିର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦେଖାଇଥିଲେ ।

ମାତ୍ର ପଛରେ ବସିଥିବା ଯୁବକ ହେଲମେଟ ପିନ୍ଧିନଥିବା କାରଣରୁ ତାଙ୍କୁ ଜରିମନା ଦେବାକୁ ହେବ ବୋଲି ଟ୍ରାଫିକ ପୋଲିସ କର୍ମଚାରୀ କହିଥିଲେ । ତେବେ ଯୁବକ ଜଣକ ବିରୋଧ କରୁଥିବା ସମୟରେ ପୋଲିସ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା । ଯେଉଁ କାରଣରୁ ଏହି ବିରୋଧ ଗୁରୁତର ରୂପ ନେଇଥିଲା । ପୋଲିସର ଏଭଳି ଗାଳିଗୁଲଜକୁ ବିରୋଧ କରି ଉକ୍ତ ଯୁବକ ଜଣକ ପୋଲିସ ସହିତ ହାତାହାତି ହୋଇଥିଲେ।

ତେବେ ଏହି ଗଣ୍ଡଗୋଳକୁ ଦେଖି ସ୍ଥାନୀୟ ଲାଲପୁର ଥାନା ଅଧିକାରୀ ଅରବିନ୍ଦ ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ହାତାହାତି ପରେ ଉକ୍ତ ଯୁବକ ଜଣକ ସେଠାରୁ ଖସିଯିବାକୁ ପ୍ରୟାସ ମଧ୍ୟ କରିଥିଲା । ମାତ୍ର ପୋଲିସ ଉକ୍ତ ଯୁବକର ବେକକୁ ଧରି ପିସିଆରରେ ବସାଇ ସେଠାରୁ ଥାନାକୁ ନେଇ ଯାଇଥିଲା । ସେଠାରେ ଉକ୍ତ ଯୁବକଙ୍କୁ ପୋଲିସ କର୍ମଚାରୀ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଏହି ଗଣ୍ଡଗୋଳ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା । ତେବେ ଏହି ଘଟଣା ଏଠାରେ ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ଏଠାରେ ବେଶ ଏହିଭଳି ପରିସ୍ଥିତି ଦେଖାଦେଇଛି । ସାଧାରଣ ଲୋକଙ୍କ ଆକ୍ରମଣରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଡାକ୍ତରଖାନରେ ଭର୍ତ୍ତି ହୋଇଥିବା ଦେଖାଦେଇଛି । ଏପରିକି ଇନସପେକ୍ଟର ସ୍ତରର କର୍ମଚାରୀ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନଜିର ରହିଛି ।

ABOUT THE AUTHOR

...view details