କୋଭିଡ୍-19 ଯୋଗୁଁ ଭାରତ ଏକ ଗମ୍ଭୀର ଅର୍ଥନୈତିକ ସଂକଟ ଦିଗରେ ଗତି କରୁଥିବା ସମୟରେ କେତେକ ରାଜ୍ୟ ସରକାର ଶ୍ରମିକମାନଙ୍କ ଆଇନସମ୍ମତ ଅଧିକାର ଛଡ଼ାଇ ନେବା ଦିଗରେ ବିଭିନ୍ନ ପଦକ୍ଷେପ ନେବାକୁ ଉପକ୍ରମ ଆରମ୍ଭ କରିଛନ୍ତି । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଗୁଜରାଟ ଭଳି କେତେକ ରାଜ୍ୟ, ବିଭିନ୍ନ ପ୍ରଚଳିତ ଶ୍ରମ ଆଇନକୁ ସାମୟିକ ଭାବେ ସଂପୂର୍ଣ୍ଣ ରୂପରେ ପ୍ରତ୍ୟାହାର କରିଥିବା ବିଷୟ ଘୋଷଣା କରିଛନ୍ତି । ରାଜ୍ୟରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ନିଆଯାଇଥିବା ଏହି ‘ସଂସ୍କାରମୂଳକ’ ପଦକ୍ଷେପ ଜରିଆରେ ବିଭିନ୍ନ କାରଖାନା, ବାଣିଜ୍ୟିକ ସଂସ୍ଥା ଓ ବ୍ୟାବସାୟିକ ସଂଗଠନକୁ, ଶ୍ରମିକମାନଙ୍କର ନ୍ୟୂନତମ ମଜୁରି, ଛଟେଇ, ବୃତ୍ତିଗତ ସୁରକ୍ଷା ଏବଂ ଚାକିରି ସର୍ତ୍ତାବଳୀ ଭଳି ପ୍ରମୁଖ ପ୍ରସଙ୍ଗରେ ପ୍ରଚଳିତ ନିୟମାବଳୀର ବନ୍ଧନରୁ ମୁକ୍ତ କରାଯାଇଛି । ରାଜସ୍ଥାନ, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି କେତେକ ରାଜ୍ୟ, ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବୃଦ୍ଧି ଭଳି ଶ୍ରମ ସଂକ୍ରାନ୍ତ ନିୟମାବଳୀରେ କେତେକ ସୀମିତ ସଂଶୋଧନ କରିଛନ୍ତି । ଆଉ କେତେକ ରାଜ୍ୟ ବି ଏହି ଧାରା ଅନୁସରଣ କରିପାରନ୍ତି ।
ଉତ୍ତର ପ୍ରଦେଶରେ ଶ୍ରମ ଆଇନରେ ସବୁଠାରୁ ଅଧିକ ମୌଳିକ ପରିବର୍ତ୍ତନର ଉପକ୍ରମ କରାଯାଇଛି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର, ଉତ୍ତର ପ୍ରଦେଶ ନିର୍ଦ୍ଦିଷ୍ଟ ଶ୍ରମ ଆଇନରୁ ଅସ୍ଥାୟୀ ରିହାତି ଅଧ୍ୟାଦେଶ, 2020 ବଳରେ ରାଜ୍ୟରେ ପ୍ରଚଳିତ ସମସ୍ତ ଶ୍ରମ ଆଇନକୁ ତିନି ବର୍ଷ ପାଇଁ ସଂପୂର୍ଣ୍ଣ ନିଲମ୍ବନ କରିଦେଇଛନ୍ତି । ଯେଉଁ କେତେକ ଶ୍ରମ ଆଇନକୁ ବଳବତ୍ତର ରଖାଯାଇଛି, ସେଗୁଡ଼ିକ ହେଲା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ, 1996, କର୍ମଚାରୀ କ୍ଷତିପୂରଣ ଆଇନ, 1923, ଗୋତି ଶ୍ରମିକ ପଦ୍ଧତି (ଉଚ୍ଛେଦ) ଆଇନ, 1976 ଏବଂ ମଜୁରି ପ୍ରଦାନ ଆଇନ,1936ର ଧାରା 5 । ହେଲେ, ନ୍ୟୂନତମ ମଜୁରି ଆଇନ, 1948, ଔଦ୍ୟୋଗିକ ବିବାଦ ଆଇନ, 1947, କାରଖାନା ଆଇନ, 1948 ଏବଂ କର୍ମକ୍ଷେତ୍ର ପରିବେଶ ସଂକ୍ରାନ୍ତ ପ୍ରାୟ 30ଟି ଅନ୍ୟାନ୍ୟ ଆଇନ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ଆଇନକୁ ସାମଗ୍ରିକ ଭାବେ ପ୍ରତ୍ୟାହାର କରିଦିଆଯାଇଛି । ଉତ୍ତର ପ୍ରଦେଶ ଏହି ଘୋଷଣା କରିବାର ପରବର୍ତ୍ତୀ ସମୟରେ, ମଧ୍ୟ ପ୍ରଦେଶ ଏବଂ ଗୁଜରାଟ ଭଳି ରାଜ୍ୟ ମଧ୍ୟ ଶ୍ରମ ଆଇନ ସଂଲଗ୍ନ କେତେକ ପ୍ରମୁଖ ବ୍ୟବସ୍ଥାକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପ ବଳରେ କୌଣସି ବ୍ୟାବସାୟିକ ସଂସ୍ଥା ନିଜ ଇଚ୍ଛାନୁସାରେ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିପାରିବ ଏବଂ ଛଟେଇ କରିପାରିବ । ଏହା ସହିତ ପ୍ରଚଳିତ ସୁରକ୍ଷା ଓ ସ୍ବାସ୍ଥ୍ୟରକ୍ଷା ସଂପର୍କିତ କାର୍ଯ୍ୟଧାରା ଅନୁସରଣରୁ ନୂତନ ସଂସ୍ଥାଗୁଡ଼ିକୁ ଛାଡ଼ କରାଯାଇଛି ଏବଂ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବଢ଼ାଇବା ପାଇଁ ସଂସ୍ଥାମାନଙ୍କୁ ଅଧିକାର ପ୍ରଦାନ କରାଯାଇଛି । ରାଜସ୍ଥାନ, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ମଧ୍ୟ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ଦୈନିକ 8 ଘଣ୍ଟାରୁ 12 ଘଣ୍ଟା ଯାଏ ବଢ଼ାଇବାକୁ
ନିୟମରେ ବ୍ୟବସ୍ଥା କରାଯାଇଥିଲେ ହେଁ ଏହି ସବୁ ରାଜ୍ୟରେ ନିୟୋଜନକାରୀ ସଂସ୍ଥା ଶ୍ରମିକମାନଙ୍କୁ ଓଭରଟାଇମ୍ ବାବଦରେ ଅଧିକ ମଜୁରି ଦେବା ବ୍ୟବସ୍ଥା ରହିଛି । ଶ୍ରମ ଆଇନକୁ ହାଲୁକା କରିବା ଭଳି ଏହି ପରିବର୍ତ୍ତନ, ବିଶେଷତଃ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ସାମଗ୍ରିକ ଭାବେ ଆଇନକୁ ଅକାମୀ କରିଦେବା ଯୋଗୁଁ ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ କର୍ମୀ ଏବଂ ବିରୋଧୀ ରାଜନୈତିକ ଦଳ ଉତ୍କ୍ଷିପ୍ତ ହୋଇଉଠିଛନ୍ତି । ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନ୍ସ (ସିଟୁ) ଏହାକୁ, “ବାସ୍ତବରେ ଦେଶକୁ ସଂପନ୍ନ କରି ଗଢ଼ି ତୋଳୁଥିବା କର୍ମଜୀବୀ ଲୋକଙ୍କ ଉପରେ କ୍ରୀତଦାସ ଅନୁରୂପ ସର୍ତ୍ତ ଆରୋପ କରିବା ଲାଗି ଏହା ଏକ ବର୍ବର ପଦକ୍ଷେପ” ବୋଲି ବର୍ଣ୍ଣନା କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଉଲ୍ଲେଖ କରିଛନ୍ତି ଯେ, କୋରୋନା ଭାଇରସ୍ ସଂକଟ ଆଳରେ “ମାନବିକ ଅଧିକାର କ୍ଷୁଣ୍ଣ କରିବା, ସେମାନଙ୍କୁ ଅସୁରକ୍ଷିତ ପରିବେଶରେ କାମ କରାଇବାକୁ ଅନୁମତି ଦେବା ସହିତ ଶ୍ରମିକମାନଙ୍କ କଣ୍ଠରୋଧ କରି ସେମାନଙ୍କ ଶୋଷଣ କରାଯାଇପାରିବ ନାହିଁ ।” 1 ଏମିତି କି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଓ ବିଜେପି ସହ ଅନୁବନ୍ଧିତ ରାଷ୍ଟ୍ରୀୟ ମଜଦୁର ସଂଘ ମଧ୍ୟ ଏସବୁ ନିଷ୍ପତ୍ତିକୁ ସମାଲୋଚନା କରିଛି । ଏହି ସବୁ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଶ୍ରମ ଆଇନର ସାମୟିକ ପ୍ରତ୍ୟାହାରକୁ ନେଇ ଅନେକ ସାମ୍ବିଧାନିକ ଏବଂ ଆଇନଗତ ପ୍ରଶ୍ନ ଉଠେ । ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ଥିବା ଯୁଗ୍ମ ତାଲିକାର ତାଲିକା-IIIରେ ଶ୍ରମ ସ୍ଥାନ ପାଇଛି । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ବିଷୟରେ ଆଇନ ପ୍ରଣୟନ କରିପାରିବେ । ଶ୍ରମ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ବର୍ତ୍ତମାନ 44ଟି କେନ୍ଦ୍ରୀୟ ଆଇନ ଏବଂ 100ରୁ ଅଧିକ ରାଜ୍ୟ ଆଇନ ରହିଛି । ରାଜ୍ୟ ବିଧାନସଭାରେ ମଧ୍ୟ କେନ୍ଦ୍ରୀୟ ଶ୍ରମ ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଗୃହୀତ ହୋଇପାରେ । କିନ୍ତୁ ଭାରତୀୟ ସମ୍ବିଧାନର 254 (2) ଧାରା ଅନୁସାରେ ଯଦି ରାଜ୍ୟରେ ପ୍ରଣୀତ ଆଇନଗତ ବ୍ୟବସ୍ଥା କେନ୍ଦ୍ର ତୁଳନାରେ ଭିନ୍ନ ହୋଇଥାଏ, ତେବେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ କରେ । ଭାରତୀୟ ସମ୍ବିଧାନର 213 ଧାରା ଅନୁସାରେ ଅଧ୍ୟାଦେଶ ଜାରି କରି ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ସରକାର କେନ୍ଦ୍ର ଦ୍ବାରା ପ୍ରଣୀତ ନିୟମକୁ ଅକାମୀ କରିଦେଇଛନ୍ତି । ଏହି ଧାରା ବଳରେ ରାଜ୍ୟ ବିଧାନସଭା ଅଧିବେଶନ ଚାଲୁ ନଥିବା ସମୟରେ କୌଣସି ବିଷୟରେ ଜରୁରୀ ଆବଶ୍ୟକତା ଉତ୍ପନ୍ନ ହେଲେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରିପାରିବେ ଏବଂ ଏହାର ସମାନ ଆଇନଗତ ସାମର୍ଥ୍ୟ ରହିବ ।