ଶ୍ରୀନଗର: କାଶ୍ମୀର ଘାଟିରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏଠାରେ ଅନେକ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଛନ୍ତି । ଖାସ କରି ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଆତଙ୍କବାଦୀଙ୍କ ଦ୍ବାରା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଏଠାକାର ଅନେକ ଯୁବକ ଆତଙ୍କବାଦର ରାସ୍ତା ଆପଣାଉଛନ୍ତି । ହେଲେ ଏଠାରେ ଏପରି ଅନେକ ଯୁବକ ଅଛନ୍ତି ଯିଏ ଏଭଳି ପରିସ୍ଥିତିରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଆତଙ୍କବାଦ ବଦଳରେ ସେମାନେ ଅନ୍ୟାନ୍ୟ ରାସ୍ତା ବାଛୁଛନ୍ତି ।
ପୁଲୱାମାର ଫିଙ୍ଗଲେନା ଅଞ୍ଚଳର 3 ଯୁବକ ଫାଲକନ୍ ନାମକ ଏକ ବ୍ୟାଣ୍ଡ ଗଠନ କରିଛନ୍ତି । ଯାହାକୁ ଅନେକ ପ୍ରଶଂସା କରାଯାଉଛି । ସେମାନେ ବଲିଉଡ ଏବଂ ହଲିଉଡ ଷ୍ଟାଇଲରେ ଗୀତ ଗାଇ ଲୋକଙ୍କୁ ମନୋରଞ୍ଜନ କରିବା ସହ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଏହି ଯୁବକମାନେ ବ୍ୟାଣ୍ଡ ପାଇଁ ନିଜ ଖର୍ଚ୍ଚରେ ଉପକରଣ କିଣିଛନ୍ତି ।
ତେବେ କାଶ୍ମୀରରେ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ସରକାର କୌଣସି ସମର୍ଥନ ଦେଉନଥିବା ଯୁବକମାନେ କହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବକ କହିଛନ୍ତି, ଏଠାରେ ଅଧିକାଂଶ କଳାକାର ନିଜ ଅର୍ଥରେ ଉପକରଣ କିଣନ୍ତି ଏବଂ ଶୋ’ କରନ୍ତି। ଏହି ବ୍ୟାଣ୍ଡ ସହ ଜଡିତ ତେହସେନ୍ ନାମକ ଯୁବକ କହିଛନ୍ତି, ଜମ୍ମୁ କାଶ୍ମୀରର ଗ୍ରାମାଞ୍ଚଳରେ ଏଭଳି ଭିନ୍ନ କାର୍ଯ୍ୟ କରିବା କଷ୍ଟକର । କାରଣ ସମାଜର ଲୋକମାନେ ଏହାକୁ ଉତ୍ସାହିତ କରନ୍ତି ନାହିଁ । ଅନେକ ସମୟରେ ସୋସିଆଲ ମିଡିଆରେ ସେମାନଙ୍କୁ ସମାଲୋଚନାର ସାମ୍ନା ମଧ୍ୟ କରିବାକୁ ପଡେ । କିନ୍ତୁ ସମାଜର ନକାରାତ୍ମକ ଧାରଣା ସତ୍ତ୍ବେ ସେମାନେ ବ୍ୟାଣ୍ଡ ବଜାଇବା ଜାରି ରଖିଛନ୍ତି ଏବଂ ପରମ୍ପରାଠାରୁ ଭିନ୍ନ କାର୍ଯ୍ୟ କରିବାକୁ ପଦକ୍ଷେପ ନେଇଥିବା ସେ କହିଛନ୍ତି ।