ମୁମ୍ବାଇ: ନିକଟତର ହେବାରେ ଲାଗିଛି ବାତ୍ୟା ନିସର୍ଗ । ସମୟ ଯେତିକି ବଢି ଚାଲିଛି ସେତିକି ବେଗରେ ମାଡି ଆସୁଛି ବାତ୍ୟା । ବର୍ତ୍ତମାନ ମୁମ୍ବାଇ ଠାରୁ ଏହା ଏବେ 150 କିମି ଦୂରରେ ରହିଛି । ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ପ୍ରତି ଘଣ୍ଟାରେ 120 କିମି ରହିବ । 6 ଫୁଟ ଉପରକୁ ଜୁଆର ଉଠିପାରେ । ସେପଟେ ନିସର୍ଗ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି ।
ମହାନଗରୀ ପ୍ରଥମ ଥର ଏପରି ଏକ ବଡ ସାମୁଦ୍ରିକ ଝଡକୁ ସାମ୍ନା କରିବାକୁ ଯାଉଛି । ରାଜ୍ୟ ସରକାର ଏହାର ମୁକାବିଲା ଦିଗରେ ଲାଗିପଡିଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରୁ 80 ହଜାର ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି । ବିଭିନ୍ନ ସ୍ଥାନରେ 20ଟି ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି । 8ଟି ଟିମ ମୁମ୍ବାଇ, ରାୟଗଡରେ 5, ପାଲଘରରେ 2, ଥାନେ 2 , ରତ୍ନଗିରି 2, ସିନ୍ଧୁଦର୍ଗରେ ମଧ୍ୟ ଗୋଟିଏ ଟିମକୁ ମୁତୟନ କରାଯାଇଛି ।