ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହାର ଚର୍ଚ୍ଚା ପୁରା ବିଶ୍ବରେ ହେଉଛି । ତେବେ ଶନିବାର ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀର କୋରୋନା ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋରୋନା ବିରୋଧୀ ଲଡେଇ ପାଇଁ ଦିଲ୍ଲୀ ସରକାର 5ଟି ଅସ୍ତ୍ର ବାଛିଛନ୍ତି । ଯାହା କୋରୋନା ପାଇଁ ରାମବାଣ ସାବ୍ୟସ୍ତ ହେବ ବୋଲି କେଜ୍ରିୱାଲ କହିଛନ୍ତି ।
ଅରବିନ୍ଦ କେଜ୍ରିୱାଲ କହିଛନ୍ତି, କୋରୋନା ବିରୋଧରେ ଆମ ଲଢେଇ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। ମାର୍ଚ୍ଚରେ ଏହା ସମଗ୍ର ବିଶ୍ୱରେ ବ୍ୟାପିବା ପରେ ଅନ୍ୟ ଦେଶରେ ଥିବା ଭାରତୀୟ ସ୍ବଦେଶ ଫେରିବାକୁ ଗୁହାରି କଲେ । ମାର୍ଚ୍ଚ ମାସରେ ପ୍ରାୟ 35000 ଲୋକ ଦିଲ୍ଲୀ ଆସିଥିଲେ, ଯେଉଁ ଦେଶରେ କରୋନା ପ୍ରଭାବ ଅଧିକ ଥିଲା। ସେମାନଙ୍କୁ ସ୍କ୍ରିନିଂ କରାଯାଇଥିଲା ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ସମସ୍ତେ ନିଜ ଘରକୁ ଯାଇଥିଲେ। କାରଣ ସେହି ସମୟରେ କୋରୋନା କମ୍ ଥିଲା । ହେଲେ ସେମାନେ ନିଜ ଘରକୁ ଯିବା ପରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ।
କେଜ୍ରିୱାଲ ଆହୁରି କହିଛନ୍ତି ଯେ, 'ମେ 15 ତାରିଖ ପରେ କୋରୋନା ଦୃତ ଗତିରେ ବିସ୍ତାର କରିବାକୁ ଲାଗିଲା । ଜୁନ ମାସରେ କୋରୋନା ସଂକ୍ରମଣ କମ ହେବ ବୋଲି ଆଶା କରାଯାଉଥିବା ବେଳେ ଏବେ ହିଁ ଅତ୍ୟାଧିକ ମାମଲା ପରିଲକ୍ଷିତ ହେଲା । ଯାହା ଫଳରେ ଡାକ୍ତରଖାନାରେ ଶଯ୍ୟା ସମସ୍ୟା ଉପୁଜିଲା । ଏହାପରେ ଆମେ ଲକଡାଉନ ଖୋଲି ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କଲୁ ବୋଲି କେଜ୍ରିୱାଲ କହିଛନ୍ତି । ସେ କହିଛନ୍ତି, ଦିଲ୍ଲୀର ସମସ୍ତ ପ୍ରମୁଖ ଡାକ୍ତରଖାନାର 40 ପ୍ରତିଶତ ଶଯ୍ୟା କରୋନା ଲାଗି ସଂରକ୍ଷିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ହୋଟେଲକୁ ଡାକ୍ତରଖାନା ସହ ସଂଯୋଗ କରି ସେମାନଙ୍କର କ୍ଷମତା ବୃଦ୍ଧି କରାଯାଇଛି । ଏପରି ଭାବରେ ଆଜି ଶଯ୍ୟା ସଂଖ୍ୟା 3500କୁ ବୃଦ୍ଧି କରାଯାଇଛି । '