ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସବୁଠୁ ଭୟାନକ ସ୍ଥିତିରେ ରହୁଥିବେଳେ, ଏଥିରୁ ନିସ୍ତାର ପାଇଁ ଦିଲ୍ଲୀ କ୍ୟାବିନେଟ ପକ୍ଷରୁ 2ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସହର ଭିତରେ ସ୍ମଗ ଟାଓ୍ବାର ଲଗାଯିବ ଏବଂ ଟ୍ରି ପ୍ଲାଣ୍ଟେସନ ପଲିସି ଅନୁଯାୟୀ, ଏବେ କଟାଯାଉଥିବା ଗଛରୁ 80 ପ୍ରତିଶତ ଟ୍ରାନ୍ସପ୍ଲାଣ୍ଟେସନ କରାଯିବ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏ ବିଷୟରେ ସୂଚନା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, 'ଦିଲ୍ଲୀ ଭିତରେ ଏକ ସ୍ମଗ ଟାୱାର ସ୍ଥାପନ କରାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ସ୍ମଗ ଟାୱାର ଦୁନିଆର ଦ୍ବିତୀୟ ସ୍ମଗ ଟାୱାର ହେବ | ପ୍ରଥମ ସ୍ମଗ ଟାୱାର ଚୀନରେ ସ୍ଥାପିତ ହୋଇଥିଲା' ।
ସିଏମ କହିଛନ୍ତି ଯେ, 'ଦିଲ୍ଲୀରେ ଦୁଇଟି ସ୍ମଗ ଟାୱାର ସ୍ଥାପନ କରାଯିବ । ଗୋଟିଏ କେନ୍ଦ୍ର ସରକାର ସ୍ଥାପନ କରୁଥିବାବେଳେ, ଅନ୍ୟଟି ଦିଲ୍ଲୀ ସରକାର ସ୍ଥାପନ କରିବେ । କେନ୍ଦ୍ର ସରକାର ସ୍ଥାପନ କରୁଥିବା ଏହି ସ୍ମଗ ଟାୱାର ଆନନ୍ଦ ବିହାରରେ ଏବଂ ଦିଲ୍ଲୀ ସରକାରଙ୍କ ତରଫରୁ କନ୍ନାଟ ପ୍ଲେସରେ ସ୍ଥାପନ କରାଯିବ । ତେବେ, ଏହା ଚୀନର ସ୍ମଗ ଟାୱାରର ଟେକ୍ନୋଲୋଜିଠାରୁ ଭିନ୍ନ ରହିବ । ଚୀନର ଏହି ଟାୱାର ଟେକ୍ନୋଲୋଜିରେ ଟାୱାର ନିମ୍ନରୁ ବାୟୁ ଟାଣି ବାୟୁକୁ ସଫା କରିଥାଏ । ଯେଉଁଠାରେ ଦିଲ୍ଲୀ ସରକାର ସ୍ଥାପନ କରୁଥିବା ସ୍ମଗ ଟାୱାରଟି ଉପରୁ ବାୟୁ ଟାଣିବ ଏବଂ ବାୟୁକୁ ସଫା କରିବ ଏବଂ ଏହାକୁ ତଳେ ପକାଇବ ଯାହା ଦ୍ବାରା ଲୋକମାନେ ତଳେ ସ୍ବଚ୍ଛ ବାୟୁ ପାଇପାରିବେ ।