ନୂଆଦିଲ୍ଲୀ: ଦୀର୍ଘ 6 ମାସ ଧରି ତଦନ୍ତ ପରେ ଦିଲ୍ଲୀ ଦଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଲା ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ । ରାହୁଲ ସୋଲାଙ୍କି ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଅଭିଯୋଗରେ କ୍ରାଇମ ବ୍ରାଞ୍ଚ ମୁସ୍ତାକିମ ସାଇଫିଙ୍କୁ ଗିରଫ କରିଛି । ଫେବୃଆରୀ 24 ରେ, ଶିବ ବିହାର ଅଞ୍ଚଳର ରାଜଧାନୀ ବିଦ୍ୟାଳୟ ନିକଟରେ ରାହୁଲ ସୋଲାଙ୍କିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଦିଲ୍ଲୀ ଦଙ୍ଗା ଘଟଣାର ତଦନ୍ତ ବେଳେ ପୋଲିସ ଏହି ମାମଲାରେ ଏକ ଭିଡିଓ ପାଇଥିଲା ଯେଉଁଥିରେ ଅଭିଯୁକ୍ତ ହେଲମେଟ ପିନ୍ଧିଥିବାର ନଜର ଆସିଥିଲା।
ଏହି ମାମଲାରେ ପୋଲିସ ପୂର୍ବରୁ 7 ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କିନ୍ତୁ ଏହି ଦଙ୍ଗାର ମୁଖ୍ୟ ଅଭିଯୁକ୍ତକୁ ଗତ 6 ମାସ ଧରି ଖୋଜୁଥିଲା ପୋଲିସ । ଉକ୍ତ ଅଭିଯୁକ୍ତକୁ ଚିହ୍ନିବା ପାଇଁ ପୋଲିସ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ମଧ୍ୟ କରିଥିଲା ।
ସୂଚନା ଥାଉକି ଶିବ ବିହାର ଅଞ୍ଚଳରେ ସମ୍ପ୍ରଦାୟିକ ଦଙ୍ଗାକାରୀଙ୍କ ଦ୍ୱାରା ରାହୁଲ ସୋଲାଙ୍କିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ବନ୍ଧୁକଧାରୀଙ୍କ ପରିଚୟ ପ୍ରକାଶ କରିବା ପାଇଁ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଲଗାତାର ତଦନ୍ତ ଜାରି ରଖିଥିଲା । କ୍ରାଇମ ବ୍ରାଞ୍ଚ ଅନୁଯାୟୀ, ଦଙ୍ଗା ହେବା ଦିନ ରାହୁଲ ସୋଲାଙ୍କି କିଛି କାମ ପାଇଁ ଘରୁ ବାହାରିଥିଲେ। ସେହି ସମୟରେ ଏକ ସମ୍ପ୍ରଦାୟର ଲୋକେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ଏବଂ ପରେ ଏକ ଭିଡରୁ ରାହୁଲଙ୍କ ଛାତିରେ ଗୁଳି ଆସି ବାଜିଥିଲା ।
ରାହୁଲଙ୍କୁ ତୁରନ୍ତ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଏକ ଭିଡିଓ ଆଧାରରେ ପୋଲିସ 7 ଜଣଙ୍କୁ ଗିରଫ କରିଛି। କିନ୍ତୁ ଏହି ଭିଡ଼ରେ ଗୁଳି ଚଳାଉଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିପାରି ନଥଲା । ଏହି କାରଣରୁ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ଉପରେ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରିଥିଲା।