ନୂଆଦିଲ୍ଲୀ: ଜନତା କର୍ଫ୍ୟୁରେ ରାଜଧାନୀର ରାଜପଥରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ପୋଲିସ କର୍ମୀ ବାହାରକୁ ବାହାରିଥିବା ଲୋକଙ୍କୁ ଫୁଲ ଦେଇ ଘରେ ରହିବାକୁ ଅନୁରୋଧ କରି ଜନତା କର୍ଫ୍ୟୁକୁ ସମ୍ମାନ ଦେବାକୁ କହିଥିଲେ ।
ତେବେ ଦିନକ ପାଇଁ ଦେଶରେ ଲାଗୁ ହୋଇଛି ଜନତା କର୍ଫ୍ୟୁ । ଏହି କର୍ଫ୍ୟୁ ସାଧାରଣତଃ ଜନତାଙ୍କ ଉପରେ ଓ ଜନତାଙ୍କ ଦ୍ବାରା ଲାଗୁ କରାଯାଇଛି । ହେଲେ ଏହାକୁ ପାଳନ କରିବାକୁ ଲୋକଙ୍କୁ ବିନମ୍ର ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କୋରୋନାର ଭୟାବହ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଏହା ଜରୁରୀ । ତେବେ ସମସ୍ତେ ସତର୍କ ଓ ସଜାଗ ରହିଲେ କୋରୋନା ଭାଇରସ ହାରିବ ଓ ମଣିଷ ସମାଜର ଜିତ୍ ହେବ ବୋଲି ମୋଦି କହିଛନ୍ତି ।
ଏବେ ସୁଦ୍ଧା ଦେଶରେ 349 ଜଣ ଆକ୍ରାନ୍ତ ହୋଇଥିବା ବେଳେ 6 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରୋଗର ଭାଉକୁ କମାଇବାକୁ ଲୋକଙ୍କୁ ଅତିକମରେ 12 ଘଣ୍ଟା ପରସ୍ପରଠାରୁ ଦୂରତ୍ବ ରକ୍ଷା କରିବାକୁ ହେବ ।
ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ଦିଲ୍ଲୀ ପୋଲିସ ହରଦୀପ୍ ସିଂ କହିଛନ୍ତି । କାରଣ ପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କ ଭଲ ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ଆମେ ସମସ୍ତେ ଏହାକୁ ପାଳନ କରିବା ଜରୁରୀ । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 27ରେ ପହଞ୍ଚିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।
କେବେଳ ପୋଲିସ କର୍ମୀ ଓ ଗଣମାଧ୍ୟମ କର୍ମୀ,ଡାକ୍ତର ନିଜର ଦାୟିତ୍ବ ପୂରଣ ପାଇଁ ବାହାରକୁ ଆସିପାରିବେ । ଏହି ସମୟରେ ଜଣେ ଡାକ୍ତର ମେଡିକାଲ ଯିବା ସହ ସମସ୍ତ ଜନତାଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି ।