ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ବୃଦ୍ଧି ନେଇ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ମଙ୍ଗଳବାର ଭାରତୀୟ ବାୟୁସେନା ପାଇଁ 106ଟି ପ୍ରଶିକ୍ଷକ ବିମାନ ସମେତ ଆନୁମାନିକ 8,722.38 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉପକରଣ କ୍ରୟକୁ ଅନୁମୋଦନ ପ୍ରଦାନ କରିଛି । ‘ଆତ୍ମନିର୍ଭର ଭାରତ’ ଅନ୍ତର୍ଗତ ଏହି ପଦକ୍ଷେପ ନିଆଯାଇଥିବା ବେଳେ ସ୍ବଦେଶୀ ଦକ୍ଷତା ଉପରେ ନିର୍ଭର କରି ସଶସ୍ତ୍ର ବାହିନୀକୁ ମଜବୁତ କରିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଭାରତୀୟ ସଶସ୍ତ୍ର ବାହିନୀ ଆବଶ୍ୟକ କରୁଥିବା ବିଭିନ୍ନ ପ୍ଲାଟଫର୍ମ ଏବଂ ଉପକରଣର ପୁଞ୍ଜି ଅଧିଗ୍ରହଣ ପାଇଁ ଅନୁମୋଦନ ପ୍ରଦାନ କରିଛି।