ହାଇଦ୍ରାବାଦ: ସି-ସେକ୍ସନ ମାଧ୍ୟମରେ ଯାଆଁଳା ଶିଶୁ ଜନ୍ମ ଦେଲେ କୋରୋନା ଆକ୍ରାନ୍ତ ଗର୍ଭବତୀ ମହିଳା । ଗତ ମଙ୍ଗଳବାର ହାଇଦ୍ରବାଦର ଗାନ୍ଧୀ ହସ୍ପିଟାଲରେ ଜଣେ 20 ବର୍ଷୀୟ ଗର୍ଭବତୀ ମହିଳା ଦୁଇଟି ଯାଆଁଳା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଦୁଇ ଯାଆଁଳା ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ପୂର୍ବରୁ ଗର୍ଭବତୀ ମହିଳା ଜଣଙ୍କ ନିଲୋଫର୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ମହିଳା ଜଣଙ୍କ ଏକ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରୁ ଆସିଥିବାରୁ ମେଡିକାଲ କର୍ତ୍ତୃପକ୍ଷ ତାଙ୍କର କୋରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ତାଙ୍କ ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ଦିଆଯାଇଥିଲା । ଯେଉଁଠାରେ ଗତ ମଙ୍ଗଳବାର ସେ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହା ଜଣାପଡିବା ପରେ ତାଙ୍କୁ ତୁରନ୍ତ ଗାନ୍ଧୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।