ଓଡିଶା

odisha

ETV Bharat / bharat

କୋଭିଡ୍‌-19 ଯୋଗୁଁ ନିର୍ବାଚନ ପ୍ରକ୍ରିୟାରେ ବିକଟ ସମସ୍ୟା ସୃଷ୍ଟି ହୋଇଛି: ସୁନୀଲ ଆରୋରା

ମହାମାରୀ ସମୟରେ ବିହାର ବିଧାନସଭା ନିର୍ବାଚନ । କିଭଳି ମତଦାନ ସାବ୍ୟସ୍ତ କରାଯିବା ସେନେଇ ଏବେ ବଡ ବିକଟ ସମସ୍ୟା ଉପଜିଛି । ଏ ସମ୍ପର୍କିତ ଇଟିଭି ଭାରତ ସହ ଏକ୍‌ସକ୍ଲୁସିଭ୍ ସାକ୍ଷାତକାର ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା । ଅଧିକ ପଢନ୍ତୁ...

By

Published : Jul 17, 2020, 6:59 AM IST

କୋଭିଡ୍‌-19 ଯୋଗୁଁ ନିର୍ବାଚନ ପ୍ରକ୍ରିୟାରେ ବିକଟ ସମସ୍ୟା ସୃଷ୍ଟି ହୋଇଛି
କୋଭିଡ୍‌-19 ଯୋଗୁଁ ନିର୍ବାଚନ ପ୍ରକ୍ରିୟାରେ ବିକଟ ସମସ୍ୟା ସୃଷ୍ଟି ହୋଇଛି

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ସଫଳତାର ସହ ସମାପିତ ହୋଇଛି, କିନ୍ତୁ ବିହାର ବିଧାନସଭା ନିର୍ବାଚନ ଆୟୋଜନରେ ବିଭିନ୍ନ ସରକାରୀ କର୍ତ୍ତୃପକ୍ଷଙ୍କ ପାଇଁ ସାଧନ ଯୋଗାଣ ଓ ସ୍ବାସ୍ଥ୍ୟ ନିରାପତ୍ତା କ୍ଷେତ୍ରରେ ଉତ୍କଟ ସମସ୍ୟା ଉପୁଜିବ । ଇଟିଭି ଭାରତର ଅର୍ଶଦୀପ କୌରଙ୍କ ସହ ଏକ ଏକ୍‌ସକ୍ଲୁସିଭ୍‌ ସାକ୍ଷାତକାରରେ, 65 ବର୍ଷରୁ ଅଧିକ ବୟସର ଭୋଟଦାତାମାନଙ୍କୁ ଡାକ ଜରିଆରେ ଭୋଟ ଦେବାକୁ ଅନୁମତି ଦେବା, ନିର୍ବାଚନ ଉପରେ ବିଶ୍ବ ମହାମାରୀର ପ୍ରଭାବ, ସମାଧାନ ଦିଗରେ ପଦକ୍ଷେପ, ଏବଂ ଡିଜିଟାଲ ପ୍ରଚାର ଅଭିଯାନ ସମୟରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସୁନୀଲ ଆରୋରା ଆଲୋକପାତ କରିଥିଲେ । ସଂପାଦିତ ଉଦ୍ଧୃତାଂଶ:

ପ୍ରଶ୍ନ: ବିଶ୍ବ ମହାମାରୀ ବ୍ୟାପୁଥିବା ସମୟରେ, 2020 ଜୁନ ମାସରେ କମିଶନ ରାଜ୍ୟସଭା ନିର୍ବାଚନ ପରିଚାଳନା କଲେ । ଏ କ୍ଷେତ୍ରରେ ଆପଣ ସମ୍ମୁଖୀନ ହୋଇଥିବା ଆହ୍ବାନ ସଂପର୍କରେ ଦୟାକରି କହିବେ କି ?

ଉତ୍ତର: 19ଟି ରାଜ୍ୟସଭା ଆସନ ପାଇଁ 8ଟି ରାଜ୍ୟରେ 19.06.2020 ଦିନ ଭାରତର ନିର୍ବାଚନ କମିଶନ ସଫଳତାର ସହ ନିର୍ବାଚନ କରାଇଲେ । କୋଭିଡ୍‌-19 କାରଣରୁ ବଳବତ୍ତର ଥିବା ବିଭିନ୍ନ ପ୍ରତିକାର ପଦକ୍ଷେପ ସହିତ ଭୋଟଗ୍ରହଣ ପ୍ରକ୍ରିୟା ସୁସଂଯୋଜିତ ଏବଂ ନିରବଚ୍ଛିନ୍ନ ଭାବେ ଚାଲିଥିଲା । ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, କୋଭିଡ୍‌-19 ପ୍ରତିକାର ବ୍ୟବସ୍ଥାର ପ୍ରତିପାଳନ ସକାଶେ ସମସ୍ତ ରାଜ୍ୟ ସରକାର ଜଣେ ଜଣେ ନୋଡାଲ ଅଫିସର ମନୋନୀତ କରିଥିଲେ ।

ତଦନୁସାରେ, ବାସ୍ତବରେ ଯେଉଁଦିନ ଭୋଟଗ୍ରହଣ କରାଗଲା, ସେଦିନ ପାଖାପାଖି 1000 ଭୋଟଦାତାଙ୍କ ମଧ୍ୟରୁ ମାତ୍ର ଜଣେ କୋଭିଡ୍‌-19 ସଂକ୍ରମିତ (ମଧ୍ୟ ପ୍ରଦେଶରେ) ବୋଲି ନିର୍ଦ୍ଦିଷ୍ଟ ରିପୋର୍ଟ ମିଳିଥିଲା ଏବଂ ଅନ୍ୟ ସବୁ ଭୋଟର ଭୋଟ ଦେଇସାରିବା ପରେ ତାଙ୍କଠାରୁ ଭୋଟଗ୍ରହଣ କରାଯାଇଥିଲା । ରାଜସ୍ଥାନରେ ମଧ୍ୟ ଅନ୍ୟ ଜଣେ ସନ୍ଦିଗ୍ଧ କୋଭିଡ-19 ଭୋଟଦାତାଙ୍କ ସଂପର୍କରେ ରିପୋର୍ଟ ମିଳିଥିଲା ଏବଂ ଅନ୍ୟ ଭୋଟଦାତାମାନେ ଭୋଟ ଦେଇ ସାରିବା ପରେ ସେ ଭୋଟ ଦେଇଥିଲେ । ଯଦିଓ ଭୋଟଦାତାଙ୍କ ମଧ୍ୟରୁ କେହି ହାସପାତାଳରେ ଭର୍ତ୍ତି ହୋଇଥିବା ରୋଗୀ ନଥିଲେ, ତଥାପି ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କମିଶନ ସ୍ବତନ୍ତ୍ର ସୁବିଧା ବ୍ୟବସ୍ଥା କରିଥିଲେ ।

ପ୍ରଶ୍ନ; ଦେଶରେ କୋଭିଡ-19 ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ବିହାର ବିଧାନସଭା ନିର୍ବାଚନ ଏବଂ ମଧ୍ୟ ପ୍ରଦେଶର ବିଭିନ୍ନ ଆସନ ପାଇଁ ଉପ ନିର୍ବାଚନ ଆୟୋଜିତ ହେବ କି ? ଭୋଟଦାତାମାନଙ୍କର ଏବଂ ଭୋଟଗ୍ରହଣ ପ୍ରକ୍ରିୟାର ସୁରକ୍ଷା ଓ ନିରାପତ୍ତା ଦିଗରେ ଆପଣ କିଭଳି ପ୍ରସ୍ତୁତି କରିଛନ୍ତି ?

ଉତ୍ତର: ଠିକ ସମୟରେ ବିହାର ବିଧାନସଭା ନିର୍ବାଚନ ପରିଚାଳନା ସକାଶେ ଭାରତର ନିର୍ବାଚନ କମିଶନର, ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ ସ୍ତରରେ ଆବଶ୍ୟକ ପ୍ରସ୍ତୁତି ଚାଲିଛି । ସମସ୍ତ ସାଧନ ଯୋଗାଣ ପ୍ରକ୍ରିୟା ଏବଂ ବିଶ୍ବ ମହାମାରୀ ସ୍ଥିତି ଜନିତ ଉଦବେଗକୁ ଦୃଷ୍ଟିରେ ରଖି ନିର୍ବାଚନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ବିଶ୍ବ ମହାମାରୀର ପ୍ରକୋପ ସମୟରେ, ସାମାଜିକ ଦୂରତା ଏବଂ ବିଶୋଧନ ଦିଗରେ ସମସ୍ତ ଆବଶ୍ୟକତା ପୂରଣ ଲାଗି ବନ୍ଦୋବସ୍ତ କରିବାକୁ ନିର୍ବାଚନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ଦ୍ଦେଶାବଳୀରେ ଉପଯୁକ୍ତ ସଂଶୋଧନ କରାଯିବ । ନିର୍ବାଚନରେ ଅଂଶଗ୍ରହଣକାରୀ ସମସ୍ତ ପକ୍ଷ, ବିଶେଷତଃ ସବୁ ରାଜନୈତିକ ଦଳ, ସେମାନଙ୍କ ପ୍ରଚାର ସମୟରେ ମଧ୍ୟ ପ୍ରାସଙ୍ଗିକ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନକୁ ସାମୂହିକ ଭାବେ ସୁନିଶ୍ଚିତ କରିବେ ।

ନିର୍ବାଚନ ବ୍ୟବସ୍ଥା, ଭୋଟଦାତା, ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ଅନ୍ୟାନ୍ୟ ସଂପୃକ୍ତ ପକ୍ଷ ନିମନ୍ତେ ପ୍ରଣୀତ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶାବଳୀରେ ଆବଶ୍ୟକ ପରିବର୍ତ୍ତନ କରାଯାଉଛି । କମିଶନରେ କାର୍ଯ୍ୟରତ ଅଧିକାରୀମାନଙ୍କର ଏକ ଟିମ୍‌ ଦ୍ବାରା ନିର୍ବାଚନର ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଥିବା ପ୍ରକ୍ରିୟାର ପୁନଃ ଆକଳନ କରାଯାଉଛି ।

ଅନ୍ୟାନ୍ୟ ବ୍ୟବସ୍ଥା ସହିତ ସାମୂହିକ ଏସ୍‌ଏମ୍‌ଏସ୍‌ ପ୍ରେରଣ ଏବଂ ସାମାଜିକ ଗଣମାଧ୍ୟମ ସମେତ ଡିଜିଟାଲ ଏବଂ ଗଣମାଧ୍ୟମ ମଞ୍ଚକୁ କମିଶନ ବହୁଳ ମାତ୍ରାରେ ବ୍ୟବହାର କରିବେ । କୋଭିଡ୍‌-19 ସଂପର୍କିତ ଅପରିହାର୍ଯ୍ୟ ବ୍ୟବସ୍ଥାର ପ୍ରତିଫଳନ ସକାଶେ ଭୋଟଦାତା ଗାଇଡର ନବୀକରଣ କରାଯିବ ।

ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଭୋଟଦାତାଙ୍କ ସଂଖ୍ୟା ସର୍ବାଧିକ ଏକ ହଜାରରେ (ବର୍ତ୍ତମାନ ଏହି ସୀମା 1500 ରହିଛି) ସୀମିତ ରଖିବା ଲାଗି ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ସହାୟକ ଭୋଟଗ୍ରହଣ କେନ୍ଦ୍ର ସ୍ଥାପିତ ହେବ – ଉଦାହରଣ ସ୍ବରୂପ, ବିହାର ପାଇଁ ଆଉ 33797ଟି ଅତିରିକ୍ତ ଭୋଟଗ୍ରହଣ କେନ୍ଦ୍ର ସ୍ଥାପନର ଯୋଜନା ରହିଛି ।ବରିଷ୍ଠ ନାଗରିକ ( ବର୍ତ୍ତମାନ 65 ବର୍ଷରୁ ଅଧିକ ବୟସର ସାମିଲ), ଭିନ୍ନକ୍ଷମ ବ୍ୟକ୍ତି ଏବଂ ଘରେ କିମ୍ବା କୌଣସି କେନ୍ଦ୍ରରେ ପୃଥକବାସରେ ରହିଥିବା କୋଭିଡ୍‌ ସଂକ୍ରମିତ ଭୋଟଦାତାମାନଙ୍କ ପାଇଁ ଡାକ ଜରିଆରେ ଭୋଟ ବ୍ୟବସ୍ଥା କରାଯାଇଥିବାରୁ ନିର୍ବାଚନ ପ୍ରକ୍ରିୟାରେ ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କ ପ୍ରତି ଅଯଥା ବିପଦ ସମ୍ଭାବନାକୁ ଏଡ଼ାଇ ଦେବାରେ ଏହା ସହାୟକ ହେବ ।

ପ୍ରଶ୍ନ: ବିଧାନସଭା ନିର୍ବାଚନ ପାଇଁ ଶୋଭାଯାତ୍ରା ଏବଂ ଭୋଟଗ୍ରହଣ ସମୟରେ ବହୁ ସଂଖ୍ୟାରେ ଲୋକେ ଏକତ୍ର ହେବେ । ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସମ୍ଭାବନାକୁ ହ୍ରାସ କରିବା ଦିଗରେ ନିର୍ବାଚନ କମିଶନ କି ପଦକ୍ଷେପ ନେବେ ଏବଂ ଅନଲାଇନ ସମାବେଶରେ ଆପଣ ଆଦର୍ଶ ଆଚରଣବିଧି କିପରି ଲାଗୁ କରିବେ ?

ଉତ୍ତର: କୋଭିଡ୍‌-19 ନିର୍ଦ୍ଦେଶାବଳୀ ପରିପ୍ରେକ୍ଷୀରେ କମିଶନ, ସର୍ବସାଧାରଣ ପ୍ରଚାର ଅଭିଯାନ ଆୟୋଜନ ସଂପର୍କରେ ଜାତୀୟ ସ୍ତରରେ ଓ ସଂପୃକ୍ତ ରାଜ୍ୟରେ ସ୍ବୀକୃତ ରାଜନୈତିକ ଦଳମାନଙ୍କର ମତାମତ ଲୋଡୁଛନ୍ତି । ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ପଠାଇଥିବା ବିଭିନ୍ନ ରାଜନୈତିକ ଦଳର ମତାମତକୁ ଆମେ ପରୀକ୍ଷା କରି ଦେଖୁଛୁ । ସର୍ବସାଧାରଣ ସ୍ଥଳରେ ଲୋକେ ଏକତ୍ର ହେବା ପ୍ରସଙ୍ଗରେ, କୋଭିଡ୍‌-19 ନିର୍ଦ୍ଦେଶାବଳୀରେ ସାମାଜିକ ଦୂରତା ଇତ୍ୟାଦି ଭଳି କେତେକ ନିୟମ ସୁପାରିସ କରାଯାଇ ସାରିଛି ଏବଂ ସେଗୁଡ଼ିକର ଉଲ୍ଲଂଘନ ହେଲେ ଏହା ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ-2005 ଅନୁସାରେ ଅପରାଧ ରୂପେ ବିବେଚିତ ହେବ । ନିର୍ବାଚନ ପ୍ରଚାର ତଦାରଖ କରିବା ପାଇଁ ଭାରତର ନିର୍ବାଚନ କମିଶନ ବନ୍ଦୋବସ୍ତ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ସମୟରେ ସବୁ ପ୍ରାର୍ଥୀଙ୍କୁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟର ବିବରଣୀ ପ୍ରଦାନ କରିବାକୁ ହେବ ।

ଏବେ ସୁଦ୍ଧା ନିର୍ବାଚନ ପ୍ରଚାର ଆରମ୍ଭ ହୋଇ ନଥିବାରୁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଚାଲିଥିବା ଡିଜିଟାଲ ପ୍ରଚାର ଅଭିଯାନ ଏବଂ ଅନ୍‌ଲାଇନ୍‌ ସମାବେଶର ପରିସୀମା ଯାଞ୍ଚ କରାଯାଇନାହିଁ । ଅନ୍‌ଲାଇନ୍‌ ପ୍ରଚାର ଅଭିଯାନ ହୋଇପାରିବ କି ନାହିଁ ଏବଂ ପ୍ରାର୍ଥୀମାନେ କେତେଦୂର ପର୍ଯ୍ୟନ୍ତ ଏହାକୁ ଉପଯୋଗ କରିପାରିବେ ଏବଂ କେଉଁମାନେ ନିର୍ବାଚନୀ ଖର୍ଚ୍ଚ ପରିସୀମାରେ ରହିବେ ତାହା ପରୀକ୍ଷା କରି ଦେଖିବାର ଆବଶ୍ୟକତା ରହିଛି । ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଅଭିଯାନରେ ଖର୍ଚ୍ଚର କୌଣସି ସୀମା ନିର୍ଦ୍ଧାରିତ ହୋଇନଥିବାରୁ ରାଜନୈତିକ ଦଳଗୁଡ଼ିକୁ ଏହା ପ୍ରଭାବିତ କରିବ ନାହିଁ ।

ପ୍ରଶ୍ନ: ଗୋପନୀୟତା ସଂକ୍ରାନ୍ତ ଧାରା ଉଲ୍ଲଂଘନ ହେବ ବୋଲି ଦର୍ଶାଇ, 65 ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ କୋଭିଡ୍‌ ରୋଗୀ ଓ ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ଡାକ ଜରିଆରେ ଭୋଟଦାନ ଅନୁମତିକୁ କେତେକ ଦଳ ବିରୋଧ କରିଥିଲେ । ଆପଣଙ୍କ ମତାମତ କ’ଣ ?

ଉତ୍ତର: ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଅନୁସାରେ, ଜାତୀୟ କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, କେବଳ ପ୍ରୟୋଜନୀୟ ଆବଶ୍ୟକତା ପୂରଣ ଏବଂ ସ୍ବାସ୍ଥ୍ୟସେବା ଉଦ୍ଦେଶ୍ୟ ବ୍ୟତୀତ, 65 ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ମହିଳା, ଏବଂ 10 ବର୍ଷରୁ କମ୍‌ ବୟସର ପିଲାମାନେ ଘରେ ହିଁ ରହିବେ ।

କମିଶନ ଏହି ଅସାଧାରଣ ପରିସ୍ଥିତିକୁ ବିଚାର କରିବା ପରେ ଡାକ ଜରିଆରେ ଭୋଟ ପ୍ରଦାନ ବ୍ୟବସ୍ଥାକୁ ଦୁଇଟି ଚିହ୍ନଟଯୋଗ୍ୟ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ଲାଗୁ କରିବାକୁ ସୁପାରିସ କରିଛନ୍ତି:

(କ) 65 ବର୍ଷରୁ ଅଧିକ ବୟସର ଭୋଟଦାତା; ଏବଂ (ଖ) କୋଭିଡ-19 ସଂକ୍ରମିତ/ସନ୍ଦିଗ୍ଧ ଭୋଟଦାତା, ଯେଉଁମାନେ କି ପୃଥକବାସରେ (ଘରେ/କେନ୍ଦ୍ରରେ) ରହିଛନ୍ତି । ଭୋଟଦାନ କେନ୍ଦ୍ରରେ ସେମାନଙ୍କ ଉପସ୍ଥିତିକୁ ଏଡ଼ାଇ ଯିବା ସହିତ ସେମାନଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ ନ କରିବା ଲାଗି ଏହା କରାଯାଇଛି ।ଡାକ ଜରିଆରେ ଭୋଟଦାନର ସମଗ୍ର ପ୍ରକ୍ରିୟା ଭୋଟଗ୍ରହଣ ଦାୟିତ୍ବରେ ଥିବା କର୍ମଚାରୀଙ୍କ ତତ୍ତ୍ବାବଧାନରେ କରାଯିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବା ସହିତ ପ୍ରାର୍ଥୀମାନଙ୍କୁ ସୂଚିତ କରାଇ ଦିଆଯିବ । ତେଣୁ ଡାକ ଜରିଆରେ ନିଆଯାଉଥିବା ପ୍ରତିଟି ଭୋଟ ନିରାପଦ, ସୁରକ୍ଷିତ ଏବଂ ସ୍ବଚ୍ଛ ବ୍ୟବସ୍ଥାରେ ରହିବ ।

ପ୍ରକୃତରେ, 65 ବର୍ଷରୁ ଅଧିକ ବୟସର ଭୋଟଦାତାମାନଙ୍କ ପାଇଁ ଏହି ଭୋଟଦାନ ସୁବିଧାକୁ ସଂପ୍ରସାରିତ କରାଯାଇଥିବାରୁ, ଏହି ପଦକ୍ଷେପକୁ ସ୍ବାଗତ କରି ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନ ଏବଂ ମହାସଂଘ ଦେଇଥିବା ପତ୍ର କମିଶନଙ୍କୁ ମିଳିଛି ।

ପ୍ରଶ୍ନ: ସାମଗ୍ରିକ ଭାବରେ, ବିଶ୍ବ ମହାମାରୀ ଯୋଗୁଁ ନିର୍ବାଚନ ପ୍ରକ୍ରିୟାରେ ଆପଣ କିଭଳି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ?

ଉତ୍ତର: ନିର୍ବାଚନ ସମେତ ଜୀବନର ସମସ୍ତ କ୍ଷେତ୍ର ଉପରେ କୋଭିଡ୍‌-19ର ପ୍ରଭାବ ପଡ଼ିଛି । ଏହା ଆମ ସମସ୍ତଙ୍କ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ପରିଚାଳନା ସହଜ ହେବ ନାହିଁ । ପୂର୍ବ ଯୋଜନା ଏବଂ ତ୍ବରାନ୍ବିତ ସମ୍ବଳ ଯୋଗାଣ ହିଁ ସଫଳତାର ପ୍ରମୁଖ କାରଣ ହେବ ।

ଯଦିଓ ବ୍ୟାପକତା ଦୃ୍ଷ୍ଟିରୁ ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ କ୍ଷୁଦ୍ର ଆକାରର ଥିଲା, ତଥାପି ଆମେ ଆମର ନୂତନ ମାନର ପରିଚାଳନା ପ୍ରକ୍ରିୟାକୁ ଯାଞ୍ଚ କରିନେଲୁ ଏବଂ ଆମ ଅନୁଭୂତି ଭିତ୍ତିରେ ଏହାର ସଂଶୋଧନ କରୁଛୁ । କମିଶନରେ ସମସ୍ତେ ଏହାକୁ ସଂପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିଛନ୍ତି ଯେ ବିଧାନସଭା ନିର୍ବାଚନ କ୍ଷେତ୍ରରେ ଆବଶ୍ୟକ ସାଧନରେ ସଂଶୋଧନ ବ୍ୟବସ୍ଥା ବିରାଟ ଆକାରର ହେବ ।

ପ୍ରଶ୍ନ: ବିଦେଶ ଗସ୍ତ କ୍ଷେତ୍ରରେ ପ୍ରତିବନ୍ଧକ ସଂକ୍ରାନ୍ତରେ ଆପଣଙ୍କ ଅନୁଭୂତି ଏବଂ ଆମେରିକା ଗସ୍ତରୁ ଆପଣ କିଭଳି ନିଷ୍ପତ୍ତି ଗ୍ରହଣ କଲେ ସେ ସଂପର୍କରେ କିଛି କହିବେ କି ?

ଉତ୍ତର: ଏପ୍ରିଲ 4, 2020 ସୁଦ୍ଧା ଫେରିଆସିବାର ଯୋଜନା କରି ଏ ବର୍ଷ ମାର୍ଚ୍ଚ 7ରେ ମୁଁ ଯେତେବେଳେ ମିଶିଗନ ଅଭିମୁଖେ ଯାତ୍ରା କଲି, ଅନ୍ତର୍ଜାତୀୟ ବିମାନ ଯାତ୍ରା ସମେତ ଯାତାୟାତ କ୍ଷେତ୍ରରେ ଏଭଳି ସବୁ ପ୍ରତିବନ୍ଧକ ଲାଗିପାରେ ବୋଲି ପୂର୍ବାନୁମାନ କରିପାରି ନଥିଲି । ସଂକ୍ରମଣ ବଢିବା ସହିତ ଅଭୂତପୂର୍ବ ପ୍ରତିବନ୍ଧକ ଜାରି ହେବା ସତ୍ତ୍ବେ କମିଶନଙ୍କ କାର୍ଯ୍ୟରେ କୌଣସି ବାଧା ଉତ୍ପନ୍ନ ହେବାକୁ ସୁଯୋଗ ଦିଆଯାଇ ନଥିଲା । ଆଜିକାଲିର ଜ୍ଞାନକୌଶଳ ଯୋଗୁଁ ଅନେକ ସମସ୍ୟାର ସମାଧାନ ହୋଇଯାଉଛି ଏବଂ ଦରିଆପାରି ଯୋଗାଯୋଗ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହୋଇପାରୁଛି । ଭିନ୍ନ ଭିନ୍ନ ସମୟ ଜୋନ୍‌ରେ ଥିବା ସତ୍ତ୍ବେ ମୁଁ ମୋ ଅଫିସ୍‌ର ସହକର୍ମୀମାନଙ୍କ ସହ ଯୋଗାଯୋଗ ରଖିଥିଲି ଏବଂ ଠିକ୍‌ ସମୟରେ କାର୍ଯ୍ୟ ସାଧିତ ହୋଇପାରୁଥିଲା । ନିୟମିତ କାର୍ଯ୍ୟକ୍ରମ ବ୍ୟତୀତ, ଆମେରିକାରେ ଥାଇ ମୁଁ 1 ମେ 2020ରେ ଭିଡିଓ କନଫରେନ୍‌ସ ଜରିଆରେ ପୂର୍ଣ୍ଣାଙ୍ଗ କମିଶନଙ୍କ ବୈଠକ ପରିଚାଳନା କରିପାରିଥିଲି, ଯେଉଁଥିରେ କି ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ନଅଟି ବିଧାନ ପରିଷଦ ସଦସ୍ୟ ପଦବୀ ପାଇଁ ଦ୍ବିବାର୍ଷିକ ନିର୍ବାଚନର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ।

ABOUT THE AUTHOR

...view details