ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ବଢୁଛି ସନ୍ଦେହ !!
ବିନା ଆଣ୍ଟିବଡିରେ କୋରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ମାମଲା !!
ଶରୀରରେ ଥାଇ ମଧ୍ୟ ଆଣ୍ଟିବଡିର ଉପସ୍ଥିତିକୁ ନେଇ ପ୍ରଶ୍ନ !!
ବିଶ୍ବର ବିଭିନ୍ନ ରାଷ୍ଟ୍ର ବର୍ତ୍ତମାନ କୋରୋନା ମୁକାବିଲା ପାଇଁ ଜାରି କରିଥିବା ଲକଡାଉନକୁ ଉଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନ୍ୟପଟେ ସାରା ବିଶ୍ବରେ କୋରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ଓ ଆଣ୍ଟିବଡି ଟେଷ୍ଟିଂରେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପାଇଁ ‘ଇମ୍ୟୁନିଟି ପାସପୋର୍ଟ’ ବିଷୟରେ ଜାରି ରହିଛି ବିଷଦ ଆଲୋଚନା । ଏହା ପଛରେ ଉଦ୍ଦେଶ୍ୟ ହେଉଛି ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି କିପରି ପୁଣି କାର୍ଯ୍ୟରେ ଯୋଗ ଦେଇପାରିବେ । ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ କି କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି, ଯେଉଁମାନଙ୍କରେ ଦେହରେ ଆଣ୍ଟିବଡି ବିକଶିତ ହୋଇଛି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ପୂର୍ବ ପରି ବଜାୟ ରହିଛି କି ନାହିଁ । ସେମାନେ କୋରୋନା ଭୂତାଣୁ ସହ ଲଢିବାରେ ପୁଣି ସକ୍ଷମ କି ନାହିଁ । କେବଳ ଏହି କାରଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ‘ଇମ୍ୟୁନିଟି ପାସପୋର୍ଟ’ ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେପଟେ ଏହି ଭୂତାଣୁ ପ୍ରତି ଶରୀରର ରୋଗ ପ୍ରତିରୋଧକ ଶକ୍ତି କିପରି କାର୍ଯ୍ୟ କରିଥାଏ ବୋଲି ବାରମ୍ବାର ଉଠିବାରେ ଲାଗିଛି ପ୍ରଶ୍ନ । ଏନେଇ ମଧ୍ୟ ପ୍ରଶ୍ନ ଉଠିଛି କି ଏହି ରୋଗ ପ୍ରତିରୋଧକ ଶକ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିପରି ଭାବେ ଭିନ୍ନ ? ଏହି ଶକ୍ତିର ସମୟ ସୀମା କେତେ ?
କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ଲଢେଇ?
ଯଦି କୌଣସି ବ୍ୟକ୍ତି କୋରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୁଅନ୍ତି, ତେବେ ତାଙ୍କ ଶରୀରରେ ଥିବା ଶ୍ବେତ ରକ୍ତ କଣିକା ବିଭକ୍ତ ହୋଇ ମାକ୍ରୋଫେଜେସରେ ପରିଣତ ହୁଅନ୍ତି । ପ୍ରସ୍ତୁତ ହୋଇଥିବା ନୂଆ କୋଷଗୁଡିକ କୋରୋନା ଭୂତାଣୁକୁ ଘେରି ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରନ୍ତି । ଶରୀର କୋରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବାର 5ରୁ 10 ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରୁହେ । ଅନ୍ୟପଟେ ଶରୀରରେ ଥିବା ବି-ଶ୍ବେତ ରକ୍ତ କଣିକା ବା ଲିମ୍ଫୋସାଇଟ୍ସ ପ୍ରସ୍ତୁତ କରନ୍ତି କିଛି ସ୍ବତନ୍ତ୍ର ପ୍ରୋଟିନ କଣିକା ବା ଆଣ୍ଟିବଡି । ଏହି କଣିକା କୋରୋନା ଭୂତାଣୁକୁ ଘେରିବା ସହ ଭୂତାଣୁର ଗଠନ ଶୈଳୀକୁ ବୁଝିବାକୁ ଚେଷ୍ଟା କରନ୍ତି । ଏହି ସମୟରେ କିଛି ନ୍ୟୁଟ୍ରାଲ ଆଣ୍ଟିବଡି ଭୂତାଣୁର ଗଠନ ପ୍ରକ୍ରିୟାକୁ ରୋକିବା ପାଇଁ ଏହାକୁ ନଷ୍ଟ କରିବା ଆରମ୍ଭ କରନ୍ତି । ଇତିମଧ୍ୟରେ ଟି-ଶ୍ବେତ ରକ୍ତ କଣିକା ଶରୀରରେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ କୋଷିକାକୁ ଖୋଜି ନଷ୍ଟ କରିଥାଏ । ମାକ୍ରୋଫେଜେସ ଏବଂ ବି ଓ ଟି-ଶ୍ବେତ ରକ୍ତ କଣିକାର ମିଳିତ ଉଦ୍ୟମ ପାଇଁ ଶରୀରରେ ପ୍ରବେଶ କରିଥିବା ପାଥୋଜେନ୍ସ ଗୁଡିକ ତୁରନ୍ତ ଶରୀରରୁ ବାହାରିଯାଇଥାଏ । ଏହି ପ୍ରକ୍ରିୟା ଶରୀରରେ ଥରେ ସଂଗଠିତ ହେବା ପରେ ବି ଓ ଟି କୋଷଗୁଡିକ ଏହି ପ୍ରକ୍ରିୟା ମନେ ରଖିଥାଏ । ଫଳରେ ଆଗାମୀ ଥର ଏହି ଭୂତାଣୁ ଶରୀରରେ ପ୍ରବେଶ କରିବା ମାତ୍ରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହି ଭୂତାଣୁକୁ ଶରୀରରେ ନଷ୍ଟ କରିବା ସହ ଏହି ଭୂତାଣୁକୁ ଶରୀରରୁ ବାହାର କରିଦିଏ । ତେବେ ରକ୍ତ କଣିକାଗୁଡିକର ସ୍ମରଣ ଶକ୍ତି ଭୂତାଣୁର ପ୍ରକାର ଉପରେ ନିର୍ଭର କରେ । ଉଦାହରଣ ସ୍ବରୂପ ମିଳିମିଳା କ୍ଷେତ୍ରରେ ରକ୍ତ କଣିକାର ସ୍ମରଣ ଶକ୍ତି ଜୀବନବ୍ୟାପୀ ସତେଜ ରୁହେ । ଇନଫ୍ଲୁଏନଜାରେ ଏହି ଅବଧି 6 ମାସ ରହିଥାଏ । ତେବେ SARS-Cove-2 କ୍ଷେତ୍ରରେ ଏହି ଅବଧି କେତେ ଦିନ ରହିବ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିପାରିନାହିଁ ।
କିନ୍ତୁ ଏହାକୁ ନେଇ କିଛି ସୂଚକାଙ୍କ ରହିଛି । ଗୋଟିଏ ହେଉଛି SARS-Cove-2 ଭୂତାଣୁ SARS ଓ MERSର ସହ ପ୍ରାୟ ସମାନ । ଏପରି କ୍ଷେତ୍ରରେ SARS ସଂକ୍ରମିତ ବ୍ୟକ୍ତଙ୍କ ଦେହରେ ଆଣ୍ଟିବଡି 2 ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥିବା ଦେଖାଯାଇଥିବା ବେଳେ MERS କ୍ଷେତ୍ରରେ ଏହା 3 ବର୍ଷ ପର୍ଯ୍ୟନ୍ତ ସକ୍ରିୟ । ସେହିପରି ‘Human Corona Virus 229 E’ରୁ ମିଳିଛି ଅନ୍ୟ ଏକ ସୂଚକାଙ୍କ । ଏହା କୋରୋନା ଭୂତାଣୁ ପ୍ରତି ମଣିଷ ଶରୀରର ପ୍ରତିକ୍ରିୟା ଜାଣିବାରେ ଅନେକାଂଶରେ ସହାୟକ ।
1970 ମସିହାରେ 229 E ଭୂତାଣୁକୁ ନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଛି କି ସଂକ୍ରମଣ ସମୟରେ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି ବର୍ଷକ ପାଇଁ ସକ୍ରିୟ ରହିଥାଏ । ତେଣେ 1990ର ଅଧ୍ୟୟନରୁ ସ୍ପଷ୍ଟ ହୋଇଥିଲା କି ଏହି ଭୂତାଣୁ ଦ୍ବାରା ସଂକ୍ରମିତଙ୍କ ଦେହରେ ବର୍ଷକ ପରେ ପୁଣି କିଛି ଲକ୍ଷଣ ଦେଖାଦେଇଥିଲା । ଏହାର ଅର୍ଥ ବର୍ଷକ ପରେ ଶରୀରରେ ଆଣ୍ଟିବଡି ନିଷ୍କ୍ରିୟ ହୋଇଯାଏ । ସାଙ୍ଘାଇରେ ଏନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଥିଲା କି SARS-Cove-2 କ୍ଷେତ୍ରରେ ମଧ୍ୟ ସମାନ କୁହାଯାଇପାରେ । କୋଭିଡ-19 ସଂକ୍ରମିତ 175 ଲୋକଙ୍କ ରକ୍ତ ନମୂନା ପରୀକ୍ଷା କରାଯିବା ପରେ ଦେଖା ଯାଇଥିଲା କି ଶରୀରରେ ଭୂତାଣୁ ସଂକ୍ରମଣର 10ରୁ 15 ଦିନ ମଧ୍ୟରେ ଆଣ୍ଟିବଡି ପ୍ରସ୍ତୁତ ହୋଇପାରୁଛି । ତେବେ ଏହି ସମୟ ଅବଧି ବ୍ୟକ୍ତିଙ୍କ ଶରୀର ଉପରେ ନିର୍ଭରଶୀଳ । ଆଶ୍ଚର୍ଯକରଭାବେ ପରୀକ୍ଷା କରାଯାଇଥିବା 175 ନମୁନାରୁ 10ଟି ନମୂନାରେ କୌଣସି ଆଣ୍ଟିବଡି ପ୍ରସ୍ତୁତ ହୋଇନଥିଲା । ତଥାପି ଏହି ବ୍ୟକ୍ତିମାନେ ସଫଳତାର ସହ କୋରୋନା ମୁକାବିଲା କରି ସୁସ୍ଥତା ଲାଭ କରିଥିଲେ । ଯାହା ସ୍ପଷ୍ଟ କରେ କି କୋରୋନା ଭୂତାଣୁ ପ୍ରତି ସେମାନଙ୍କ ଶରୀରର ଟି-ସେଲର ପ୍ରତିକ୍ରିୟା ସାମାନ୍ୟ ଜଟିଳ । ଏହା ମଧ୍ୟ ପ୍ରମାଣିତ ହୋଇଥିଲା କି ଥରେ କୋରୋନା ମୁକାବିଲା ପରେ ଶରୀର ବାରମ୍ବାର ଏହି ପ୍ରକ୍ରିୟା ଦୋହରାଇ ଶରୀରରେ ପୁନଃ ସଂକ୍ରମଣ ରୋକିପାରେ । ଏହାମଧ୍ୟ କୁହାଯାଇପାରେ କି ଏହି ବ୍ୟକ୍ତିଙ୍କୁ କୋରୋନା ମୁକାବିଲା ପାଇଁ ଆଣ୍ଟିବଡିଯୁକ୍ତ ଇମ୍ୟୁନିଟି ପାସପୋର୍ଟର ଆବଶ୍ୟକତା ନାହିଁ । କାରଣ ଏମାନଙ୍କ ଶରୀରରେ ଆବଶ୍ୟକତା ମୁତାବକ ସେହିପରି କୌଣସି ଆଣ୍ଟିବଡି ନାହିଁ । ତେଣୁ ବର୍ତ୍ତମାନ ଜାରି ରହିଥିବା ଲକଡାଉନରୁ କାହାକୁ ନିସ୍ତାର ନାହିଁ ।
ଏହି ପ୍ରସଙ୍ଗରେ ଗୋଟିଏ ବିରୋଧଭାସ ରହିଛି । ସେ ହେଉଛି ଆଣ୍ଟିବଡି ସୁରକ୍ଷା ସତ ହେଲେ ବି ଆଣ୍ଟିବଡି ଟେଷ୍ଟ ବର୍ତ୍ତମାନ ସୁଦ୍ଧା ଭରସାଯୋଗ୍ୟ ନୁହେଁ । ସମାନ ଭାବେ ଭୂତାଣୁ ମୁକାବିଲା ପାଇଁ ସୃଷ୍ଟି ହେଉଥିବା ଆଣ୍ଟିବଡି ନିରପେକ୍ଷ କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ଯେପର୍ଯ୍ୟନ୍ତ ଉପରୋକ୍ତ ସମସ୍ତ ପ୍ରଶ୍ନର ଉତ୍ତର ନମିଳିଛି ସେପର୍ଯ୍ୟନ୍ତ ଏହି ଲକଡାଉନ କଟକଣା କୋହଳ କରିବା ନେଇ କୌଣସି ନିଷ୍ପତ୍ତି ନିଆଯିବା ଉଚିତ ନୁହେଁ ।