ନୂଆଦିଲ୍ଲୀ: କଂଗ୍ରେସ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମୋଦିଙ୍କ ବିରୋଧରେ ଏକ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦର୍ଶ ଆଚାର ବିଧି ଉଲଙ୍ଘନ କରିଛନ୍ତି । ତେଣୁ ଏହି ମାମଲାର ତଦନ୍ତ କରାଯାଉ ।
ସୂଚନା ଅନୁଯାୟୀ, ଶନିବାର ମୋଦି ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ । ଯେଉଁଥିରେ ସେ କହିଥିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜୀବନ‘ଭ୍ରଷ୍ଟାଚାର ନଂ-1’ରେ ସମାପ୍ତ ହୋଇଗଲା ।
ତେବେ ଏଥିରେ ଚୁପ୍ ରହିନଥିଲା କଂଗ୍ରେସ ଦଳ । ତେଣୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିବାକୁ ଯାଇ କଂଗ୍ରେସ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲା ଯେ, ପ୍ରଧାନମନ୍ତ୍ରୀ ନା କେବଳ ଆଦର୍ଶ ଆଚାର ବିଧି ଉଲଙ୍ଘନ କରିଛନ୍ତି ବରଂ ଭାରତ ରତ୍ନରେ ସମ୍ମାନିତ ହୋଇଥିବା ଶହୀଦଙ୍କୁ ଅପମାନ କରିଛନ୍ତି । ତେଣୁ ତାଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସାର୍ବଜନୀନ ରାଲିରେ ଏପରି ମନ୍ତବ୍ୟ ଉପରେ ରୋକ ଲଗାଇବା ପାଇଁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।
ଏପଟେ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ତିୱାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଲୋକସଭା ନିର୍ବାଚନରେ ନିଜର ହାର ସ୍ବୀକାର କରିଛନ୍ତି, ସେଥିପାଇଁ ସେ ଏପରି ମନ୍ତବ୍ୟ ଦେଉଛନ୍ତି ।