ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ପତନ ପରେ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ । ରାଜ୍ୟରେ ଲୋଭର ବିଜୟ ହୋଇଛି ବୋଲି ନେତା ରାହୁଲ ଗାନ୍ଧୀ କହିଛନ୍ତି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ଦେଇ ବିଜେପି ଉପରେ ବର୍ଷିଛନ୍ତି ।
ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଠନ ହେବାର ପ୍ରଥମ ଦିନରୁ ହିଁ ବିଜେପି ଏହାକୁ ଟାର୍ଗେଟ କରିଥିଲା । ଯେଉଁଲୋକମାନେ ନିଜ ଶାସନ କ୍ଷମତା ରାସ୍ତାରେ ମେଣ୍ଟ ସରକାରକୁ କଣ୍ଟା ଭଳି ଦେଖୁଥିଲେ ସେମାନେ ଆଜି ପ୍ରଲୋଭନ ଦେଖାଇ ବିଜୟୀ ହୋଇଛନ୍ତି । ଏହା ଲୋକତନ୍ତ୍ର, ସଚ୍ଚୋଟତା ଓ କର୍ଣ୍ଣାଟକ ଜନତାଙ୍କର ପରାଜୟ ବୋଲି ସେ କହିଛନ୍ତି ।
ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏନେଇ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ସବୁ ଜିନିଷ କିଣାବିକାରେ ହୋଇପାରେ ନାହିଁ । ସବୁ ଜିନିଷକୁ ନିଲାମ କରାଯାଇ ପାରିବ ନାହିଁ । ପ୍ରତ୍ୟେକ ମିଛର ପର୍ଦ୍ଦାଫାଶ ହୋଇଥାଏ । ଏହି କଥା ବିଜେପି ଦିନେ ନା ଦିନେ ବୁଝିବ । ସେହିଦିନ ଯାଏଁ ଆମ ଦେଶର ଜନତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।