ଜୟପୁର: ରାଜସ୍ଥାନରେ ଜାରି ରହିଥିବା କ୍ଷମତା ଲଢେଇ ଭିତରେ ଆଜିର କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ହୋଟେଲ ଫାୟାର ମାଉଣ୍ଟରେ ହେଉଥିବା ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକ ବିଧାୟକମାନେ ଯୋଗ ଦେଇନାହାଁନ୍ତି ।
ଶୀର୍ଷ ନେତୃତ୍ବର ତମାମ ପ୍ରୟାସ ପରେ ମଧ୍ୟ ସଚିନ ନିଜ ଜିଦ୍ରେ ଅଟଳ ହେବା ସହ ବୈଠକରେ ଯୋଗଦେଇନଥିବା ଜଣାପଡିଛି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତାମାନେ ଏହି ବୈଠକରେ ଯୋଗଦେଇଛନ୍ତି ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଯେଉଁଥିରେ ସଚିନଙ୍କ ସମେତ ତାଙ୍କ ସମର୍ଥକ ବିଧାୟକମାନେ ଯୋଗଦେଇନଥିଲେ । ତେବେ ବୈଠକ ପରେ ସମସ୍ତ ବିଧାୟକଙ୍କୁ ବସରେ ହୋଟେଲକୁ ନିଆଯାଇଥିବାବେଳେ ସେଠାରେ ଆଜି ପୁଣି ବୈଠକ ବସୁଛି । ତେବେ ଏହି ବୈଠକରେ ସଚିନଙ୍କୁ ଯୋଗଦେବା ପାଇଁ ଦଳ ପକ୍ଷରୁ କୁହାଯାଇଥିଲା । ହେଲେ ସେ ଏଥିରେ ଯୋଗଦେଇନାହାଁନ୍ତି ।
ସୂଚନାଥାଉକି, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଜାରି ରହିଛି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ନିଜ ସମର୍ଥକ ବିଧାୟକଙ୍କ ସହ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ସେ ପ୍ରଥମେ କଂଗ୍ରେସ ନେତୃତ୍ବଙ୍କ ସହ ଆଲୋଚନା କରିଥିବାବେଳେ ଏବେ ବିଜେପି ନେତୃତ୍ବଙ୍କ ସହିତ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କର ବିଜେପି ଯିବାର କୌଣସି ଯୋଜନା ନଥିବା ସଚିନଙ୍କ ନିକଟତମ ବିଧାୟକ ସୂଚନା ଦେଇଛନ୍ତି ।
ସେପଟେ ସରକାରରେ ନିଜ ସମର୍ଥନ ଦେଖାଇବାକୁ ଅଶୋକ ଗେହଲଟ ମଧ୍ୟ ନିଜ ଚାଲ ଖେଳିଛନ୍ତି । ସୋମବାର ନିଜ ସମର୍ଥକ ବିଧାୟକଙ୍କୁ ବାସଭବନକୁ ଡାକି ସେଠାରେ ବୈଠକ କରିଛନ୍ତି । ବୈଠକରେ ନିଜ ସମର୍ଥନରେ ସବୁ ବିଧାୟକ ଥିବା ଦେଖାଇ ସମସ୍ତଙ୍କୁ ବସ୍ରେ ଏକ ହୋଟେଲକୁ ନେଇଛନ୍ତି । ଏହାସହ ନିଜ ସମର୍ଥନରେ 102 ବିଧାୟକ ଥିବା ଦର୍ଶାଇଛନ୍ତି ।