ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ 'ସମ୍ବିଧାନ ବଞ୍ଚାଅ' ମୋର୍ଚ୍ଚା ବାହାର କରିଛି କଂଗ୍ରେସ । ଏହି ମୋର୍ଚ୍ଚା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କେରଳର ୱାୟନାଡରୁ ଆରମ୍ଭ ହୋଇଛି । ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି । ଏହି ରାଲିରେ କାର୍ଯ୍ୟକର୍ତ୍ତା ତ୍ରିରଙ୍ଗା ଧରି ରାହୁଲଙ୍କ ସହ ପଦଯାତ୍ରା କରିଛନ୍ତି । ତେବେ ଏହି ମୋର୍ଚ୍ଚା ପରେ ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବୋଧିତ କରି ବିବାଦୀୟ ବୟାନ ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁଳନା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ସହ କରିଛନ୍ତି ।
ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗଡସେଙ୍କ ବିଚାରଧାରେ କୌଣସି ତଫାତ୍ ନାହିଁ । ଉଭୟ ଗୋଟିଏ ବିଚାରଧାରାରେ ବିଶ୍ବାସ କରନ୍ତି । ତଫାତ୍ କେବଳ ଏତିକି ଯେ, ମୋଦି ଗଡସେଙ୍କ ଉପରେ ବିଶ୍ବାସ କରନ୍ତି ବୋଲି ସେ କହିପାରନ୍ତି ନାହିଁ । '