ପାଟନା: କୋରୋନା ଭାଇରସ ବିସ୍ତାର କରିବା ଅଭିଯୋଗରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲା ବିହାରର ଏକ ଅଦାଲତରେ ରୁଜୁ କରାଯାଇଛି । ଚୀନ ରାଷ୍ଟ୍ରପତିଙ୍କ ବ୍ୟତୀତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ୍ ଗେବ୍ରେଏସସ୍ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ପାଇଁ କୋର୍ଟ ଜୁନ୍ 16 ତାରିଖ ନିର୍ଦ୍ଧାରିତ କରିଛନ୍ତି ।
ପଶ୍ଚିମ ଚମ୍ପରାନ ଜିଲ୍ଲାର ବେଟିୟାସ୍ଥିତ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଇନଜୀବୀ ମୁରାଦ ଅଲିଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ମାମଲାରେ ଦର୍ଶାଯାଇଛି ଯେ, ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମହାନିର୍ଦ୍ଦେଶକ ଚୀନର ଉହାନ୍ ସହରରୁ ଏହି ଭୂତାଣୁ ବିସ୍ତାର କରିଛନ୍ତି। ଏହା ବ୍ୟତୀତ ଆଇନଜୀବୀ ମୁରାଦ ଅଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷୀ ଭାବେ ନାମିତ କରିଛନ୍ତି।