ଓଡିଶା

odisha

ETV Bharat / bharat

କୋଭିଡ-19 ଯୁଦ୍ଧରେ ନାଗରିକମାନେ ହିଁ ପ୍ରେରଣାଦାୟକ ଶକ୍ତି

କୋରୋନା ମହାମାରୀ ଯୋଗୁଁ ସାରା ବିଶ୍ବରେ 5 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦ୍ରୁତ ହାରରେ ବଢୁଥିବା ସଂକ୍ରମଣ ସଂଖ୍ୟା ଏକ ଭୟଙ୍କର ରୂପ ଧାରଣ କରିଛି । ଏପରି ସ୍ଥିତିରେ କୋରୋନା ସହ ଲଢିବାରେ କେବଳ ନାଗରିକ ମାନଙ୍କର ସଚେତନତା ହିଁ ଶକ୍ତି ସାଜିବ । ଅଧିକ ପଢନ୍ତୁ...

କୋଭିଡ-19 ଯୁଦ୍ଧରେ ନାଗରିକମାନେ ହିଁ ପ୍ରେରଣାଦାୟକ ଶକ୍ତି
କୋଭିଡ-19 ଯୁଦ୍ଧରେ ନାଗରିକମାନେ ହିଁ ପ୍ରେରଣାଦାୟକ ଶକ୍ତି

By

Published : Jul 1, 2020, 2:02 PM IST

ସାରା ବିଶ୍ବରେ କୋଭିଡ-19 ସଂକ୍ରମଣ ମାମଲା ଏକ କୋଟି ପାର କରିଥିବା ବେଳେ ଏହାର ଏକ ତୃତୀୟାଂଶ କେବଳ ମେ ଓ ଜୁନ ମାସରେ ରେକର୍ଡ କରାଯାଇଛି । ଭାରତରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିବାକୁ 110 ଦିନ ଲାଗିଥିଲା । କିନ୍ତୁ, ଆଉ ମାତ୍ର 39 ଦିନରେ ଏହି ସଂଖ୍ୟା ପାଞ୍ଚ ଲକ୍ଷ ଛୁଇଁଥିଲା । ମୃତ୍ୟୁସଂଖ୍ୟା 16,000କୁ ଟପିଯାଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ଏଥିରୁ 87 ପ୍ରତିଶତ ମୃତ୍ୟୁ କେବଳ 8ଟି ରାଜ୍ୟରେ ଘଟିଛି । ଦେଶର 61 ପ୍ରତିଶତ ସଂକ୍ରମଣ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ତାମିଲ ନାଡୁରେ ହୋଇଛି । ଗୋଟିଏ ପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି ଯେ, ଭାରତରେ କୋଭିଡ-19 ଏ ପର୍ଯ୍ୟନ୍ତ ଚରମ ସ୍ତରରେ ପହଞ୍ଚି ନାହିଁ । ଅନ୍ୟପଟେ, ଭୁଟାନ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଭଳି ଦେଶ ଏହି ଭୂତାଣୁ କବଳରୁ ମୁକ୍ତି ପାଇବାରେ ପ୍ରାୟତଃ ସଫଳ ହୋଇଛନ୍ତି । ଏସିଆର ବୃହତ୍ତମ ବସ୍ତି ଏବଂ ଏହି ଭୂତାଣୁର ଏକ ପ୍ରମୁଖ ହଟସ୍ପଟ ଧରାବୀରେ ଜନସଂଖ୍ୟାର ଘନତ୍ବ ପ୍ରତି ବର୍ଗ କିଲୋମିଟର ପିଛା 3,54,167 । ଏହି ବସ୍ତିକୁ ସୀମାବଦ୍ଧ କରି ରଖିବା ବା କଣ୍ଟେନମେଣ୍ଟ ଦିଗରେ ସରକାରଙ୍କ ଉଦ୍ୟମ ସହିତ ଏଠାକାର ବାସିନ୍ଦାମାନଙ୍କ ଆତ୍ମ ଶୃଙ୍ଖଳା ବସ୍ତି ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଛି । ମିଳିତ ଗଣରାଜ୍ୟ, ଇଟାଲୀ, ଫ୍ରାନ୍‌ସ ଏବଂ ସ୍ପେନର ସମ୍ମିଳିତ ଜନସଂଖ୍ୟା 24 କୋଟି ଏବଂ ବିଶ୍ବ ମହାମାରୀ ଯୋଗୁଁ ଏଥିରୁ ଏକ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି । ସମାନ ଲୋକସଂଖ୍ୟା ବିଶିଷ୍ଟ ଉତ୍ତର ପ୍ରଦେଶରେ ମୃତ୍ୟୁସଂଖ୍ୟା ମାତ୍ର 700 । କଠୋର ଲକଡାଉନ ନିୟମାବଳୀ ଯୋଗୁଁ ଏହା ସମ୍ଭବ ହୋଇଛି । 2018ରେ ନିପା ପ୍ରାଦୁର୍ଭାବ ଜନିତ ଅଭିଜ୍ଞତା, ସୁଦୃଢ଼ ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ସଂଯୋଜିତ ଢଙ୍ଗରେ ସରକାରୀ କଳର ଉପଯୋଗ ଯୋଗୁଁ, କୋଭିଡ-19 ମୁକାବିଲାକ୍ଷେତ୍ରରେ କେରଳ ଅଗ୍ରଣୀ ସ୍ଥାନ ଅଧିକାର କରିଛି । ସମ୍ବଳର ଅଭାବ ସତ୍ତ୍ବେ, ଓଡ଼ିଶା ମଧ୍ୟ ଆରମ୍ଭରୁ ହିଁ ଏହି ଭୂତାଣୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।

ଏହି ସର୍ବବ୍ୟାପୀ ମହାମାରୀ ଯୋଗୁଁ ସାରା ବିଶ୍ବରେ 5 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦ୍ରୁତ ହାରରେ ବଢୁଥିବା ସଂକ୍ରମଣ ସଂଖ୍ୟା ଏକ ବିକଟ ଦୃଶ୍ୟର ଅବତାରଣ କରିଛି । ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ପନ୍ନ ବିକଶିତ ରାଷ୍ଟ୍ରମାନେ ଏହି ଭୂତାଣୁ ସହିତ ଯୁଝୁଥିବା ସମୟରେ ଭାରତ କ’ଣ ଏଥିରେ ସଫଳ ହୋଇପାରିବ ? ବର୍ଷ ବର୍ଷ ଧରି ଭାରତରେ ଜନସ୍ବାସ୍ଥ୍ୟ ବାବଦରେ ମୋଟ ଘରୋଇ ଉତ୍ପାଦ ବା ଜିଡିପିର ମାତ୍ର 1.5 ପ୍ରତିଶତ ବ୍ୟୟ କରାଯାଉଛି ।

ସ୍ବାଭାବିକ ସମୟରେ ମଧ୍ୟ ଆମ ଦେଶରେ ସରକାରୀ ଡାକ୍ତରଖାନାର ଶୋଚନୀୟ ଅବସ୍ଥା କଥା ସମସ୍ତେ ଜାଣନ୍ତି । ଲକଡାଉନର ଉଦ୍ଦେଶ୍ୟ ହେଉଛି ଯେ, ଆଗକୁ ରୋଗ ସଂକ୍ରମଣ ରୋକିବା ସହିତ ଭିତ୍ତିଭୂମି ଗଠନରେ ସରକାରଙ୍କ ସହାୟତା କରିବା । କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଲକଡାଉନ ପରବର୍ତ୍ତୀ ସମୟରେ ସଂକ୍ରମଣ ମାମଲା 40 ପ୍ରତିଶତ ହ୍ରାସ ପାଇଛି । ଯଦିଓ ଭାରତରେ ଦିନକୁ 3 ଲକ୍ଷ ପରୀକ୍ଷଣ କରାଯାଉଛି, ତଥାପି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଆମର ସ୍ବାସ୍ଥ୍ୟସେବା କ୍ଷେତ୍ର କ’ଣ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଶଯ୍ୟା ଏବଂ ଭେଣ୍ଟିଲେଟର ଯୋଗାଇ ପାରିବ ? ଅସ୍ଥାୟୀ ଡାକ୍ତରଖାନା ସ୍ଥାପନର ଆବଶ୍ୟକତା ଦେଖାଦେଇପାରେ ବୋଲି କେନ୍ଦ୍ର ସ୍ବୀକାର କରିଛି । କୌଣସିମତେ ଅସ୍ଥାୟୀ ସ୍ବାସ୍ଥ୍ୟସେବା କେନ୍ଦ୍ର ଗଠନ କରାଗଲେ ବି ତାଲିମପ୍ରାପ୍ତ ଡାକ୍ତରୀ କର୍ମଚାରୀଙ୍କ ଅଭାବକୁ ଆମେ କେମିତି ପୂରଣ କରିବା ?

ଭାରତରେ ପ୍ରତି ଦଶ ଲକ୍ଷ ଲୋକରେ ମୃତ୍ୟୁସଂଖ୍ୟା 12 ରହିଥିବାରୁ, ସ୍ଥିତି ଏତେ ଗୁରୁତର ନୁହେଁ ବୋଲି ପ୍ରଧାନ ମନ୍ତ୍ରୀ ମୋଦି ଆଶ୍ବାସନା ଦେଇଥିବା ବେଳେ, ଏହି ବିଶ୍ବ ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଲୋକମାନେ ହିଁ ପ୍ରେରଣାଦାୟକ ଶକ୍ତି ବୋଲି ସେ ଯଥାର୍ଥରେ ମତପ୍ରକାଶ କରିଛନ୍ତି । ସଂକ୍ରମଣ ମାମଲା ବଢୁଥିବା ବେଳେ, ଅନେକ ରାଜ୍ୟରେ ପୁଣି ଲକଡାଉନ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି । ଏଭଳି ସ୍ଥିତିରେ କୋରୋନା ବିରୋଧରେ ଲଢ଼ିବା ପାଇଁ ପ୍ରତ୍ୟେକ ନାଗରିକ ପ୍ରସ୍ତୁତ ରହିବା ଆବଶ୍ୟକ । ସାମାଜିକ ଦୂରତା ବଜାୟ ସହିତ ନିଜକୁ ଅଲଗା କରି ରଖିବା ଭଳି ନିୟମ ଅନୁସରଣ ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଜାରି ସୁରକ୍ଷା ଆଚରଣ ପାଳନ କରିବା ଦ୍ବାରା ଦେଶକୁ ସାହାଯ୍ୟ କରିବାରେ ଆମେ ଆମ ଭୂମିକା ନିର୍ବାହ କରିପାରିବା ।

ABOUT THE AUTHOR

...view details