ସ୍ମିତା ଶର୍ମା
ଏକ୍ସକ୍ଲୁସିଭ
ପରସ୍ପର ଉପରେ ଦୋଷାରୋପ ପୂର୍ବକ ଆମେରିକା-ଚୀନର ଅନ୍ତଃକଳହ ଯୋଗୁଁ ସମାଧାନର ବାଟ ବନ୍ଦ ହୋଇଯିବ: ମିଳିତ ଜାତିସଂଘର ପୂର୍ବତନ ପରିବେଶ କାର୍ଯ୍ୟକ୍ରମ ମୁଖ୍ୟ
ଦୀର୍ଘ କାଳ ଧରି ବାୟୁ ପ୍ରଦୂଷଣଯୁକ୍ତ ପରିବେଶରେ ବସବାସ କରିବା ସହିତ କୋଭିଡ-19 ଜନିତ ମୃତ୍ୟୁର ପାରସ୍ପରିକ ସଂପର୍କ ରହିଛି ବୋଲି ନିକଟରେ ହାଭାର୍ଡ ବିଶ୍ବବିଦ୍ୟାଳୟର ଏକ ଅନୁଶୀଳନ ରିପୋର୍ଟରେ ପ୍ରକାଶ ପାଇଛି । ଭାରତ ଭଳି ଏକ ଦେଶ ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । କାରଣ, ବିଶ୍ବର ସର୍ବାଧିକ ପ୍ରଦୂଷିତ 30ଟି ସହରରୁ 21ଟି ଭାରତରେ ଅବସ୍ଥିତ । ଏହି ଅନୁଶୀଳନ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଦୂଷିତ ସହରରେ ବସବାସ କରୁଥିବା ଲୋକେ କୋଭିଡ-19ର ଶିକାର ହେବା ଆଶଙ୍କା ଅଧିକ । ଭାରତରେ ପ୍ରବାହିତ ବାୟୁର ଅନୁପଯୁକ୍ତ ଗୁଣାତ୍ମକମାନ କାରଣରୁ ଶ୍ବାସକ୍ରିୟା ଏବଂ ହୃତକ୍ରିୟା ସଂପର୍କିତ ଶାରୀରିକ ପ୍ରକ୍ରିୟାରେ ସୃଷ୍ଟ ସମସ୍ୟା ହିଁ ଗଭୀର ଉଦବେଗର କାରଣ ହୋଇଛି ।
ମାଛ ମାଂସ ବଜାରଗୁଡ଼ିକୁ ଚୀନ୍ ନିୟନ୍ତ୍ରଣରେ ରଖି ପରିଚାଳନା କରିବା ଆବଶ୍ୟକ: ଏରିକ୍ ସୋଲହେମ୍ ତେବେ, ବିଶ୍ବ ମହାମାରୀ ପ୍ରକୋପ ଜନିତ ଘନ ଅନ୍ଧକାରାଚ୍ଛନ୍ନ ସ୍ଥିତିରେ ମଧ୍ୟ ଆଶା ରହିଛି ଯେ ପୃଥିବୀ ନିଜେ ନିଜକୁ ସୁରକ୍ଷିତ ରଖିପାରିବ ଏବଂ ପ୍ରକୃତି ନିଜେ ନିଜର ଉପଚାର କରିପାରିବ ବୋଲି ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏରିକ ସୋଲହେମ୍ କହିଛନ୍ତି । ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ବାର୍ତ୍ତାଳାପ ଅବସରରେ ମିଳିତ ଜାତିସଂଘର ପୂର୍ବତନ ଅନୁ-ମହାସଚିବ କହିଲେ ଯେ, କୋରୋନା ଭାଇରସ ପ୍ରାଦୁର୍ଭାବ ପୂର୍ବବର୍ତ୍ତୀ ସମୟ ତୁଳନାରେ ପୃଥିବୀ ଏବେ ଅଧିକ ସବୁଜିମାରେ ଭରି ଯାଇଛି । ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ପାଇଁ କୋଇଲା ବଦଳରେ ସୌରଶକ୍ତି ଏବଂ ପବନ ଶକ୍ତିକୁ ମିତବ୍ୟୟୀ ବିକଳ୍ପ ରୂପେ ବିଭିନ୍ନ ବିଦ୍ୟୁତ କମ୍ପାନୀ ଗ୍ରହଣ କରିନେଇଛନ୍ତି ବୋଲି ଦର୍ଶାଇବା ସହିତ ଏ ଦିଗରେ ବର୍ଦ୍ଧିତ ହାରରେ ଭାରତର ଉନ୍ନତିକୁ ସେ ପ୍ରଶଂସା କରିଥିଲେ ।
ନରୱେର ଓସଲୋରୁ ସୋଲହେମ୍ କହିଲେ, ‘ଆମର ଏକ ବିଶାଳ ଭବିଷ୍ୟତ ରହିଛି । ଭାରତ ପ୍ରମାଣିତ କରିପାରିଛି ଯେ ଏହା ବାଘ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀମାନଙ୍କର ଯତ୍ନ ଭଲ ଭାବରେ ନେଇପାରିବ । ସାରା ବିଶ୍ବରେ ଭାରରେ ସୌରଶକ୍ତିର ଦର କମ ରହିଛି । ଭାରତ ହେଉଛି ପ୍ରଥମ ଦେଶ, ଯେଉଁଠି ପ୍ରଥମ ଥର ପାଇଁ ଆସାମରେ ସଂପୂର୍ଣ୍ଣ ସୌରଶକ୍ତି ଚାଳିତ ରେଳ ଷ୍ଟେସନ ଏବଂ କେରଳରେ ସଂପୂର୍ଣ୍ଣ ସୌରଶକ୍ତି ଚାଳିତ ବିମାନ ବନ୍ଦର ସ୍ଥାପିତ ହୋଇଛି ଏବଂ ମଧ୍ୟ ପ୍ରଦେଶରୁ ଉତ୍ପନ୍ନ ସୌରଶକ୍ତି ବଳରେ ନୂଆଦିଲ୍ଲୀର ଏକ ମେଟ୍ରୋ ଷ୍ଟେସନ ମଧ୍ୟ ସଂପୂର୍ଣ୍ଣ ରୂପେ ସୌରଶକ୍ତି ଚାଳିତ ହେବାକୁ ଯାଉଛି । ଏହିଭଳି ବହୁ ସକାରାତ୍ମକ ବିଷୟ ରହିଛି । ଆମେ ସମ୍ମିଳିତ ଭାବେ ମାନବିକତା ଉପରେ ଦୃଷ୍ଟି ଦେବା ସହିତ ମିଳିମିଶି ସେ କ୍ଷେତ୍ରରେ ଉପୁଜିଥିବା ସମସ୍ତ ସମସ୍ୟାର ସମାଧାନ କରିବା ।’
ମହାମାରୀର ପ୍ରାଦୁର୍ଭାବ ଦେଖା ଦେବା ପରେ ଚୀନ୍ର ବନ୍ୟଜନ୍ତୁ ଏବଂ ମାଛ ମାଂସ ବଜାରକୁ କେନ୍ଦ୍ର କରି ଲାଗି ରହିଥିବା ବିତର୍କ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ସୋଲହେମ୍ କହିଲେ ଯେ, ସେଗୁଡ଼ିକ ଏବେ ବି ଚିନ୍ତାର ବିଷୟ ହୋଇ ରହିଛି ଏବଂ ବେଜିଂ ସେଗୁଡ଼ିକୁ ପରିଚାଳନା କିମ୍ବା ନିୟନ୍ତ୍ରଣ କରିବା ନିତାନ୍ତ ଆବଶ୍ୟକ । ସୋଲହେମ୍ କହିଲେ, ‘ତଥାକଥିତ ୱେଟ୍ ମାର୍କେଟ (ମାଛମାଂସ ବଜାର) ସମୂହର ପରିଚାଳନା ଏବଂ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ଚୀନ୍ ଏବେ ଯାହା କରୁଛି ତାହାଠାରୁ ଆହୁରି ବହୁତ ଅଧିକ କରିବା ଦରକାର । ସେମାନେ ସବୁ ପ୍ରକାର ଅବୈଧ ବନ୍ୟଜନ୍ତୁ କାରବାର ବନ୍ଦ କରିବା ଆବଶ୍ୟକ । ସର୍ବୋଚ୍ଚ ରାଜନୈତିକ ସ୍ତରରେ ଏହି ସମସ୍ତ ନିଷ୍ପତ୍ତି ନିଆଯାଇଛି ଏବଂ ଏସବୁକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । କେବଳ ଚୀନରେ ନୁହେଁ, ପୃଥିବୀର ଯେ କୌଣସି ଭାଗରେ ମାଛମାଂସ ବଜାର ରହିଛି । କିନ୍ତୁ ଚୀନରେ ସେଗୁଡ଼ିକ ଖୁବ୍ ବଡ଼ ଏବଂ ଲୋକପ୍ରିୟ ହୋଇଥିବାରୁ ସଂକ୍ରମଣର କେନ୍ଦ୍ରସ୍ଥଳ ମଧ୍ୟ ହୋଇପାରନ୍ତି ।’
ବନ୍ୟପ୍ରାଣୀଙ୍କ ପ୍ରତି ଆଚରଣରେ ଚୀନ୍ର ବିବାଦୀୟ ଭୂମିକା ପ୍ରସଙ୍ଗରେ ସେ ଆହୁରି କହିଲେ, ‘ଏହି ସଂକଟର ଠିକ୍ ପୂର୍ବରୁ ଚୀନ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ଯେଉଁଗୁଡ଼ିକର ବିଶ୍ବ ସ୍ତରରେ ବହୁମୁଖୀ ପ୍ରଭାବ ରହିଛି । ଗୋଟିଏ ହେଉଛି ସବୁ ପ୍ରକାର ହାତୀଦାନ୍ତ ଆମଦାନୀ ବନ୍ଦ କରିବା । ଯାହା ଫଳରେ, ଆଫ୍ରିକାର ହାତୀମାନଙ୍କ ଜୀବନଧାରଣ ଉନ୍ନତ ହୋଇପାରିଥିଲା । କାରଣ ଏହା ଦ୍ବାରା ହାତୀଦାନ୍ତ କିଣାବିକା ପାଇଁ ବଜାର ସଂଖ୍ୟା ହ୍ରାସ ପାଇଥିଲା ଏବଂ ୟୁରୋପ ଏବଂ ଆମେରିକାରୁ ବର୍ଜ୍ୟବସ୍ତୁ ଆମଦାନି ବନ୍ଦ କରିବା । ସେମାନେ କହିଲେ ଯେ, ଏସବୁ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ପାଇଁ ଆମେ ବିଶ୍ବର ବର୍ଜ୍ୟବସ୍ତୁ ଭଣ୍ଡାରରେ ପରିଣତ ହେବାକୁ ଚାହୁଁନାହୁଁ । ଚୀନର ଏହି ନିଷ୍ପତ୍ତି ପରେ ଭାରତ ମଧ୍ୟ ସେଇ ସମାନ ନିଷ୍ପତ୍ତି ନେଇଥିଲା ଏବଂ ଭିଏତନାମ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟ ତାହା ହିଁ କରିଥିଲେ । ଏହା ଦ୍ବାରା ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁରୋପ ସେମାନଙ୍କ ନିଜ ନିଜର ବର୍ଜ୍ୟ ସାମଗ୍ରୀ ପରିଚାଳନା କରିବା ଦାୟିତ୍ବ ନେବେ ଏବଂ ଫଳରେ ବିଶ୍ବସ୍ତରରେ ଏହାର ଏକ ସକାରାତ୍ମକ ପ୍ରଭାବ ପଡ଼ିବ ।’
ତେବେ ସେ ଆହୁରି କହିଥିଲେ ଯେ ଏହି ଭୂତାଣୁର ଉତ୍ପତ୍ତିସ୍ଥଳ ସଂପର୍କରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ପରସ୍ପର ଉପରେ ଦୋଷାରୋପ କରୁଥିବାରୁ ସାରା ବିଶ୍ବରେ ଦେଖାଦେଇଥିବା ଏହି ସାର୍ବଜନୀନ ସ୍ବାସ୍ଥ୍ୟ ସଂକଟର ସମାଧାନ ସନ୍ଧାନ ଦିଗରେ ସାମୂହିକ ପ୍ରୟାସରୁ ଦୃଷ୍ଟି ଅପସାରିତ ହେବା ହିଁ ସାର ହେବ । ସେ ଜୋର ଦେଇ କହିଥିଲେ, ‘ଏହି ସବୁ ସଂକଟର ସମାଧାନ ଖୋଜିବା ଲାଗି ଚୀନ ଏବଂ ଆମେରିକା ଏକତ୍ର ଭାବରେ ୟୁରୋପ ଏବଂ ଭାରତ ଏବଂ ଅନ୍ୟ ସମସ୍ତଙ୍କ ସହ ମିଳିମିଶି କାମ କରିବା ଆବଶ୍ୟକ । ଏଭଳି କାଦୁଅ ଫିଙ୍ଗା ଆଚରଣ ଯୋଗୁଁ ଏକ ସାଧାରଣ ସମାଧାନ ସନ୍ଧାନ ପ୍ରସଙ୍ଗରୁ ନଜର ହଟିଯାଉଛି ବୋଲି ବିଲ୍ ଗେଟ୍ସ ଯାହା କହିଥିଲେ, ତାହାକୁ ମୁଁ ସମର୍ଥନ କରୁଛି । ଆମେ ଏହି ବିବାଦରୁ ଓହରି ଯିବା ଦରକାର । ମାନବ ଇତିହାସରେ ସର୍ବାଧିକ ମାରାତ୍ମକ ଫ୍ଲୁ ରୂପେ ଅଭିହିତ ସ୍ପାନିଶ୍ ଫ୍ଲୁ ଯୁକ୍ତରାଷ୍ଟ୍ର ଆମେରିକାର କାନସାସରୁ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ । ସେଥିପାଇଁ ଆମେରିକା ଦାୟୀ ବୋଲି କେହି ଦାବି କରି ନଥିଲେ । ତେଣୁ, ଆମକୁ ଏହି କାଦୁଅଫିଙ୍ଗା ନୀତିରୁ ବାହାରି ଯାଇ ସଂକଟର ସାର୍ବଜନୀନ ସମାଧାନ ଖୋଜିବାକୁ ପଡ଼ିବ ।’
ସୋଲହେମ୍ କହିଲେ ଯେ, ଏସିଆ ଏବଂ ବିଶ୍ବକୁ ଆଗକୁ ନେବା କ୍ଷେତ୍ରରେ ଭାରତ ଏବଂ ଚୀନକୁ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ପଡ଼ିବ ଏବଂ ପ୍ରଧାନ ମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସମ୍ମୁଖୀନ ହେବେ । କୋଭିଡ-19 ସମୟରେ ପରିବେଶ ସଂକ୍ରାନ୍ତ ଲକ୍ଷ୍ୟରେ ଉପନୀତ ହେବା ଲାଗି ଭାରତ କେଉଁ କେଉଁ କ୍ଷେତ୍ର ଉପରେଦୃଷ୍ଟି ଦେଇ କେଉଁ ପ୍ରକାର ପ୍ରୋତ୍ସାହନ ଦେବା ଉଚିତ ବୋଲି ପ୍ରଶ୍ନର ଉତ୍ତରରେ ସୋଲହେମ୍ କହିଲେ ଯେ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏକ ସବୁଜ ପ୍ରୟାସ ପାଇଁ ନୂଆଦିଲ୍ଲୀକୁ ଦକ୍ଷିଣ କୋରିଆ ନିକଟରୁ ପ୍ରେରଣା ଆହରଣ କରିବାକୁ ପଡ଼ିବ । ସେ କହିଲେ, ‘2008ର ଅର୍ଥନୈତିକ ସଂକଟ ପରବର୍ତ୍ତୀ କାଳରେ ଅନ୍ୟତମ ସର୍ବାଧିକ ସଫଳତା ହାସଲ କରିଥିବା ଦେଶ ଭାବରେ ଏସିଆ ଅନ୍ତର୍ଗତ ଏହାର କ୍ଷୁଦ୍ର କିନ୍ତୁ ମହତ୍ତ୍ବପୂର୍ଣ୍ଣ ପଡ଼ୋଶୀ ଦକ୍ଷିଣ କୋରିଆକୁ ଅନୁସରଣ କରିବାକୁ ମୁଁ ଭାରତକୁ ସୁପାରିସ କରିବି । ଅନ୍ୟ ଯେ କୌଣସି ଶିଳ୍ପସମୃଦ୍ଧ ଦେଶ ତୁଳନାରେ ଏହା ଦ୍ରୁତ ହାରରେ ବିକାଶ କରିଥିଲା । ସବୁ ଦେଶ ତୁଳନାରେ ସେମାନେ ସର୍ବାଧିକ ସବୁଜ ସଫଳତା ହାସଲ କରିଥିଲେ ଏବଂ ସବୁଜ କ୍ଷେତ୍ରରେ ହିଁ ଦକ୍ଷିଣ କୋରିଆର 80 ପ୍ରତିଶତ ପୁନଃଉତ୍ଥାନ ହୋଇଥିଲା ଏବଂ ଏହା ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୋଇଥିଲା ।’
ଏକ ସୁସ୍ଥ ପୃଥିବୀ ଗଠନ କ୍ଷେତ୍ରରେ ଅଗ୍ରସର ହେବା ଲାଗି ଡାକ୍ତରଖାନାର ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାରଯୋଗ୍ୟ କରିବା ବା ରିସାଇକ୍ଲିଂ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ସୃଷ୍ଟି କରିବ ବୋଲି ନରୱେର ପୂର୍ବତନ ପରିବେଶ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେ କହିଲେ, ‘ଏହି ସଂକଟର ଅବସାନ ହେବା ପରେ ସମସ୍ତ ପ୍ରକାର ପ୍ଲାଷ୍ଟିକର ରିସାଇକ୍ଲିଂ ସହିତ ସବୁ ଡାକ୍ତରୀ ଉପକରଣର ରିସାଇକ୍ଲିଂକୁ ଆମେ ପ୍ରାଥମିକତା ଦେବା ଆବଶ୍ୟକ । ଉତ୍ପାଦନକାରୀ ସଂସ୍ଥା ଏହି ଦାୟିତ୍ବ ନିର୍ବାହ କରିବା ହିଁ ବଡ଼କଥା । ଯେଉଁ ସବୁ କମ୍ପାନି ବଜାରରେ ପ୍ଲାଷ୍ଟିକ ଏବଂ ଅନ୍ୟ ଉପକରଣ ବିକ୍ରି କରୁଛନ୍ତି, ସେମାନେ ଏହି ସବୁ ପ୍ଳାଷ୍ଟିକ୍ ଏବଂ ଡାକ୍ତରୀ ସାମଗ୍ରୀର ରିସାଇକ୍ଲିଂ ପ୍ରକ୍ରିୟାରେ ଅର୍ଥ ଲଗାଣ ଦାୟିତ୍ବ ମଧ୍ୟ ନେବା ଆବଶ୍ୟକ ।’
କୋରୋନା ସଂକଟର ସମାଧାନ ସନ୍ଧାନ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ମଧ୍ୟରେ କାଦୁଅଫିଙ୍ଗା ନୀତି ଭଳି ବାହ୍ୟ ସଂଘର୍ଷ ଏବଂ ଭାରତରେ ସାଂପ୍ରଦାୟିକ ହିଂସା ଭଳି ଆଭ୍ୟନ୍ତରୀଣ ସଂଘର୍ଷ ହିଁ ଉଦବେଗର ପ୍ରମୁଖ କାରଣ ବୋଲି ମିଳିତ ଜାତିସଂଘର ପୂର୍ବତନ କୂଟନୀତିଜ୍ଞ ଗୁରୁତ୍ବାରୋପ କରିଥିଲେ ।
ସୋଲ୍ହେମ୍ କହିଲେ, ‘କୋରୋନା ଭାଇରସ୍ ସଂକଟରୁ ମୁକୁଳିବା ଲାଗି ଆମ ପାଖରେ ଏକ ବିରାଟ ସୁଯୋଗ ରହିଛି । ଯାହା ଫଳରେ ଆମେ ବିଶ୍ବକୁ ଏଭଳି ଏକ ଉତ୍ତମ ସ୍ଥିତିକୁ ନେଇଯିବା, ଯେଉଁଠି ଦାରିଦ୍ର୍ୟ ସଂକୁଚିତ ହୋଇଥିବ ଏବଂ ପରିବେଶର ଯତ୍ନ ନିଆଯାଇପାରୁଥିବ । ପରସ୍ପର ବିରୋଧୀ ତତ୍ତ୍ବ ସମ୍ବଳିତ ଦୁଇଟି ଶକ୍ତି ରହିଛି । ଗୋଟିଏ ହେଲା ଯଦି ଆମେରିକା ଏବଂ ଚୀନ ଏବଂ ଅନ୍ୟ ବଡ଼ ରାଷ୍ଟ୍ରମାନେ ପରସ୍ପର ଉପରେ ଦୋଷାରୋପ ପୂର୍ବକ ସଂଘର୍ଷରେ ସମୟ ଅତିବାହିତ କରନ୍ତି, ତେବେ ସେମାନେ ଏହାର ସମାଧାନ ଖୋଜିବା କାମକୁ ଖୁବ୍ କଷ୍ଟସାଧ୍ୟ କରିଦେବେ । ସେହିଭଳି ବିଭିନ୍ନ ଦେଶରେ ଆଭ୍ୟନ୍ତରୀଣ ସଂଘର୍ଷ ଯୋଗୁଁ ବି ସମାଧାନ ପନ୍ଥା ଖୋଜିବା କଷ୍ଟକର ହୋଇପଡ଼ିବ । ଭାରତରେ ଏହି ସମସ୍ୟାର ସମାଧାନ ପାଇଁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହିନ୍ଦୁମାନେ ମୁସଲମାନଙ୍କୁ ଦୋଷ ନଦେଇ କିମ୍ବା ମୁସଲମାନମାନେ ହିନ୍ଦୁଙ୍କୁ ଦୋଷ ନଦେଇ, ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ, ଶିଖ ଏବଂ ଅନ୍ୟ ସବୁ ଗୋଷ୍ଠୀର ହିତ ସାଧନ ପାଇଁ ଏକ ସର୍ବଭାରତୀୟ ସମାଧାନ ଖୋଜିବାକୁ ପ୍ରୟାସ କରିବା । ସଂଘର୍ଷରୁ ବିରତି ହିଁ ସମାଧାନର ପ୍ରମୁଖ ଉପାୟ ।’