ନୂଆଦିଲ୍ଲୀ: ଚନ୍ଦ୍ରର ଆହୁରି ନିକଟତର ହୋଇଛି ଭାରତର ବହୁ ଗୁରୁତ୍ବପୂର୍ଣ୍ଣ ମହାକାଶ ଯାନ 'ଚନ୍ଦ୍ରାୟନ-2' । ଶୁକ୍ରବାର ସନ୍ଧ୍ୟା 6 ଟା 18 ମିନିଟ ସମୟରେ ଏହା ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚନ୍ଦ୍ରଯାନ-2 ସେପ୍ଟେମ୍ବର 1 ରେ ଚନ୍ଦ୍ରର ଆଗାମୀ କକ୍ଷପଥରେ ପ୍ରବେଶ କରି ବୋଲି ଇସ୍ରୋ କହିଛି ।
ଚନ୍ଦ୍ରର ନିକଟତର ହେଉଛି ‘ଚନ୍ଦ୍ରାୟନ-2’
ଶୁକ୍ରବାର ସନ୍ଧ୍ୟା 6 ଟା 18 ମିନିଟ ସମୟରେ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ‘ଚନ୍ଦ୍ରାୟନ 2’ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୂଚନା ଦେଇଛି ।
ଏହାପରେ ସେପ୍ଟେମ୍ବର 7 ତାରିଖ ପ୍ରାୟ 1:55 ସମୟରେ ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ତେବେ ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାର କ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ । କାରଣ ଇସ୍ରୋ ଏଭଳି ପୂର୍ବରୁ କେବେ କରିନାହିଁ । ତେବେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏହା ଭିତରୁ ପ୍ରଜ୍ଞାନ ନାମକ ରୋଭର ବାହାରକୁ ଆସିବ ଏବଂ ଚନ୍ଦ୍ର ପୃଷ୍ଠରେ ଗବେଷଣା ଆରମ୍ଭ କରିବ ।
ତେବେ ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ ତାହେଲେ ଆମେରିକା, ଚୀନ ଏବଂ ଋଷ ପରେ ଭାରତ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ବିଶ୍ବର 4ର୍ଥ ଦେଶ ଭାବେ ଖ୍ୟାତି ଅର୍ଜନ କରିବ । ଏହା ସହିତ ଚନ୍ଦ୍ରର ଧ୍ରୁବ କ୍ଷେତ୍ରରେ ଅବତରଣ କରିଥିବା ବିଶ୍ବର ପ୍ରଥମ ଦେଶ ଭାବେ ଇତିହାସ ରଚିବ ।