ସାରା ବିଶ୍ବ କୋରୋନା ଭାଇରସ୍ ବିରୋଧରେ ସଂଗ୍ରାମ କରୁଥିବା ବେଳେ ଏବଂ ଆମେ ସମସ୍ତେ ଏକ ଅନିଶ୍ଚିତ ସ୍ଥିତି କବଳରୁ ମୁକୁଳିବାକୁ ଉଦ୍ୟମ କରୁଥିବା ବେଳେ ଦକ୍ଷିଣ ଏସିଆର ଏହି ଅଞ୍ଚଳ ଆଦୌ ପ୍ରଭାବିତ ହେଲା ଭଳି ମନେହୁଏ ନାହିଁ । ନିୟନ୍ତ୍ରଣ ରେଖା (LOC) ନିକଟରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି । ଭାରତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସରେ 411 ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି, ଯାହାକି ଗତ ବର୍ଷର ଏହି ସମୟ ତୁଳନାରେ 50 ପ୍ରତିଶତ ଅଧିକ ଏବଂ 2018ର ଏହି ସମୟ ତୁଳନାରେ ଦୁଇ ଗୁଣରୁ ଅଧିକ ।
ଏପ୍ରିଲ 5 ତାରିଖ ଦିନ କେରାନ୍ ସେକ୍ଟର ଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାଞ୍ଚ ଜଣ ଆତଙ୍କବାଦୀ ସେନା ଯବାନଙ୍କ ଗୁଳିରେ ନିହତ ହୋଇଥିଲେ ଏବଂ ଏହି ଅପରେସନ୍ରେ ପାଞ୍ଚ ଜଣ ସ୍ପେସିଆଲ୍ ଫୋର୍ସ ଯବାନ ସହିଦ ହୋଇଥିଲେ । ପାଞ୍ଚ ଦିନ ପରେ ଭାରତୀୟ ସେନା ଜାରି କରିଥିବା ଏକ ଭିଡିଓରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅବସ୍ଥିତ ଆତଙ୍କବାଦୀ ତାଲିମ କେନ୍ଦ୍ର ଏବଂ ଗୋଳାବାରୁଦ ଭଣ୍ଡାର ଉପରେ ଗୁଳିଗୋଳା ବର୍ଷଣ କରାଯାଉଥିବା ଦେଖାଯାଇଥିଲା । ଦୁଇ ଦିନ ପରେ, ସେହି ଏକା ସେକ୍ଟରରେ ପାକିସ୍ତାନ ସେନା ଗୁଳିମାଡ଼ କରିବା ଫଳରେ ତିନି ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ସାତ ଜଣ ଆହତ ହୋଇଥିଲେ । ମୃତକମାନଙ୍କ ମଧ୍ୟରେ ଜଣେ 8 ବର୍ଷର ଶିଶୁ ଥିଲା ।
ଏହି ସମୟରେ ସ୍ବାଭାବିକ ଭାବେ କେତେକ ପ୍ରଶ୍ନ ଉଠିଥିଲା । ଉଭୟ ଭାରତ ଓ ପାକିସ୍ତାନ ଏକ ବିରାଟ ସଂକଟ ଭିତର ଦେଇ ଗତି କରୁଥିବା ସମୟରେ, ଆମେ କ’ଣ କିଛି ଦିନ ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ସ୍ଥାପନ କରିପାରିବା ନାହିଁ ? ପରସ୍ପର ସହ ଲଢ଼ିବା ବଦଳରେ ଏକ ସାଧାରଣ ଶତ୍ରୁ ସହ ଲଢ଼ିବା ଲାଗି ଆମେ ଆମ ଶକ୍ତିର ଉପଯୋଗ କରିବା ଉଚିତ ନୁହେଁ କି ? ଉଭୟ ପ୍ରଶ୍ନର ଉତ୍ତର ହେବ ‘ହଁ’, କିନ୍ତୁ ଦୁଃଖଦ ବାସ୍ତବତା ହେଉଛି ଯେ ନୈତିକ ଦୃଷ୍ଟିକୋଣ ସବୁବେଳେ ଜାତୀୟ ନିଷ୍ପତ୍ତିର ଆଧାର ହୁଏନାହିଁ ।
ପ୍ରାୟତଃ ନିୟନ୍ତ୍ରଣ ରେଖା ନିକଟରେ ଗୁଳିମାଡ଼ ଘଟଣାକୁ ଉଭୟ ଦେଶର ସରକାରୀ ମୁଖପାତ୍ରମାନେ ଖୁବ୍ ସରଳୀକୃତ ଭାଷାରେ ଉପସ୍ଥାପନ କରିଥାଆନ୍ତି । ସାଧାରଣତଃ ଏଭଳି ବିବୃତିରେ ଚିରାଚରିତ ଭାବେ କୁହାଯାଇଥାଏ ଯେ ଅପର ପକ୍ଷରୁ “ବିନା କାରଣରେ ଗୁଳିମାଡ଼” କରାଯାଇଥିଲା ଏବଂ ଏହାର “ଦୃଢ଼ ଜବାବ” ଦିଆଯାଇଛି । କିନ୍ତୁ ବାସ୍ତବିକତା କିଛିଟା ଭିନ୍ନ । ଅସ୍ତ୍ରବିରତି ଉଲ୍ଲଂଘନ କେବଳ ଯେସାକୁ ତେସା ନୀତିରେ ସଂଘଟିତ ସଂଘର୍ଷ ନୁହେଁ, ବରଂ ନିୟନ୍ତ୍ରଣ ରେଖା ନିକଟ ସୁରକ୍ଷା ସ୍ଥିତିରେ ଉପୁଜିଥିବା ଏକ ବୃହତ୍ ସମସ୍ୟାର ପରିପ୍ରକାଶ ।
ଭାରତ ଓ ପାକିସ୍ତାନ ମଧ୍ୟରେ 2003ରେ ସଂପାଦିତ ସାଧାରଣ ଅସ୍ତ୍ରବିରତି ବୁଝାମଣାକୁ ଉଭୟ ପକ୍ଷ 2012 ଯାଏ ସମ୍ମାନର ସହ ପାଳନ କଲେ । 2013ରେ ନିୟନ୍ତ୍ରଣ ରେଖା ନିକଟରେ ପ୍ୟାଟ୍ରୋଲିଂ କରୁଥିବା ଭାରତୀୟ ସେନା ଉପରେ ଆକ୍ରମଣ ହୋଇଥିଲା ଏବଂ ଏଥିରେ ଜଣେ ସୈନିକ, ଲାନ୍ସ ନାୟକ ହେମରାଜଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଦିଆଯାଇଥିଲା । ନିୟନ୍ତ୍ରଣ ରେଖା ପାଖରେ ମାଇନ୍ ବିଛାଇବା ଏବଂ ଉନ୍ନତ ବିସ୍ଫୋରକ ଉପକରଣ- IED ରଖିବା ଭଳି ଘଟଣା ବଢ଼ିବାରେ ଲାଗିଲା । ସେହି ବର୍ଷ ଅଗଷ୍ଟରେ, ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ ଦ୍ବାରା ଆକ୍ରମଣ ଫଳରେ ପାଞ୍ଚ ଜଣ ଭାରତୀୟ ଯବାନ ପ୍ରାଣ ହରାଇଲେ ।
ସାମଗ୍ରୀକ ଭାବେ ସୁରକ୍ଷା ସ୍ଥିତି ବିଗିଡ଼ିବା ସହିତ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଲା ଏବଂ ନିୟନ୍ତ୍ରଣ ରେଖାରେ ବିସ୍ଫୋରକ ସ୍ଥିତି ଲାଗି ରହିଲା । ସୀମାପାର ଗୁଳିଗୋଳା ବର୍ଷଣ ଏତେ ବୃଦ୍ଧି ପାଇଲା ଯେ, 14 ବର୍ଷ ଭିତରେ ପ୍ରଥମ ଥର ପାଇଁ ଉଭୟ ଦେଶର ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଦୁହେଁ ବ୍ୟକ୍ତିଗତ ଭାବେ ସାମନାସାମନି ବସି ବୈଠକ କରିବାକୁ ରାଜି ହେଲେ । ଯଦିଓ ସ୍ଥିତି ସୁଧାରି ନେବା ଲାଗି ଏକ ବୁଝାମଣା ସଂପାଦିତ ହୋଇଥିଲା, ହେଲେ ବାସ୍ତବ କ୍ଷେତ୍ରରେ ଏହାର ସେତେଟା ପ୍ରଭାବ ପଡ଼ିଲା ନାହିଁ ଏବଂ 2014ରେ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ବୃଦ୍ଧି ପାଇଲା ।
2013ର ଉଦାହରଣ ଦେଇ ମୁଁ ଦର୍ଶାଇବାକୁ ଚାହେଁ ଯେ, 2003 ବୁଝାମଣାର ଅନୁପାଳନ ଲାଗି ଉଭୟ ପକ୍ଷ ମୌଖିକ ଭାବେ ରାଜି ହେବେ ବୋଲି ଆଶା କରିବା ନିହାତି ଅନୁଭବହୀନତାର ପରିଚାୟକ ହେବ ଏବଂ ଏମିତିକି ପରିକଳ୍ପିତ ଭାବରେ ଏହାର କାର୍ଯ୍ୟକାରିତା ବି ସୀମାରେ ଶାନ୍ତିପୂର୍ଣ୍ଣ ସ୍ଥିତି ସ୍ଥାପନରେ ରୂପାନ୍ତରିତ ହେବ । ଏ କ୍ଷେତ୍ରରେ କୌଣସି ବାସ୍ତବ ସଫଳତା ଲାଗି ପାକିସ୍ତାନକୁ ସେମାନଙ୍କ ପଟୁ ଅନୁପ୍ରବେଶ ନିୟନ୍ତ୍ରଣ କରିବାକୁ ପଡ଼ିବ । ନିୟନ୍ତ୍ରଣ ରେଖା ଦେଇ ଯଦି ଅନୁପ୍ରବେଶ ଅବ୍ୟାହତ ରହେ ଏବଂ ଭାରତୀୟ ସୈନ୍ୟମାନେ ସହିଦ ହୁଅନ୍ତି ତେବେ ଶାନ୍ତି ସ୍ଥାପିତ ହୋଇପାରିବ ନାହିଁ ।